ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଧାନସଭା ଆସନରେ କଂଗ୍ରେସର ଗୋଷ୍ଠୀକନ୍ଦଳ ଚରମ ସୀମାରେ ପହଞ୍ଚିଛି। ଯାହାକି ତୁଟିବା ନାଁ ନେଉନି। ପ୍ରଫୁଲ୍ଲ ପ୍ରଧାନଙ୍କ ପ୍ରାର୍ଥିତ୍ବକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଥିବା ବେଳେ ଅସନ୍ତୁଷ୍ଟ ଗୋଷ୍ଠୀ ଘନଘନ ବୈଠକ ଡାକୁଛନ୍ତି। ପ୍ରାର୍ଥ ନବଦଳିଲେ ଦରକାର ପଡ଼ିଲେ ସାମୂହିକ ଇସ୍ତଫା ଦେବୁ ବୋଲି ଚେତାବନୀ ଦେଇଛନ୍ତି। ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୁଷ୍ଟ ଗୋଷ୍ଠୀ ପୂର୍ବରୁ ବହୁବାର ଅସନ୍ତୋଷ ଜାହିର କରିବା ସହ ରାଜ୍ୟ ସଭାପତିଙ୍କ ଦୃଷ୍ଟି ବି ଆକର୍ଷଣ କରିଥିଲେ। ଏହାମଧ୍ୟରେ ବାଲିଗୁଡ଼ା ଓ କଣ୍ଟାମାଳ ବିଧାନସଭା ଆସନରେ ଦଳର ପ୍ରାର୍ଥୀ ବଦଳାଯାଇଥିବା ବେଳେ ଘୁ.ଉଦୟଗିରି ନିର୍ବାଚନମଣ୍ଡଳୀ କ୍ଷେତ୍ରରେ କାହିଁକି ବ୍ୟତିକ୍ରମ ପରିଲକ୍ଷିତ ହେଲା ବୋଲି ଅସନ୍ତୁଷ୍ଟ ଗୋଷ୍ଠୀ ଅଭିଯୋଗ ଆଣିଛନ୍ତି। ଆଜି ବି ଦଳର ଅସନ୍ତୁଷ୍ଟ ନେତା ଓ କର୍ମୀ ସ୍ଥାନୀୟ ଏମ୍ଏମ୍ ହାଇସ୍କୁଲ୍ ନିକଟ ତୋଟାରେ ବୈଠକ ଡାକି ପ୍ରାର୍ଥୀ ବଦଳାଇବାକୁ ଦାବି କରିଛନ୍ତି।।
ତୃଣମୂଳସ୍ତରରେ କର୍ମକର୍ତ୍ତାଙ୍କ ଏହି ନିବେଦନକୁ ଯଦି ରାଜ୍ୟ ନେତୃବୃନ୍ଦ ଅଣଦେଖା କରନ୍ତି ତା’ହେଲେ ନିର୍ବାଚନମଣ୍ଡଳୀ ଅଧୀନ ୪ଟି ବ୍ଲକ୍ କଂଗ୍ରେସ କମିଟିର ବିଭିନ୍ନ ପଦପଦବିରେ ଥିବା ସମସ୍ତ କର୍ମକର୍ତ୍ତା ସମୂହ ଇସ୍ତଫା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ବୈଠକରେ ଘୁ.ଉଦୟଗିରି ବ୍ଲକ୍ କଂଗ୍ରେସ ସଭାପତି ସଦାନନ୍ଦ ନାୟକ, ଏସ୍ସି ସେଲ୍ ଜିଲ୍ଲା ସଭାପତି ପ୍ରଫୁଲ୍ଲ ଦିଗାଲ, ପଞ୍ଚାୟତ ସଭାପତି ସୁଧୀର ଦିଗାଲ, ଦାରିଙ୍ଗବାଡ଼ି ବ୍ଲକ୍ କୃଷକ ମୋର୍ଚ୍ଚା ସଭାପତି ଅମନ ନାୟକ, ଏସ୍ସି ସେଲ୍ ଜିଲ୍ଲା ଉପସଭାପତି ଅମୂଲ୍ୟ ନାୟକ, ରମେଶ ପ୍ରଧାନ, ହିରେନ କୁମାର ନାୟକ, ଟାରଜନ୍ ସାହୁ, ଜିଲ୍ଲା ସମ୍ପାଦିକା ଅଞ୍ଜୁମ ଅହମଦ, ୟୁଥ୍ କଂଗ୍ରେସ ବିଧାନସଭା ସଭାପତି ଦେବାଶିଷ ଦିଗାଲ, ବରିଷ୍ଠ କର୍ମୀ ଥମାସ ପ୍ରଧାନ ଓ ସହିଷ୍ଣୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ କଂଗ୍ରେସ ଦଳର କନ୍ଧମାଳ ସାଂସଦ ପ୍ରାର୍ଥୀ ଅମୀରଚାନ୍ଦ ନାୟକ ଘୁ.ଉଦୟଗିରି ଆସି ଏହି ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କୁ ଭେଟିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି।