କଟକ: କଟକ ଜିଲ୍ଲାର ୯ ବିଧାନସଭାରୁ ୭ ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ୭ରୁ ୭ ବିଧାନସଭା ଆସନରେ ଦଳ ଭିତରର ଅସନ୍ତୋଷ ସାମନାକୁ ଆସିଛି। ଏମିତିକି ପ୍ରାୟ ଅଧିକାଂଶ କ୍ଷେତ୍ରରେ ଅସନ୍ତୁଷ୍ଟ ବିଜେପି ଆଶାୟୀ ସ୍ବାଧୀନ ଭାବେ ପ୍ରାର୍ଥୀ ହେବାକୁ ପାଗ ଭିଡିଲେଣି। ବାରବାଟୀ- କଟକ ଓ ସାଲେପୁର ଆସନକୁ ବାଦ୍ ଦେଇ ବିଜେପି ଚୌଦ୍ବାର-କଟକ, କଟକ ସଦର, ମାହାଙ୍ଗା, ବାଙ୍କୀ, ବଡମ୍ବା, ଆଠଗଡ଼, ନିଆଳି ପାଇଁ ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ସବୁଠି ଅସନ୍ତୋଷ ଦାନା ବାନ୍ଧୁ ଥିବାରୁ ଦଳ ଏବେ ଅକଳରେ ପଡିଛି। ଇତିମଧ୍ୟରେ ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରା ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିବାବେଳେ ଦଳରେ ଏବେ ଜିଲ୍ଲା ସଭାପତି ନାହାନ୍ତି। ଫଳରେ ଜିଲ୍ଲାରେ ବିଜେପିର ସ୍ଥିତି କିଏ ସମ୍ଭାଳିବ, ତାହାକୁ ନେଇ ବି ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।
ଆଠଗଡ଼ ବିଧାନସଭା ପାଇଁ ଏଥର ଦଳ ଅଭୟ ବାରିକଙ୍କୁ ପ୍ରାର୍ଥୀ କରିଛି। ତାଙ୍କର ପ୍ରାର୍ଥିତ୍ବ ଘୋଷଣା ପରେ ଆଜି ତିଗିରିଆ ବ୍ଲକ୍ ନୂଆପାଟଣା ମଣ୍ଡଳ ସଭାପତି ତଥା ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ଥିବା ଚିନ୍ମୟ ମଲ୍ଲିକ ଦଳ ଛାଡି ମନ୍ତ୍ରୀ ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି। ବାଙ୍କୀରେ ବିଜେପି ତୁଷାରକାନ୍ତ ଚକ୍ରବର୍ତ୍ତିଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେଠାରେ ଅନ୍ୟତମ ପ୍ରମୁଖ ଆଶାୟୀ ଶୁଭ୍ରାଂଶୁ ମୋହନ ପାଢୀ ଓ ତାଙ୍କ ସମର୍ଥକ ଖୋଲାଖୋଲି ଭାବେ ସାମାଜିକ ଗଣମାଧ୍ୟମରେ ଅସନ୍ତୋଷ ପ୍ରକାଶ କରି ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ବାନ ଦେଇଛନ୍ତି। ମାହାଙ୍ଗାରେ ସୁମନ୍ତ ଘଡେଇଙ୍କୁ ଦଳ ଟିକେଟ ଦେବା ପରେ ସେଠି ନିର୍ବାଚନ ଲଢି ଆସୁଥିବା ସାରଦା ପ୍ରଧାନ ତାଙ୍କ ସମର୍ଥକଙ୍କ ସହିତ ଗତକାଲି ବୈଠକ କରି ପରବର୍ତ୍ତୀ ଯୋଜନା ସଂପର୍କରେ ମନ୍ତ୍ରଣା ଆରମ୍ଭ କରିଛନ୍ତି। ଏମିତିକି ସାରଦା ସ୍ବାଧୀନ ଭାବେ ନିର୍ବାଚନ ଲଢନ୍ତୁ ବୋଲି ତାଙ୍କ ସମର୍ଥକ ଦାବି ରଖୁଛନ୍ତି। ବଡମ୍ବାରେ ଦଳ ନବାଗତ ସମ୍ବିତ ତ୍ରିପାଠୀଙ୍କୁ ପ୍ରାର୍ଥୀ କରିବା ପରେ ସେଠାରେ ଦୀର୍ଘ ଦିନ ଧରି ମୋର୍ଚ୍ଚା ସମ୍ଭାଳି ଆସୁଥିବା ବିଜୟ ଦଳବେହେରାଙ୍କ ଶିବିରରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ସିଏ ଏବେ ସ୍ବାଧୀନଭାବେ ନିର୍ବାଚନ ଲଢିବା ଯୋଜନା କରୁଥିବା ଚର୍ଚ୍ଚା ହାୱା ଧରିଛି। ବଡ଼ମ୍ବାରେ ଗତକାଲି ସାମ୍ବାଦିକ ସମ୍ମିଳନୀ କରି ବିଧାନସଭା ପ୍ରଭାରୀ ମନୋଜ ପଣ୍ଡା ଦଳର ପ୍ରାର୍ଥୀ ଘୋଷଣାକୁ ବିରୋଧ କରିବା ସହ ଏହାର ପୁନର୍ବିଚାର କରାନଗଲେ ଦଳର ସମସ୍ତ ସାଙ୍ଗଠନିକ ପଦାଧିକାରୀ ସମୂହ ଇସ୍ତଫା ଦେବେ ବାଲି ଘୋଷଣା କରିଛନ୍ତି।
ଚୌଦ୍ବାର-କଟକରେ ବରିଷ୍ଠ ନେତା ନୟନ କିଶୋର ମହାନ୍ତିଙ୍କୁ ଦଳ ପୁଣି ପ୍ରାର୍ଥୀ କରିବା ପରେ ନମିତା ମଞ୍ଜରୀ ସାହୁ ତାଙ୍କ ସମର୍ଥକଙ୍କୁ ଧରି ରାଜ୍ୟ କାର୍ଯ୍ୟାଳୟରେ ପ୍ରତିବାଦ କରିଛନ୍ତି। ଏପଟେ ଅନ୍ୟତମ ଆଶାୟୀ ପ୍ରମୋଦ ସାହୁ, ସନ୍ତୋଷ ମହାନ୍ତି ଓ ଅନ୍ୟମାନେ ବି ନିଜର ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ମନ୍ତ୍ରଣା ଆରମ୍ଭ କରି ଦେଇଛନ୍ତି। ସଦର ନିର୍ବାଚନମଣ୍ଡଳୀରେ ଦିଲ୍ଲୀପ ମଲ୍ଲିକ ଦଳରେ ପ୍ରଭାବ ରଖି ଆସିଥିବା ବେଳେ ଇଂଜିନିୟର ପ୍ରକାଶ ସେଠୀଙ୍କୁ ପ୍ରାର୍ଥୀ ଘୋଷଣାକୁ ତାଙ୍କ ସମର୍ଥକ ଏଯାଏ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ନିଆଳିରେ ଦଳ ଛବି ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏହାକୁ ଅନ୍ୟତମ ଆଶାୟୀ ପ୍ରମୋଦ ମଲ୍ଲିକ, ଅଭିମନ୍ୟୁ ମଲ୍ଲିକ ପ୍ରମୁଖ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଏଭଳି ସ୍ଥିତିକୁ ସମ୍ଭାଳି ଦଳ ନିର୍ବାଚନ ସମୟରେ କିଭଳି ଆଗକୁ ବଢିବ, ତାହା ଏବେ ନେତୃବୃନ୍ଦଙ୍କ ପାଇଁ ଚିନ୍ତାର କାରଣ ହୋଇଛି।