ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ପରେ ଅସନ୍ତୋଷ ବ୍ୟାପୁଛି

ପିଲାଙ୍କ ଭବିଷ୍ୟତ ସହ ଖେଳୁଛି ମାଧ୍ୟମିକ ଶିକ୍ଷା ପରିଷଦ
ବୋର୍ଡ ସଭାପତିଙ୍କ ଉତ୍ତର, କମିଛି ଯଦି ପରୀକ୍ଷା ଦିଅ

ଭୁବନେଶ୍ବର : ବିନା ପରୀକ୍ଷାରେ ମାଟ୍ରିକ ଫଳ ପ୍ରକାଶ ପାଇଛି। ତା’ପରେ ବି ବିବାଦ। ରେଜଲ୍ଟ ପ୍ରକାଶ ପାଇବାର ଦୁଇ ଦିନ ପରେ ସାରା ରାଜ୍ୟରେ ଅସନ୍ତୋଷର ସ୍ବର ଉଠିଲାଣି। ଭୁବନେଶ୍ବରରୁ ଭଞ୍ଜନଗର ହେଉ କି କଟକରୁ ପୁରୀ। ସବୁଠି ଛାତ୍ରଛାତ୍ରୀ ଓ ଅଭିଭାବକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଶିକ୍ଷା ପରିଷଦର ଖାମଖିଆଲ ମୂଲ୍ୟାୟନକୁ ଦାୟୀ କରିଛନ୍ତି। କିଛି ସ୍ଥାନରେ ଛାତ୍ରଛାତ୍ରୀ ସ୍କୁଲ କର୍ତୃପକ୍ଷଙ୍କୁ ଘେରିବାକୁ ପଛାଇ ନାହାନ୍ତି। ସୋମବାର କଟକରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସାମ୍‌ନାରେ ବୋର୍ଡର ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୌଣସି ତ୍ରୁଟି ହୋଇନାହିଁ, ଯାହାର ଅସନ୍ତୋଷ ରହିଛି, ସେମାନେ ଅଫଲାଇନରେ ପରୀକ୍ଷା ଦିଅନ୍ତୁ ବୋଲି ବୋର୍ଡ ପକ୍ଷରୁ କୁହାଯିବା ଘଟଣା ଏହି ଅସନ୍ତୋଷକୁ ଅଧିକ ହାୱା ଦେଇଛି।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ସେମାନଙ୍କୁ ଯୋଗ୍ୟତା ଅନୁସାରେ ମାଟ୍ରିକ୍ ପରୀକ୍ଷାରେ ନମ୍ବର ଦିଆଯାଇନାହିଁ। ମୂଲ୍ୟାୟନ ପାଇଁ ତିଆରି ହୋଇଥିବା ମାନଦଣ୍ଡକୁ ବୋର୍ଡ କର୍ତ୍ତୃପକ୍ଷ ପାଳନ ନ କରି ମନଇଚ୍ଛା ନମ୍ବର ଦେଇଛନ୍ତି। ସେମାନଙ୍କ ଭବିଷ୍ୟତକୁ ନଷ୍ଟ କରିଦେଇଛନ୍ତି। ଆଉଥରେ ମୂଲ୍ୟାୟନ କରି ସେମାନଙ୍କୁ ନ୍ୟାୟ ଦିଆଯାଉ।

ଭୁବନେଶ୍ବରସ୍ଥିତ ବ୍ରହ୍ମେଶ୍ବର ସରକାରୀ ହାଇସ୍କୁଲ ଛାତ୍ରଛାତ୍ରୀ ୩୦ ମିନିଟ୍‌ରୁ ଅଧିକ ସମୟ ଧରି ରାସ୍ତା ଅବରୋଧ କରିବା ପରେ ସ୍କୁଲ କର୍ତୃପକ୍ଷଙ୍କୁ ଘେରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଜଣେ ଅଭିଭାବକ କହିଛନ୍ତି ଯେ ରେଜଲ୍ଟ ବାହାରିବା ଦିନରୁ ତାଙ୍କ ଝିଅ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା ଉଦ୍ୟମ କରିଛି। ୪୦୦ରୁ ଅଧିକ ମାର୍କ ରହିବ ବୋଲି ଆଶା କରିଥିବା ବେଳେ ମାତ୍ର ୨୧୫ ମାର୍କ ଆସିଛି। ଜଣେ ଛାତ୍ରୀ କହିଛନ୍ତି ଯେ ଯେଉଁ ପଦ୍ଧତିରେ ମୂଲ୍ୟାୟନ ହୋଇଛି ସେଥିରେ ହିସାବ କରାଗଲେ ୫୨୩ ନମ୍ବର ରହିବା କଥା। କିନ୍ତୁ ୪୫୮ ନମ୍ବର ଦିଆଯାଇଛି। ତେଣୁ ତ୍ରୁଟି ସଂଶୋଧନ କରାଯାଉ। ପୁରୀର ମଧୁବନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାଟ୍ରିକ୍ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ହେଉଛି ଯେ ସେମାନଙ୍କ ସ୍କୁଲ୍‌ର ସବୁ ପିଲାଙ୍କର ୨୯୩/୨୯୪ ଆଭେରେଜ ମାର୍କିଂ କରାଯାଇଛି। କମ୍‌ ଷ୍ଟାଣ୍ଡାର୍ଡ ପିଲାମାନେ ଅଧିକ ମାର୍କ ରଖିଥିବା ସେମାନେ ଅଭିଯୋଗ କହିଛନ୍ତି। ଛାତ୍ରଛାତ୍ରୀଙ୍କ ତୀବ୍ର ଅସନ୍ତୋଷ ଦେଖି ପୁରୀ ଜିଲ୍ଲାପାଳ ସାମର୍ଥ ବର୍ମା ଅଭିଯୋଗର ସମୀକ୍ଷା କରିବା ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଥିବା ଗଣମାଧ୍ୟମକୁ କହିଛନ୍ତି। ଭଦ୍ରକ ପୁରୁଣା ବଜାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, କଟକ ଜିଲ୍ଲା ସାଲେପୁରସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଗଞ୍ଜାମ ଜିଲ୍ଲା ଭଞ୍ଜନଗରସ୍ଥିତ ସାଇ ଗୁରୁକୃପା ଆବାସିକ ବିଦ୍ୟାଳୟ ପିଲାମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଆଶ୍ଚର୍ଯ୍ୟର କଥା ହେଉଛି ଯେ ଯେଉଁ ପିଲା ୪୦% ମାର୍କ ପାଇବା ଲାଗି ଯୋଗ୍ୟ ନୁହେଁ ତାକୁ ୮୩% ମାର୍କ ମିଳିଛି। ଆଉ ଯେଉଁ ପିଲା ୯୦% ମାର୍କ ରଖିବା କଥା ସେ ୭୦%ରୁ କମ୍ ରହିଛନ୍ତି। ସ୍କୁଲ ପକ୍ଷରୁ ପରିଷଦକୁ ଯେଉଁ ନମ୍ବର ଦିଆଯାଇଥିଲା ତାହା ବାହାରି ନାହିଁ। ମାର୍କ କେଉଁଠି କଟିଛି ତାହା ବି ଆମେ କହିପାରିବୁ ନାହିଁ। ଭଞ୍ଜନଗରର ଜଣେ ଶିକ୍ଷୟିତ୍ରୀ ଆଜି ଏଭଳି ଅଭିଯୋଗ ଆଣିଛନ୍ତି। ରେଜଲ୍ଟ ପ୍ରକାଶର ଦୁଇ ଦିନ ପରେ ରାଜ୍ୟରେ ଏଭଳି ଆନ୍ଦୋଳନକୁ ନେଇ ପ୍ରଶ୍ନ ଉଠିଛି। ସତରେ କ’ଣ ମୂଲ୍ୟାୟନରେ ତ୍ରୁଟି ହୋଇଛି? ଶିକ୍ଷାବିତ୍‌ଙ୍କ ମତରେ ମାଟ୍ରିକ ଫଳ ପ୍ରକାଶ ପରେ କଟକ ଜିଲ୍ଲା କିଶନନଗର ତହସିଲ୍‌ ଅନ୍ତର୍ଗତ ୨୨ଟି ସ୍କୁଲର ଛାତ୍ରଛାତ୍ରୀଙ୍କ ମାର୍କ ସଂଶୋଧିତ ହୋଇଛି। ୫୦%ରୁ କମ୍‌ ମାର୍କ ରହିଥିବା ଏହି ସବୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମାର୍କ ବୃଦ୍ଧି ପାଇଛି। ତେଣୁ ଅନ୍ୟ ବିଦ୍ୟାଳୟଗୁଡ଼ିକ କ୍ଷେତ୍ରରେ ସେଭଳି ହୋଇ ନ ଥିବ ବୋଲି ମାନେ କ’ଣ ଅଛି? ପିଲାମାନେ ଯେଉଁ ଅଭିଯୋଗ କରୁଛନ୍ତି ସେଥିରେ ସତ୍ୟତା ରହିଥାଇପାରେ। ପରିଷଦ କର୍ତୃପକ୍ଷ ତାହାର ଅନୁଧ୍ୟାନ କରି ସମାଧାନ କରନ୍ତୁ। ‌ଯେଉଁ ପିଲାର ମାର୍କ କମିଛି ସେ ଅଫ୍‌ଲାଇନ୍‌ ପରୀକ୍ଷା ଦିଅନ୍ତୁ ବୋଲି ପରିଷଦର ସଭାପତି ରାମାଶିଷ ହାଜରା ଯେଉଁଭଳି ଖାମଖିଆଲି ମନ୍ତବ୍ୟ ଦେଇଛନ୍ତି ତାହା ଆଦୌ ଯୁକ୍ତିଯୁକ୍ତ ନୁହେଁ। କାରଣ ଯଦି ମାର୍କିଂରେ ପରିଷଦ ଭୁଲ୍‌ କରିଛି ତେବେ ପିଲା କାହିଁକି ପରୀକ୍ଷା ଦେବେ। ତ୍ରୁଟି ସଂଶୋଧନ କରାଯାଉ। ସବୁ ପିଲାଙ୍କୁ ନ୍ୟାୟ ମିଳୁ।

ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ମାଟ୍ରିକ ରେଜଲ୍ଟ ବିଭ୍ରାଟର ସମାଧାନ ଲାଗି ପରିଷଦ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଅଭିଯୋଗ ସେଲ କରାଯାଉ। ୨୪ ଘଣ୍ଟା ମଧ୍ୟରେ ଯେପରି ସମସ୍ୟାର ସମାଧାନ ହେବ ସେଦିଗରେ ପଦକ୍ଷେପ ନିଆଯାଉ। ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବା ସହ ପିଲାଙ୍କ ସମସ୍ୟାର ସମାଧାନ କରିବାକୁ ମହାସଂଘ ଅନୁରୋଧ କରିଛି।

ଅନ୍ୟପଟେ ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ଯେ ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ। ବିଦ୍ୟାଳୟ ପକ୍ଷରୁ ନବମର ୨ଟି ଓ ଦଶମରେ ତିନିଟି ଅଭ୍ୟାସ ପରୀକ୍ଷା ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି। ଏଥି ସହିତ ଗଣଶିକ୍ଷା ବିଭାଗର ମଡରେସନ୍ ପଲିସି ମଧ୍ୟ ଅନୁସରଣ କରାଯାଇଛି। ଏଥିରେ ଯଦି କୌଣସି ଛାତ୍ରଛାତ୍ରୀ ନମ୍ବର କମିଛି ବୋଲି କହୁଛନ୍ତି ବା ଅସନ୍ତୋଷ ବ୍ୟକ୍ତ କରୁଛନ୍ତି, ତେବେ‌ ସେମାନେ ଆଗାମୀ ଦିନରେ ଅଫଲାଇନରେ ପରୀକ୍ଷା ଦେଇପାରିବେ।

ସମ୍ବନ୍ଧିତ ଖବର