ରାଜ୍ୟ ସିଲେକ୍ସନ ବୋର୍ଡର ୧୭୧ ପଦରେ ନିଯୁକ୍ତି ନେଇ ଅସନ୍ତୋଷ, ମାସେ ହେଲା ଯାଞ୍ଚ କରୁଛି ମେଡିକାଲ ବୋର୍ଡ

ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ପଦର ଫଳାଫଳ ପ୍ରକାଶ ପାଉନି

ଭୁବନେଶ୍ବର: ଭିନ୍ନକ୍ଷମଙ୍କ ପ୍ରତି ଅନ୍ୟାୟ କରୁଛି ରାଜ୍ୟ ସିଲେକ୍ସନ ବୋର୍ଡ । ଉଚ୍ଚଶିକ୍ଷା ବିଭାଗ ଅନ୍ତର୍ଗତ ୧୭୧ ପଦ ପାଇଁ ପ୍ରବେଶିକା ପରୀକ୍ଷା ପ୍ରକାଶିତ ହୋଇ ମନୋନୀତ ସାଧାରଣ ବର୍ଗର ୧୫୧ ଜଣ କାର୍ଯ୍ୟ ଆରମ୍ଭ କରି ସାରିଲେଣି। ମାତ୍ର ଭିନ୍ନକ୍ଷମ ପାଇଁ ସଂରକ୍ଷିତ ୮ ପଦ ପାଇଁ ବର୍ତ୍ତମାନ ସୁଦ୍ଧା ଫଳାଫଳ ଘୋଷଣା ହୋଇନାହିଁ। କେବେ ଫଳାଫଳ ଘୋଷଣା ହେବ ଏହାକୁ ନେଇ ରାଜ୍ୟ ସିଲେକ୍ସନ ବୋର୍ଡ ସ୍ପଷ୍ଟ ସୂଚନା ମଧ୍ୟ ଦେଇ ନାହିଁ। ଏ ସଂକ୍ରାନ୍ତରେ ଭିନ୍ନକ୍ଷମ ପ୍ରାର୍ଥୀମାନେ ପ୍ରଥମେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ(ଏସ୍‌ଏସ୍‌ଇପିଡି) ଏବଂ ପରେ ରାଜ୍ୟ ସିଲେକ୍ସନ ବୋର୍ଡ ସଭାପତିଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ୨୦୨୦ ମସିହାରେ ଉଚ୍ଚଶିକ୍ଷା ବିଭାଗ ଅନ୍ତର୍ଗତ ବିଭିନ୍ନ କଲେଜରେ ଖାଲି ପଡ଼ିଥିବା କନିଷ୍ଠ ସହକାରୀ ୧୫୯ ଏବଂ କନିଷ୍ଠ ଷ୍ଟେନୋଗ୍ରାଫର ୧୨ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା। ଏଥିରେ ସମୁଦାୟ ୮ଟି ପଦ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ଥିଲା। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ ଏବଂ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା। ୨୦୨୦ ମସିହା ଡିସେମ୍ବର ମାସରେ ପ୍ରବେଶିକା ପରୀକ୍ଷା ହୋଇ ଚଳିତ ବର୍ଷ ସେପ୍ଟେମ୍ବର ମାସ ୨୪ ତାରିଖରେ ଫଳାଫଳ ମଧ୍ୟ ପ୍ରକାଶିତ ହୋଇଥିଲା। ମାତ୍ର ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ପଦର କୌଣସି ପ୍ରାର୍ଥୀଙ୍କ ଫଳାଫଳ ପ୍ରକାଶ ପାଇ ନଥିଲା। ଇତିମଧ୍ୟରେ ଏକ ମାସ ବିତିଗଲେ ମଧ୍ୟ ଫଳାଫଳ ପ୍ରକାଶ ପାଇ ନ ଥିବାରୁ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଏହାକୁ ନେଇ ରାଜ୍ୟ ସିଲେକ୍ସନ ବୋର୍ଡ ଅଧ୍ୟକ୍ଷ ଦକ୍ଷ ପ୍ରସାଦ ନନ୍ଦ କହିଛନ୍ତି, ଭିନ୍ନକ୍ଷମ ପ୍ରାର୍ଥୀଙ୍କ ଡାକ୍ତରୀ ପ୍ରମାଣପତ୍ର ଯାଞ୍ଚ ପାଇଁ ମେଡିକାଲ ବୋର୍ଡକୁ ପଠାଯାଇଛି। ଏହା ଶୀଘ୍ର ଆସିବ ବୋଲି ଆଶା କରାଯାଉଛି। ରିପୋର୍ଟ ଆସିବା ପରେ ସେମାନଙ୍କ ପରୀକ୍ଷା ଫଳାଫଳ ପ୍ରକାଶ କରାଯାଇ ନିଯୁକ୍ତି ଦିଆଯିବ। ଅନ୍ୟଦିଗରେ ଭିନ୍ନକ୍ଷମଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ସାମାଜିକ କର୍ମକର୍ତ୍ତାଙ୍କ କହିବା ଅନୁସାରେ, ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ଭିନ୍ନକ୍ଷମ ପ୍ରମାଣପତ୍ର ଯାଞ୍ଚ ପରେ ହିଁ ସମସ୍ତଙ୍କର ଏକା ସହିତ ଫଳାଫଳ ପ୍ରକାଶ କରାଯିବା ଉଚିତ। ୮ ପ୍ରାର୍ଥୀଙ୍କ ଭିନ୍ନକ୍ଷମ ପ୍ରମାଣପତ୍ର ଯାଞ୍ଚ ମାସେ ପର୍ଯ୍ୟନ୍ତ କିଭଳି ଚାଲିଛି ଏହାକୁ ନେଇ ପ୍ରଶ୍ନବାଚୀ ରହିଛି। ବର୍ତ୍ତମାନ ସମାନ ସମୟରେ ସମାନ ପରୀକ୍ଷା ଦେବା ପରେ ମଧ୍ୟ ଅଣଭିନ୍ନକ୍ଷମ ବ୍ୟକ୍ତିଙ୍କ ଆଗୁଆ ନିଯୁକ୍ତି ଯୋଗୁଁ ସେମାନେ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ଠାରୁ ଚାକିରିରେ ବରିଷ୍ଠତା ପାଇବେ। ଏଥିଯୋଗୁଁ ପଦୋନ୍ନତି ଏବଂ ଅନ୍ୟାନ୍ୟ ଭତ୍ତା ସଂକ୍ରାନ୍ତରେ ଭିନ୍ନକ୍ଷମ ପ୍ର‌ାର୍ଥୀମାନେ କ୍ଷତିଗ୍ରସ୍ତ ହେବେ।

ବଡ଼ କଥା ହେଲା; ଏଭଳି ପାତରଅନ୍ତର ପ୍ରଥମ ଥର ପାଇଁ ହେଉ ନାହିଁ। ଓଇଏସ୍‌ ପଦ ପାଇଁ ମନୋନୀତ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ନିଯୁକ୍ତି ସମସାମୟିକ ଅଣଭିନ୍ନକ୍ଷମଙ୍କ ଠାରୁ ୭୨ ଦିନ ବିଳମ୍ବରେ ହେଲା। ଏଥିଯୋଗୁଁ ସେମାନେ ମାନସିକ ଚାପରେ ରହିବା ସହିତ ଚାକିରିରେ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି। ଗଣତାନ୍ତ୍ରିକ ଏବଂ ସମାଜ ମଙ୍ଗଳ ବ୍ୟବସ୍ଥାରେ ଭିନ୍ନକ୍ଷମଙ୍କୁ ଅଧିକ ସୁଯୋଗ ଦିଆଯିବା ଉଚିତ। ରାଜ୍ୟରେ ଏହା ତ ହେଉ ନାହିଁ; ଅଣଭିନ୍ନକ୍ଷମଙ୍କ ଭଳି ସମାନ ସୁଯୋଗ ବି ସେମାନେ ପାଉ ନାହାନ୍ତି।

ସମ୍ବନ୍ଧିତ ଖବର