ଗାନ୍ଧିଛକ: ସଦର ବ୍ଲକ୍‌ ଅଧୀନ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନାହାନ୍ତି। ତେଣୁ ସପ୍ତାହକୁ ଥରେ ଦୁଇଜଣ ଡାକ୍ତର ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରୁ ଏଠାକୁ ଡେପୁଟେସନ୍‌ରେ ଆସନ୍ତି। ଗୁରୁବାର ଦିନ ଡାକ୍ତରଙ୍କ ଆସିବା ବାରି ଥିଲା। ତେଣୁ ଅନେକ ମହିଳା ଓ ଶିଶୁ ଡାକ୍ତରଙ୍କ ପାଖକୁ ସକାଳ ୭ଟାରୁ ଆସିଥିଲେ। ହେଲେ ଡାକ୍ତରଙ୍କ ଦେଖା ନଥିଲା।

Advertisment

ତେବେ ଦିନ ୧୦ଟା ପର୍ଯ୍ୟନ୍ତ ଡାକ୍ତରମାନେ ନପହଞ୍ଚିବାରୁ ଲୋକମାନେ ପାଟିତୁଣ୍ଡ କରିବା ସହ ଡାକ୍ତରଖାନାର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବିନୟ କୁମାର ଦାସ ମହାପାତ୍ରଙ୍କୁ ଘେରିଥିଲେ। ଏହି ସମୟରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା. ଆରତୀ ଜେନା ଏବଂ ଶିଶୁରୋଗ ବିଶେଷଜ୍ଞ ଡା. ନମିତା ନାୟକ ଡାକ୍ତରଖାନାରେ ପହଞ୍ଚିଥିଲେ। ସେମାନଙ୍କୁ ଦେଖିବା ପରେ ଉତ୍ତେଜନା ବଢ଼ିଥିଲା। ଲୋକେ ଉଭୟ ଡାକ୍ତରଙ୍କୁ ଡାକ୍ତରଖାନା ଭିତରକୁ ଛାଡ଼ି ନଥିଲେ। ତେବେ ଡାକ୍ତର ଦାସ ମହାପାତ୍ର ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।