ଓସିଏସ୍‌ ପରୀକ୍ଷା ପ୍ରକ୍ରିୟାରେ ବିଭ୍ରାଟ: ଦୁଃଖ ପ୍ରକାଶ କଲେ ଓପିଏସ୍‌ସି ସଚିବ

କଟକ : ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି)ରେ ପରୀକ୍ଷା ପରିଚାଳନାକୁ ନେଇ ଗୋଟିଏ ପ‌ରେ ଗୋଟିଏ ବିଭ୍ରାଟ ସାମ୍ନାକୁ ଆସୁଛି। ୨୦୧୯ ପରୀକ୍ଷାଫଳ ଏଯାଏ ପ୍ରକାଶ ନ ପାଇବା, ଦିଲ୍ଲୀରେ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାର ସାକ୍ଷାତକାର ଚାଲିଥିବା ସମୟରେ ଓପିଏସ୍‌ସି ପ୍ରିଲିମ ପରୀକ୍ଷା ସମୟ ଧାର୍ଯ୍ୟ ହେବା ଭଳି ଘଟଣାକୁ ନେଇ ପରୀକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏବେ ଆଡିମିଟ କାର୍ଡ ବିଭ୍ରାଟ ସାମନାକୁ ଆସିଛି।

ଗତ ଦୁଇ ଦିନ ହେବ ଅନେକ ସମୟରେ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ ହୋଇପାରୁନାହିଁ। ଅନ୍ୟପକ୍ଷରେ ଡାଉନ୍‌ଲୋଡ଼ ହେଉଥିବା ଆଡମିଟ କାର୍ଡଗୁଡିକ ତ୍ରୁଟିପୂର୍ଣ୍ଣ ରହିଛି। ପ୍ରାର୍ଥୀ ଓସିଏସ ପାଇଁ ଆବେଦନ କରିଥିବା ବେଳେ ତାଙ୍କ ଆଡମିଟ କାର୍ଡରେ ଆସିଷ୍ଟାଣ୍ଟ୍ ସଏଲ କଂଜରଭେଟର ପଦବି ବୋଲି ଉଲ୍ଲେଖ ରହିଛି। କିଛି ପ୍ରାର୍ଥୀଙ୍କ ଆଡମିଟ୍ କାର୍ଡରେ ଆସିଷ୍ଟାଣ୍ଟ୍ ପ୍ରଫେସର ପବବି ମଧ୍ୟ ଉଲ୍ଲେଖ ରହିଛି। ଏଭଳି ତ୍ରୁଟିପୂର୍ଣ୍ଣ ଆଡମିଟ୍ କାର୍ଡକୁ ନେଇ ପରୀକ୍ଷାର୍ଥୀ ଚିନ୍ତାରେ ପଡିଛନ୍ତି।

ଅନ୍ୟପକ୍ଷରେ ପ୍ରାର୍ଥୀଙ୍କ ଏହି ସମସ୍ୟା ପାଇଁ ନିଜେ ଓପିଏସସି ସଚିବ ଆଜି ଚିଠି (ନଂ ୫୮୩୮) ଜାରି କରି ଦୁଃଖ ପ୍ରକାଶ କରିଛନ୍ତି। ଆଡମିଟକାର୍ଡ ଡାଉନଲୋଡକୁ ନେଇ ସମସ୍ୟା ହେଉଥିବା ସ୍ବୀକାର କରିଛନ୍ତି। ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ସମସ୍ୟା ଉପୁଜିଛି। ଏହା କମ୍ପ୍ୟୁଟର ଜନିତ ତ୍ରୁଟି ବୋଲି କହିଛନ୍ତି। ତେବେ ଏହି ସମସ୍ୟାର ସମାଧାନ କରାଯିବ ବୋଲି ସେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର