ଭୁବନେଶ୍ବର: ବିଜେଡିରେ ବରିଷ୍ଠ ଓ ଯୁବନେତାମାନଙ୍କ ଅସନ୍ତୋଷ ଏବେ ରାଜନୈତିକ ମହଲକୁ ଚର୍ଚ୍ଚାର ଖୋରାକ ଯୋଗାଉଛି। ଆଜି କଟକରେ ଛାତ୍ର ନେତା ହରିଶଙ୍କର ରାଉତ ଇସ୍ତଫା ଦେବା ସହ ଅତ୍ୟନ୍ତ କଡ଼ା ଭାଷାରେ ଦଳୀୟ ନେତୃତ୍ବଙ୍କୁ ସମାଲୋଚନା କରିଛନ୍ତି। ଅପରପକ୍ଷରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବି ନିଜ ଅସନ୍ତୋଷ ଝାଡ଼ିଛନ୍ତି। ବିଜେଡି ଠିକ୍ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି ବୋଲି ସେ ରୋକ୍ଠୋକ୍ କହିଛନ୍ତି। ଏହାର ଜବାବ ଦେଇ ଶ୍ରୀ ମଲ୍ଲିକଙ୍କୁ ଶତାବ୍ଦୀର ବଡ଼ ସୁବିଧାବାଦୀ ନେତା ଭାବେ ଅଭିହିତ କରିଛନ୍ତି ପ୍ରତାପ ଜେନା।
ବିଜେଡି ଠିକ୍ ଭାବେ ବିରୋଧୀ ଦଳ ଭୂମିକା ନିର୍ବାହ କରୁନି: ପ୍ରଫୁଲ୍ଲ
ଶତାବ୍ଦୀର ବଡ଼ ସୁବିଧାବାଦୀ ନେତା: ପ୍ରତାପ
ଗଣମାଧ୍ୟମକୁ ଶ୍ରୀ ମଲ୍ଲିକ କହିଛନ୍ତି, ମୁଁ ଏବେ ବିଜେଡିରେ ଅଛି। କିନ୍ତୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନି। ଆଗକୁ ଦଳ ଯଦି ଠିକ ଢଙ୍ଗରେ ନ ଚାଲିବ ତା’ହେଲେ ଦଳ ଠାରୁ ଦୂରେଇଯିବି। ଦଳ ଆଉ ପୂର୍ବ ବିଚାରଧାରାରେ ନାହିଁ। ଦଳକୁ ସଙ୍ଗଠିତ କରିବାକୁ କିଛି ପରାମର୍ଶ ଦେଇଥିଲୁ। ରାଜନୈତିକ ବ୍ୟାପାର କମିଟି ଓ ଶୃଙ୍ଖଳା କମିଟି ଭଳି ଦୁଇଟି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅନ୍ୟ ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରାଯାଇନି। ମୋ ସହିତ କେହି ଆଲୋଚନା କରିନାହାନ୍ତି କି ମୁଁ କାହାକୁ ଭେଟିନି। ଏବେ ନୂଆ ବିଜେଡି ଗଠନର ସମୟ ନୁହେଁ। ପୁରୁଣା ବିଜେଡିକୁ ଠିକ୍ ଭାବେ ଚଳାଇବାକୁ ପଡ଼ିବ।
ଶ୍ରୀ ମଲ୍ଲିକଙ୍କ ମନ୍ତବ୍ୟର କଡ଼ା ପ୍ରତିବାଦ ଜଣାଇଛନ୍ତି ବରିଷ୍ଠ ନେତା ପ୍ରତାପ ଜେନା। ସେ କହିଛନ୍ତି, ପ୍ରଫୁଲ୍ଲ ବାବୁଙ୍କ ବୟସ ୮୦ରୁ ଅଧିକ ହେଲାଣି। ନବୀନ ବାବୁଙ୍କ ପ୍ରଚାର, ଦଳୀୟ ସହଯୋଗ, ବିଜେଡିର ଟିକେଟ ପାଇ ସେ ୪ ଥର ବିଧାୟକ ହେଲେ। ନବୀନ ବାବୁ ତାଙ୍କୁ ବିଶ୍ବାସ କରି ମନ୍ତ୍ରିମଣ୍ଡଳରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ ବି ଦେଇଥିଲେ। ସବୁବେଳେ ସେ ନବୀନ ବାବୁ ଓ ବିଜେଡିକୁ ପ୍ରଶଂସା କରୁଥିଲେ। କିନ୍ତୁ ବିଜେଡି କ୍ଷମତାରୁ ଗଲା ପରେ ଆଉ ବିଜେଡି ତାଙ୍କୁ ପସନ୍ଦ ଲାଗୁନି। ତାଙ୍କୁ ସବୁବେଳେ ସୁବିଧା ଦରକାର। ବିରୋଧୀ ଦଳରେ ଲଢ଼ିବାକୁ ସେ ପ୍ରସ୍ତୁତ ନାହାନ୍ତି। ଏହା ସୁବିଧାବାଦୀ ନେତାର ଚରିତ୍ର। ତାଙ୍କ ଠାରୁ ଏପରି ଆଶା କରାଯାଏ ନାହିଁ।