ସ୍ମାର୍ଟପାର୍କ ନିର୍ମାଣକୁ ନେଇ ଅସନ୍ତୋଷ, ସ୍ଥାନ ବଦଳାଇବାକୁ ନାଗରିକ ମଞ୍ଚର ଦାବିପତ୍ର

ଟିଟିଲାଗଡ଼ : ଟିଟିଲାଗଡ଼ରେ ସ୍ମାର୍ଟପାର୍କ ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ନାଗରିକ ମଞ୍ଚ। ଏହାର ସ୍ଥାନ ପରିବର୍ତ୍ତନ ପାଇଁ ସୋମବାର ମଞ୍ଚ ପକ୍ଷରୁ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଛି। ମିନିଷ୍ଟାଡିୟମରେ ନିର୍ମାଣ ଚାଲିଥିବା ସ୍ମାର୍ଟପାର୍କ କାମ ବନ୍ଦ କରିବା ସହ ଟିଟିଡୁଙ୍ଗୁରି, ଟାଉନଫିଲଡ଼ ତଥା କୁମୁଡ଼ା ପାହାଡ଼ ନିକଟରେ ସ୍ଥାନ ଚୟନ କରି ନିର୍ମାଣ କାମ କରାଯିବାକୁ ମଞ୍ଚ ଦାବି କରିଛି। ଦାବିପତ୍ର ଦେବା ସମୟରେ ମଞ୍ଚର ସଭାପତି ରାଧାକାନ୍ତ ପାଢ଼ୀ, ସମ୍ପାଦକ ମୋହନଲାଲ ଜୈନ, ସଂଗଠନ ସମ୍ପାଦକ ମନୋଜ ହାତୀ, ସଦସ୍ୟ ଅଞ୍ଜଳି ବେହେରା, ପଦ୍ମନାଭ ବେହେରା, ସଂଜୀବ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ ଶ୍ରୀ ମହାଜନ ମଧ୍ୟ ଦାବିପତ୍ର ଗ୍ରହଣ କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସୂଚନାଯୋଗ୍ୟ ଯେ ଟିଟିଲାଗଡ଼ ସହରରେ ବିଭିନ୍ନ ଉନ୍ନୟନ ମୂଳକ କାମ ପାଇଁ ଖସଡ଼ା ମାନ ପ୍ରସ୍ତୁତ ହୋଇ କୋଟି କୋଟି ଟଙ୍କା ଅନୁଦାନ ଆସୁଛି। ହେଲେ ଏସବୁ ଅନୁଦାନ ଯୋଜନାବିହୀନ ଭାବରେ ଖର୍ଚ୍ଚ କରାଯାଉଛି ବୋଲି ନାଗରିକ ମଞ୍ଚ ଅଭି‌ଯୋଗ କରିଛି। ଏନେଇ ରବିବାର ସ୍ଥାନୀୟ ହୋଟେଲ ୟସ୍‌ଠାରେ ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ମିନିଷ୍ଟାଡିୟମଠାରେ ସ୍ମାର୍ଟପାର୍କ ନିର୍ମାଣକୁ ମଞ୍ଚ ବିରୋଧ କରିଛି। ଉକ୍ତ ମିନି ଷ୍ଟାଡିୟମରେ ଅନେକ ସମୟରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାମାନେ ହେଉଛି। ପୁଣି ସ୍କୁଲ, କଲେଜର ବାର୍ଷିକ ଖେଳକୁଦ ପ୍ରତିଯୋଗିତା ମଧ୍ୟ ହେଉଛି। ଏମିତି ସ୍ଥଳେ ସ୍ମାର୍ଟପାର୍କର ପରିକଳ୍ପନା ହାସ୍ୟାସ୍ପଦ ବୋଲି ମଞ୍ଚ ଅଭିଯୋଗ କରିଛି। ମଞ୍ଚର ସଭାପତିଙ୍କ କହିବା ହେଲା, ଉକ୍ତ ପଡ଼ିଆକୁ କେବଳ କ୍ରୀଡ଼ାବିତମାନଙ୍କ ପ୍ରଶିକ୍ଷଣ, ଖେଳକୁଦ ତଥା କ୍ରୀଡ଼ାର ବିକାଶ ପାଇଁ ଉନ୍ନୟନ କାମ କରିପାରିବେ। କିନ୍ତୁ ସ୍ମାର୍ଟପାର୍କ ପାଇଁ କୌଣସି ଚୁକ୍ତି ହୋଇ ନାହିଁ। ଏଣୁ ଯଥାଶୀଘ୍ର ଉକ୍ତ ସ୍ଥାନରୁ ସ୍ମାର୍ଟପାର୍କକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ମଞ୍ଚ ଦାବି କରିଛି। ତୁରନ୍ତ ଟେଣ୍ଡରକୁ ରଦ୍ଦ କରିବା, ନିର୍ମାଣ କାମ ବନ୍ଦ କରିବା ସହ ଅନ୍ୟ ସ୍ଥାନରେ ସ୍ମାର୍ଟପାର୍କ ନିର୍ମାଣ କରିବାକୁ ମଞ୍ଚର ସଭାପତି ରାଧାକାନ୍ତ ପାଢ଼ୀ ଦାବି କରିଛନ୍ତି।

ଏହାଛଡ଼ା ମନ୍ଥର ଗତିରେ ଚାଲିଥିବା ସ୍ଥାନୀୟ ମହାରାଜା ସାଗର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା, ଦେଓବନ୍ଧର ଉପଯୁକ୍ତ କାର୍ଯ୍ୟ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା, ଟିଟିଲାଗଡ଼ ଥାନା ସମ୍ମୁଖରେ ହେବାକୁଥିବା ସାପ୍ତାହିକ ହାଟ ଏସ୍‌ଏଚ୍‌ଜି ହାଟକୁ ସ୍ଥାନାନ୍ତର କରିବା, ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଟ୍ରାଫିକ୍‌ ସମସ୍ୟାର ସମାଧାନ କରିବା, ପାର୍କିଂ ବ୍ୟବସ୍ଥା ନଥିବା ବ୍ୟାଙ୍କଗୁଡିକୁ ମୁଖ୍ୟ ରାସ୍ତାରୁ ହଟାଇ ଅନ୍ୟତ୍ର ରଖିବା ଆଦି ଦାବି କରିଥିଲା ନାଗରିକ ମଞ୍ଚ। ଏହି ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ସଭାପତିଙ୍କ ସମେତ ସମ୍ପାଦକ ମୋହନ ଜୈନ, କାର୍ଯ୍ୟକାରୀ ସମ୍ପାଦକ ମନୋଜ ହାତୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର