ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ନେଇ ଅସନ୍ତୋଷ ତେଜିଲା, ଶୁଳ୍କ ପ୍ରତ୍ୟାହାର ପାଇଁ ରାଜନୈତିକ ଦଳର ଦାବି

ଗର୍ଜିଲେ ନିରଞ୍ଜନ, ଆନ୍ଦୋଳନ କାର୍ଯ୍ୟକ୍ରମ ଘୋଷଣା, ବିଜେପିର ବିକ୍ଷୋଭ, ନ ଚେତିଲେ ଜୋରଦାର କରିବ

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ ଦର ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି ପ୍ରସଙ୍ଗକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। କଂଗ୍ରେସ ଆଜି ସରକାର ଓ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍୍‌ସି) ଉପରେ ଅସନ୍ତୋଷ ଝାଡ଼ିଛି। ନିଜେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳର ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେବା ସହିତ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ସେପଟେ ବିଜେପି ପକ୍ଷରୁ ଆଜି ଓଇଆର୍୍‌ସି ସାମ୍ନାରେ ବିକ୍ଷୋଭ କରାଯାଇଛି।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆସନ୍ତା ସାତଦିନ ଭିତରେ ସରକାର ପ୍ରେସ ବିଜ୍ଞପ୍ତି ଜରିଆରେ ଲୋକଙ୍କ ଉପରେ ବଢ଼ାଇଥିବା ଆର୍ଥିକ ଚାପ ଲାଘବ ନ କଲେ ଦଳ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରିବ। ସବୁ ଜିଲ୍ଲା ମୁଖ୍ୟାଳୟରେ ଥିବା ବିଦ୍ୟୁତ ଅଫିସ ଆଗରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ୪ ଘଣ୍ଟିଆ ଧାରଣା ଦିଆଯିବ। ସେହିପରି ଦ୍ୱିତୀୟ ଦିନ ପ୍ରତି ବ୍ଲକରେ ଥିବା ବିଦ୍ୟୁତ କାର୍ଯ୍ୟାଳୟ ସାମନାରେ ୪ ଘଣ୍ଟିଆ ଧାରଣା ଓ ବିକ୍ଷୋଭ କରାଯିବ। ତୃତୀୟ ଦିନ ଭୁବନେଶ୍ୱର ଓଇଆର୍‌ସି ଆଗରେ ଭୁବନେଶ୍ୱର କଂଗ୍ରେସ କମିଟି ଧାରଣା ଓ ବିକ୍ଷୋଭ କରିବ। ଚତୁର୍ଥ ଦିନ ନଗର ଓ ସହରମାନଙ୍କରେ ମହମବତୀ ଶୋଭାଯାତ୍ରା ଓ ପଞ୍ଚମ ଦିନ ସନ୍ଧ୍ୟା ୭ ଟାରୁ ୭.୩୦ମି ପର୍ଯ୍ୟନ୍ତ ସବୁବର୍ଗର ଉପଭୋକ୍ତମାନେ ସ୍ୱଇଚ୍ଛାରେ ବିଦ୍ୟୁତ କାଟ କରିବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।

ପିସିସି ସଭାପତି କହିଥିଲେ, ୨୦୧୬ର ବିମୁଦ୍ରାୟନ ପରେ କୋଭିଡ-୧୯ର ମାଡ଼ରେ ସବୁବର୍ଗର ଜନସାଧାରଣ ଆର୍ଥିକ ଦୁର୍ଗତି ଭିତରକୁ ଠେଲି ହୋଇଯାଇଛନ୍ତି। ଏହି ସମୟରେ ରାଜ୍ୟରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ରାଜ୍ୟ ସରକାରଙ୍କ ସହାୟତାରେ ଓଇଆର୍‌ସି ପାହାର ଉପରେ ପାହାର ବସାଇ ଚାଲିଛି। ବର୍ଷକ ମଧ୍ୟରେ ଦୁଇ ଦୁଇଥର ବିଦ୍ୟୁତ୍ ଶୁଳ୍କ ବୃଦ୍ଧିପାଇଛି । ଗୋଟିଏ ଥର ୟୁନିଟ୍ ପିଛା ୨୦ ପଇସା ବଢ଼ିଥିଲା ଏବେ ପୁଣି ୩୦ ପଇସା ବଢ଼ିଲା; ଯାହାକି ଖାଉଟିଙ୍କ ଉପରେ ବୋଝ ଉପରେ ଲଲିତା ବିଡ଼ା ସଦୃଶ ହୋଇଛି। ସରକାର ଓ ଆୟୋଗ ବିତରକ କମ୍ପାନିଙ୍କ ଉପରେ ନିୟନ୍ତ୍ରଣ ହରାଇଛନ୍ତି। ଅବା କୌଣସି ସ୍ୱାର୍ଥରେ ସେମାନଙ୍କ ସହିତ ପକ୍ଷଭୁକ୍ତ ହୋଇଛନ୍ତି। ସମସ୍ତେ ମିଳିତଭାବେ ଉପଭୋକ୍ତାମାନଙ୍କୁ ଶୋଷି ଚାଲିଛନ୍ତି। କୃଷିପାଇଁ ଦରବୃଦ୍ଧି ନ ଘଟିବା ଓ ବିପିଏଲ ପରିବାର ଉପରେ ଶୁଳ୍କ ବୃଦ୍ଧି ନ ହେବା ସରକାରଙ୍କର ଅନ୍ୟ ଏକ ପ୍ରତାରଣା। ଆମ ରାଜ୍ୟରେ ଚାଷ ଉଦ୍ଦେଶ୍ୟରେ ବିଦ୍ୟୁତ ବ୍ୟବହାର ଖୁବ କମ୍ ୧.୪୪%। ସରକାର ବିପିଏଲ୍‌ ପରିବାରକୁ ଗୋଟିଏ ଲେଖାଏଁ ବଲ୍‌ବ ଦେଇଥିଲେ ଏବଂ ସେମାନଙ୍କ ଠାରୁ କୌଣସି ବିଦ୍ୟୁତ ଦେୟ ଆଦାୟ କରାଯିବନି ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଗତକାଲି ଶକ୍ତିମନ୍ତ୍ରୀଙ୍କ ନିଜ ଜିଲ୍ଲା ଭବାନୀପାଟଣା ଅନ୍ତର୍ଗତ କୁଟୁରୁ ଖମାର ଓ କାପସରାର ଗରିବ ଗ୍ରାମବାସୀମାନେ ବିଦ୍ୟୁତ ବିଭାଗର ଜୋର ଜବରଦସ୍ତି କାର୍ଯ୍ୟକଳାପ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଷୋଦ୍‌ଗାର କରୁଥିଲେ।

ଏହି ଘଟଣା ଖାଲି କଳାହାଣ୍ଡିରେ ନୁହେଁ, ସାରା ଓଡ଼ିଶାର ୩୦ଟି ଯାକ ଜିଲ୍ଲାର ବିଭିନ୍ନ ଗାଁ ଗଣ୍ଡାର ସ୍ଥିତି ମଧ୍ୟ ସମାନ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସରକାର ଯଦି ବାସ୍ତବରେ ଲୋକଙ୍କ ସ୍ୱାର୍ଥ ଓ ରାଜ୍ୟର ଆର୍ଥିକ ବିକାଶ ଚାହାନ୍ତି “ବିଦ୍ୟୁତ୍ ପରି ପଣ୍ୟ”କୁ ଶସ୍ତାରଖିବା ଦରକାର। ଆୟୋଗର ଏହି ନିଷ୍ପତ୍ତି ବିରୋଧରେ ନିଜେ ଖାଉଟି ହିସାବରେ ରାଜ୍ୟ ସରକାର ହାଇକୋର୍ଟରେ ଅଭିଯୋଗ ଦାଖଲ କରିବା ସହିତ ରହିତାଦେଶ ପ୍ରାର୍ଥନା କରିବାକୁ କଂଗ୍ରେସ ଦାବି କରୁଛି। ଏଥିସହିତ ଅଣୁ-କ୍ଷୁଦ୍ର, ମଧ୍ୟମ ଶିଳ୍ପପାଇଁ ବିଦ୍ୟୁତ ଶୁଳ୍କ ୭୫% ରିହାତି ଘୋଷଣା କରିବାକୁ ଦାବି କରୁଛି। ଚାଷୀ ସହିତ ସଂପର୍କରେ ଥିବା ସମସ୍ତ ବିଦ୍ୟୁତ ଦେୟ ଛାଡ଼ କରାଯାଉ ଏବଂ ଏ ବାବଦ ରିହାତି ସରକାର ପୈଠ କରନ୍ତୁ। ସବୁବର୍ଗର ବ୍ୟବସାୟ ପ୍ରତିଷ୍ଠାନ ଉପରେ ଅନ୍ତତଃ ରିହାତି ଘୋଷଣା କରନ୍ତୁ । ୨୦୦ ରୁ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ସରକାର ଅନ୍ତତଃ ବର୍ଦ୍ଧିତ ଦର ବାବଦ ଦେୟ ବହନ କରନ୍ତୁ। ଏହି ଅବସରରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଜଳ ବିଦ୍ୟୁତ ଉତ୍ପାଦନର ହିସାବ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଜ୍ଞାନଦେବ ବେଉରା, ପଦ୍ମାକର ଗୁରୁ, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସେପଟେ ବିଦ୍ୟୁତ ଶୁକ୍ଳ ବୃଦ୍ଧି ପ୍ରତ୍ୟାହାର ଦାବିରେ ଆଜି ବିଜେପି ଓଇଆର୍‌ସି ଅଫିସ ଘେରାଉ କରିଥିଲା।

ବର୍ଦ୍ଧିତ ବିଦ୍ୟୁତ ଦର ତୁରନ୍ତ ପ୍ରତ୍ୟାହାର କରିବା ଲାଗି ବିଜେପି ଜିଲ୍ଲା ସଭାପତି ବାବୁ ସିଂହ ଦାବି କରିଥିଲେ। ଆୟୋଗ ନିଷ୍ପତ୍ତି ପ୍ରତ୍ୟାହାର ନ କଲେ, ଭୁବନେଶ୍ବର ଅଧୀନସ୍ଥ ସମସ୍ତ ୮ଟି ସବ୍‌ଡିଭିଜନ୍ ସାମ୍ନାରେ ବିକ୍ଷୋଭ କରାଯିବ ବୋଲି ଦଳ ଧମକାଇଛି। ବିଜେପି କହିଛି ‌ଯେ ମହାମାରୀ କୋଭିଡ-୧୯ କାରଣରୁ ସମଗ୍ର ରାଜ୍ୟବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ଏଭଳି ସଙ୍କଟ ସମୟରେ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ରାଜ୍ୟ ସରକାର ବିଦ୍ୟୁତ ଦର ୟୁନିଟ ପିଛା ୩୦ ପଇସା ବୃଦ୍ଧି କରି ରାଜ୍ୟବାସୀଙ୍କ ଉପରେ ବୋଝ ଲଦିବାକୁ ଯାଉଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜନସ୍ୱାର୍ଥ ବିରୋଧୀ। ଗୋଟିଏ ପଟେ ସରକାର ବଡ଼ କଂପାନିଙ୍କ ଉପରେ ହଜାର ହଜାର କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ ବକେୟା ଆଦାୟ କରିବାରେ ବିଫଳ ହୋଇଥିବା ବେଳେ ସରଳ ରାଜ୍ୟବାସୀଙ୍କ ଉପରେ ବୋଝ ଲଦିବା ପାଇଁ ଅପଚେଷ୍ଟା କରୁଛନ୍ତି ବୋଲି ଦଳ କହିଛି।

ଆଜିର କାର୍ଯ୍ୟକ୍ରମରେ ଦଳର ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ହରେକୃଷ୍ଣ ଖୁଂଟିଆ, ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ, ରାଜ୍ୟ ସଂପାଦକ ମନୋଜ ପଶ୍ଚିମ କବାଟ, ରଶ୍ମୀରଂଜନ ମହାପାତ୍ର, ଦିଲୀପ ବେହେରା, ମଣ୍ଡଳ ସଭାପତି ଦାମୋଦର ବେହେରା, ସୁରେନ୍ଦ୍ର ପ୍ରଧାନ, ଅମରଜ୍ୟୋତି ଜଗଦ୍ଦେବ, ରାମ ରଣସିଂହ, ଜଗନ୍ନାଥ ବେହେରା, ସନ୍ତୋଷ ଜେନା, ଶଶୀପ୍ରଭା ରଥ,ଯତୀନ୍ଦ୍ର ମହାନ୍ତିଙ୍କ ସହ ମହିଳା ମୋର୍ଚ୍ଚାର ସୁନୀତା ପତି, ତୃପ୍ତିମୟୀ ମକଦ୍ଦମ, ଉର୍ଣ୍ଣତି ପରିଡା, ସୁଭାସିନୀ ପୃଷ୍ଟିଙ୍କ ସହ ଜିଲ୍ଲା ବିଜେପିର ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର