ଭୁବନେଶ୍ବର : ଓଡ଼ିଶା କୃଷି ସେବା କ୍ୟାଡରର ବିଳମ୍ବିତ ପୁନର୍ବିନ୍ୟାସ ନେଇ ଅସନ୍ତୋଷ ପ୍ରକାଶ କରିଛି କୃଷି ସେବା ସଂଘ। ସଂଘ ପକ୍ଷରୁ କୁହାଯାଇଛି, ଦୁଇ ଦଶନ୍ଧି ମଧ୍ୟରେ କୃଷି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସ୍ବତନ୍ତ୍ର କୃଷି ବଜେଟ୍‌ କରାଯାଇଛି। ସେହି ଅନୁପାତରେ କ୍ୟାଡର୍‌ରେ ନୂତନ ପଦ ସୃଷ୍ଟି କରାଯାଇନାହିଁ।

Advertisment

ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ ଭାରତ ସରକାରଙ୍କ ୨୦୧୬ର ବିଜ୍ଞପ୍ତି ଅନୁସାରେ, କୃଷିଭିତ୍ତିକ ଶିକ୍ଷାକୁ ବୃତ୍ତିଗତ ଶିକ୍ଷାର ମାନ୍ୟତା ମିଳିଛି। ଏଥିଅନୁଯାୟୀ, ରାଜ୍ୟ ସରକାର ବୃତ୍ତିଗତ ଶିକ୍ଷାପ୍ରାପ୍ତ କ୍ୟାଡରମାନଙ୍କ ସହ ସମକକ୍ଷ କରି କୃଷି ବିଭାଗର ଅଧିକାରୀଙ୍କୁ ଗ୍ରୁପ୍‌ ‘ଏ’ରେ ନିଯୁକ୍ତି ପାଇଁ ଦୀର୍ଘ ଦିନ ହେଲା ଦାବି କରି ଆସୁଛନ୍ତି। ମାତ୍ର ସରକାର ନୂତନ ଭାବରେ ପୁନର୍ବିନ୍ୟାସ ନକରି ସୀମିତ ଅଧିକାରୀଙ୍କ ଉପରେ ଚାପ ଦେଇ କୃଷି ଯୋଜନା କାର୍ଯ୍ୟକାରୀ କରୁଛି। ପଦ ଖାଲି ହେଉଥିବାରୁ ଯୋଜନା କାର୍ଯ୍ୟକାରୀରେ ବାଧା ହେଉଛି। କୃଷି ଅଧିକାରୀମାନେ ନିରୁତ୍ସାହିତ ହେଉଛନ୍ତି। ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହୋଇଛି। ତେଣୁ ଯଥାଶୀଘ୍ର କ୍ୟାଡର୍‌ ପୁନର୍ବିନ୍ୟାସ ପାଇଁ ସଂଘ ପକ୍ଷରୁ ମନ୍ତ୍ରୀଙ୍କ ନିକଟରେ ଦାବି ହୋଇଛି।