ଫୁଲବାଣୀ : ଫୁଲବାଣୀ ସରକାରୀ ମହାବିଦ୍ୟାଳୟରେ ଯୁକ୍ତ ତିନି ପରୀକ୍ଷାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପାଠ୍ୟଖସଡ଼ା ଶେଷ ନ କରି ପରୀକ୍ଷା କରାଯାଇଥିବା ସହ  ସିଲାବସ୍‌ ବାହାରୁ ପ୍ରଶ୍ନ ପଡ଼ିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ମହାବିଦ୍ୟାଳୟରେ ଆବଶ୍ୟକତା ଠାରୁ କମ୍‌ ସଂଖ୍ୟାରେ ଅଧ୍ୟାପକ ଥିବାରୁ ସଠିକ୍‌ ସମୟରେ ପାଠ୍ୟକ୍ରମ ଶେଷ ହୋଇ ପାରୁନି। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Advertisment

ଗତ ୪ ତାରିଖରେ ଯୁକ୍ତ ୩ କଳା ବିଭାଗ ସେମିଷ୍ଟର୍ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା। ହେଲେ ପରୀକ୍ଷା ଦେଇଥିବା ୩୧୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୩ ଜଣ ଫେଲ୍‌ ହୋଇଛନ୍ତି। ଏନେଇ ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିବା ସହ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ପରୀକ୍ଷାରେ କୃତକାର୍ଯ୍ୟ କରିଥିବା ୨୦୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫୦ରୁ ଅଧିକ ପିଲାଙ୍କୁ ଡିଷ୍ଟିଙ୍କ୍‌ସନରୁ ବଞ୍ଚିତ କରାଯାଇଛି। କେବଳ କମ୍ୟୁନିକେଟିଭ ଇଂଲିଶ ଲାଗି ଏପରି କରାଯାଇଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ କୁହାଯାଇଥିଲା ଯେ, ବ୍ୟାକରଣରୁ ୪୦ ମାର୍କ, ସବ୍‌ଜେକ୍ଟିଭରୁ ୪୦ ମାର୍କ ଏବଂ ୪ଟି ୟୁନିଟରୁ ପ୍ରଶ୍ନ ପଡ଼ିବ।

ମାତ୍ର, ପରୀକ୍ଷାରେ ପାଠ୍ୟଖସଡ଼ା ବାହାରୁ ପ୍ରଶ୍ନ ଆସିଥିବାରୁ ପରୀକ୍ଷାର୍ଥୀମାନେ ଭଲ କରିପାରିନାହାନ୍ତି। ସେହିଭଳି ପିଲାମାନଙ୍କୁ ଆଭ୍ୟନ୍ତରୀଣ ମାର୍କ ୨୦ ନମ୍ବର ପର୍ଯ୍ୟନ୍ତ ଦେବାର ବ୍ୟବସ୍ଥା ରହିଥିବାବେଳେ ଉଦ୍ଦେଶ୍ୟମୂଳକ ଭାବେ ପିଲାମାନଙ୍କୁ ମାତ୍ର ୫ରୁ ୬ ନମ୍ବର ଦିଆଯାଇଛି। ଫଳରେ ବହୁ ଛାତ୍ରଛାତ୍ରୀ ଫେଲ୍‌ ହେବା ସହିତ ଡିଷ୍ଟିଂସନରୁ ବଞ୍ଚିତ ହୋଇଛନ୍ତି। ଯେଉଁ ସମୟରେ ତୃତୀୟ ବର୍ଷ ପରୀକ୍ଷା ହେବା କଥା ସେତେବେଳେ କରୋନା ମହାମାରୀ ଯୋଗୁଁ ତାହା ସମ୍ଭବ ହୋଇପାରି ନଥିଲା।

ଅନ୍ୟ କଲେଜମାନଙ୍କରେ ଅନ୍‌ଲାଇନ ମାଧ୍ୟମରେ ପରୀକ୍ଷା ହୋଇଥିବାବେଳେ ଏହି କଲେଜରେ କରାଯାଇ ନଥିଲା। ଅଫ୍‌ଲାଇନ ପରୀକ୍ଷା କରାଯାଇଥିଲେ ବି ପାଠ୍ୟଖସଡ଼ା ଶେଷ ନ କରି ପରୀକ୍ଷା କରାଯାଇଥିଲା। ଏ ନେଇ କଲେଜ କର୍ତ୍ତୃପକ୍ଷ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ସ୍ଥିତି ଭୟଙ୍କର ହେବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି। ଅଧ୍ୟାପକଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ଛାତ୍ରଛାତ୍ରୀ ଏହାର ଶିକାର ହେଉଛନ୍ତି ବୋଲି କେତେକ ଛାତ୍ର ଅଭିଯୋଗ ଆଣିଛନ୍ତି।

ଏ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ଛାତ୍ରଛାତ୍ରୀମାନେ ପୂର୍ବରୁ ଅର୍ଥାତ୍‌ ପରୀକ୍ଷା ସମୟରେ ଏଭଳି କୌଣସି ଅଭିଯୋଗ କରିନାହାନ୍ତି। ଏବେ ଏଭଳି ଅଭିଯୋଗ ଆଣିବା ପଛରେ ଉଦ୍ଦେଶ୍ୟ କ'ଣ ରହିଛି। ଛାତ୍ରଛାତ୍ରୀମାନେ ଆନ୍ଦୋଳନ ନ କରି ବରଂ ପାଠପଢ଼ାରେ ଧ୍ୟାନ ଦିଅନ୍ତୁ ବୋଲି ଅଧ୍ୟକ୍ଷ ଶ୍ରୀ ବେହେରା କହିଛନ୍ତି।