ବାପୁ ପଣ୍ଡାଙ୍କ ଅଶ୍ଳୀଳ ଗୀତକୁ ତେଜୁଛି ଅସନ୍ତୋଷ; ବିଭିନ୍ନ ମହଲରୁ କାର୍ଯ୍ୟାନୁଷ୍ଠାନ ଦାବି, ଥାନାରେ ଅଭିଯୋଗ

ବାଲେଶ୍ବର/ଜଳେଶ୍ୱର : ଓଡ଼ିଆ ସାହିତ୍ୟର ଅନ୍ତୁଡ଼ିଶାଳ ବାଲେଶ୍ବର। ବ୍ୟାସକବି ଫକୀରମୋହନଙ୍କଠାରୁ ଆରମ୍ଭ କରି କବି ଦୀନକୃଷ୍ଣଙ୍କ ଭଳି ଅନେକ ପ୍ରଥିତଯଶା ସାରସ୍ବତ ସାଧକ ଏ ମାଟିରେ ଜନ୍ମଲାଭ କରି ଓଡ଼ିଶାକୁ ଗୌରାବାନ୍ବିତ କରିଛନ୍ତି। ସେମାନଙ୍କୁ ନେଇ ବାଲେଶ୍ବରବାସୀ ଗର୍ବ କରୁଥିଲାବେଳେ ସେଇଠି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଉପରେ କାଳିମା ଛିଟା ପକେଇଛନ୍ତି ବାଲେଶ୍ଵର ଜିଲ୍ଲାର କଣ୍ଠଶିଳ୍ପୀ ବାପୁ ପଣ୍ଡା ଓ ସଂଗୀତ ନିର୍ଦେଶକ ତଥା ଏସ୍‌ଏସ୍‌ ମ୍ୟୁଜିକ ୟୁଟ୍ୟୁବ ଚ୍ୟାନେଲର ମୁଖ୍ୟ ଗୋପୀନାଥ ପାଣିଗ୍ରାହୀ। ଓଡ଼ିଆ ଭାଷାକୁ କଦର୍ଯ୍ୟ କରି ଏବଂ ସେଥିରେ ଅଶ୍ଳୀଳ ଶବ୍ଦ ବ୍ୟବହାର କରି ଶ୍ରୀ ପାଣିଗ୍ରାହୀଙ୍କ ନିର୍ଦେଶନାରେ ବାପୁ ପଣ୍ଡା ଗାଇଥିବା ‘ପ୍ରେମ ଗୋଟେ କୀଳା…’ ଗୀତ ସୋସିଆଲ୍‌ ମିଡିଆରେ ପ୍ରସାର ହେବା ପରେ ଏହାକୁ ନିନ୍ଦା କରିଛନ୍ତି ସଂସ୍କୃତିପ୍ରେମୀ ଓ ସଚେତନ ନାଗରିକ।

ତେବେ ଏହି ଗୀତ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବା ସହ ଚ୍ୟାନେଲର ମୁଖ୍ୟ ଶ୍ରୀ ପାଣିଗ୍ରାହୀ ଏବଂ କଣ୍ଠଶିଳ୍ପୀ ବାପୁ ପଣ୍ଡାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏନେଇ ଆଜି ବାଲେଶ୍ବର କଳାକାର ସଂଘ ବରିଷ୍ଠ କଳାକାର ଲକ୍ଷ୍ମୀନାରାୟଣ ଘୋଷଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବାଲେଶ୍ବର ସହରର ଅଙ୍ଗାରଗଡ଼ିଆଠାରେ ଥିବା ଶ୍ରୀ ପାଣିଗ୍ରାହୀଙ୍କ ଏସଏସ୍‌ ମ୍ୟୁଜିକ ଷ୍ଟୁଡିଓରେ ଏହି ଗୀତଟି ପ୍ରସ୍ତୁତ ହୋଇ ୟୁଟ୍ୟୁବରେ ଭାଇରାଲ ହୋଇଥିବା ବେଳେ ଗୀତଟି ଅତ୍ୟନ୍ତ ଶ୍ରୁତିକଟୁ ହୋଇଛି। ସଭ୍ୟ ସମାଜରେ ଏହା କେବେବି ଗ୍ରହଣୀୟ ନୁହେଁ। ତୁରନ୍ତ ଏହି ଗୀତର ନିର୍ଦେଶକ, ପ୍ରଯୋଜକ ଓ କଣ୍ଠଶିଳ୍ପୀଙ୍କ ବିରୋଧରେ ପୁଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘର ସମ୍ପାଦକ ରାଜେନ୍ଦ୍ର ରାଉତ ଦାବି କରିଛନ୍ତି। କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଲେ ସଂଘ ଖୁବଶୀଘ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି।

ସେପ‌ଟେ ଜଳେଶ୍ବରର ଅଗ୍ରଣୀ ଯୁବ ସ୍ବେଚ୍ଛାସେବୀ ସଂଗଠନ ହେଲ୍‌ପ ଫର୍‌ ୟୁ ଫାଉଣ୍ଡେସନ ଆଜି ସ୍ଥାନୀୟ ଥାନାରେ ଏନେଇ ଏକ ଏତଲା ଦେଇଛି। କଣ୍ଠଶିଳ୍ପୀ ବାପୁ ପଣ୍ଡାଙ୍କ ସମେତ ସଙ୍ଗୀତ ନିର୍ଦ୍ଦେଶକ ଗୋପୀନାଥ ପାଣିଗ୍ରାହୀ ଓ ଏହି ଗୀତକୁ ପ୍ରସ୍ତୁତ କରିଥିବା ଏସ୍‌ଏସ୍‌ ମ୍ୟୁଜିକ ସଂସ୍ଥା ତୁରନ୍ତ ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ସଙ୍ଗଠନ ପକ୍ଷରୁ ଦାବି ହୋଇଛି। ଅନ୍ୟଥା କର୍ମକର୍ତ୍ତାମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଙ୍ଗଠନର ସଭାପତି ମାନସ ରଞ୍ଜନ ଧଳ, ସୁଜିତ୍ କାମିଳା, ତନ୍ମୟ ଚନ୍ଦ, ମହାପ୍ରସାଦ ପାତ୍ର, ନଗେନ୍ଦ୍ରନାଥ ବାରିକ, ତପନ କୁମାର ଦେ, ସୁଶାନ୍ତ ସାହୁ, ଗୈାରୀଶଙ୍କର ସିଟ୍, ଚିନ୍ମୟ କୁମାର ରାଉଳ, ବିଶ୍ଵଜିତ କରଣ, କାଳୀଚରଣ ଦାସ, ହରିଶ ଦତ୍ତ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର