ବିଜୁଳି ଯୋଗାଣରେ ଅବ୍ୟବସ୍ଥା ନେଇ ଉଦ୍‌ବେଗ, ଗୃହ କମିଟି ବୈଠକରେ ବିଧାୟକଙ୍କ ଅସନ୍ତୋଷ

କ୍ଷେତ୍ର ପରିଦର୍ଶନରେ ଯିବେ ବିଧାନସଭା ସବ୍-କମିଟି

ଭୁବନେଶ୍ବର : ବିଦ୍ୟୁତ ଉତ୍ପାଦନ, ବଣ୍ଟନ ଓ ଉନ୍ନତୀକରଣ ଉପରେ ଗୃହ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ବିଦ୍ୟୁତ ଉତ୍ପାଦନ ବଣ୍ଟନ ଓ ଉନ୍ନତୀକରଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଧାୟକମାନେ ରାଜ୍ୟରେ ବିଜୁଳି ଯୋଗାଣରେ ଅବ୍ୟବସ୍ଥା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଯୋଗାଣ ବ୍ୟବସ୍ଥାର ଉନ୍ନତୀକରଣ ପାଇଁ ଗଠିତ ଚାରିଟି ବିଧାନସଭା ସବ୍-କମିଟିର ସଦସ୍ୟମାନେ ସଂପୃକ୍ତ ଅଞ୍ଚଳକୁ ଗସ୍ତରେ ଯାଇ ବାସ୍ତବ ସ୍ଥିତି ଆକଳନ କରି ବିଧାନସଭାକୁ ରିପୋର୍ଟ ପ୍ରଦାନ କରିବା ପାଇଁ ବାଚସ୍ପତି ପରାମର୍ଶ ଦେଇଥିଲେ।

ବିଧାୟକ ଅମର ପ୍ରସାଦ ଶତପଥୀ ବ୍ୟବସ୍ଥାଗତ ଉନ୍ନତି ପାଇଁ ଓ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର କମାଇବା ନିମନ୍ତେ ପରାମର୍ଶ ଦେଇଥିଲେ। ବିଧାୟକ କିଶୋର ମହାନ୍ତି ଗ୍ରାମାଞ୍ଚଳରେ ବିଦ୍ୟୁତ ସଂଯୋଗ ସ୍ଥିତିର ଉନ୍ନତୀକରଣ ଉପରେ ଗୁରୁତ୍ବାରୋପ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଦ୍ୟୁତ ବିତରକ ଟାଟା କମ୍ପାନି ବ୍ୟାପକ କର୍ମଚାରୀ ଛଟେଇ କରୁଥିବାରୁ ଘୋର ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥି ନିମିତ୍ତ ବ୍ୟାପକ ଅସନ୍ତୋଷ ସୃଷ୍ଟି ହେଉଥିବା ଦର୍ଶାଇଥିଲେ। ବିଧାୟକ ନୃସିଂହ ଚରଣ ସାହୁ ପରଜଙ୍ଗ ଅଞ୍ଚଳରେ ବ୍ୟାପକ ବିଦ୍ୟୁତ କାଟ ହେଉଥିବା ଅଭିଯୋଗ କରିବା ସହ ଅବିଳମ୍ବେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାର ଉନ୍ନତି ପାଇଁ ଏକ ଗ୍ରିଡ୍ ପ୍ରତିଷ୍ଠା ପାଇଁ ଦାବି କରିଥିଲେ। ବିଧାୟକ ଅନନ୍ତ ଦାସ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ବରରେ ବିଭିନ୍ନ ଗ୍ରାମରେ ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ବିଧାୟକ ସନ୍ତୋଷ ସିଂହ ସାଲୁଜା ବିତରକ ଟାଟା କମ୍ପାନି କେବଳ ବକେୟା ଟଙ୍କା ଆଦାୟରେ ବ୍ୟସ୍ତ ରହି ବିଦ୍ୟୁତ ସେବା ଯୋଗାଣରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରିଥିଲେ। ଉପବାଚସ୍ପତି ରଜନୀକାନ୍ତ ସିଂହ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ରାଜେନ୍ଦ୍ର ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଦ୍ୟୁତ ଉତ୍ପାଦନ, ବଣ୍ଟନ ଓ ବ୍ୟବସ୍ଥାଗତ ଉନ୍ନତୀକରଣ ଉପରେ କମିଟିକୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ପୂର୍ବରୁ ଓଡ଼ିଶା ଶକ୍ତି ଉତ୍ପାଦନ କ୍ଷେତ୍ରରେ ନିଅଣ୍ଟିଆ ରାଜ୍ୟ ହୋଇଥିବା ଦୃଷ୍ଟିରୁ ଅନେକ ରାଜ୍ୟ ସହ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ଏବଂ ଅବଧି ପୂରି ନ ଥିବାରୁ ସେହି ରାଜିନାମାଗୁଡ଼ିକ କାର୍ଯ୍ୟକାରୀ ହେଉଛି। ଫଳତଃ ଶକ୍ତି ବିତରଣ ଅପେକ୍ଷାକୃତ ଭାବେ ଅଧିକ ପଡ଼ୁଥିବା ସେ ଦର୍ଶାଇଥିଲେ। ଇ-ଟେଣ୍ଡର୍ ବ୍ୟବସ୍ଥା ମାଧ୍ୟମରେ ବୃହତ ଶିଳ୍ପ ସଂସ୍ଥା ଓ ଉଦ୍ୟୋଗଗୁଡ଼ିକୁ ବିଦ୍ୟୁତ ବଣ୍ଟନ କରାଯାଉଛି। ଏ କ୍ଷେତ୍ରରେ କୌଣସି ସଂସ୍ଥାକୁ ମଧ୍ୟ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରାଯାଉ ନାହିଁ ବୋଲି ମନ୍ତ୍ରୀ କହିଥିଲେ। ଏହି ବୈଠକରେ ବିଧାନସଭାର ସଚିବ ଦାଶରଥୀ ଶତପଥୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର