ତେଲକୋଇ: ତେଲକୋଇ ବ୍ଲକ୍‌ କାକୁଡ଼ିଅମ୍ବା ନିକଟରେ କ୍ରସର ୟୁନିଟ୍‌ ପ୍ରତିଷ୍ଠାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି। ବିନା ପଲ୍ଲୀସଭାରେ କ୍ରସର ପ୍ରତିଷ୍ଠା ପାଇଁ ଚାଲିଥିବା ଉଦ୍ୟମକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଆଜି ଏନେଇ ଗ୍ରାମ ମଣ୍ଡପରେ ଏକ ବୈଠକ ବସିଥିଲା। ପରେ ଗ୍ରାମବାସୀ ତେଲକୋଇ ବ୍ଲକ୍‌ କାର୍ଯ୍ୟାଳୟରେ ଚାଲିଥିବା ଅଭିଯୋଗ ଶୁଣାଣିକୁ ଆସି ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କ୍ରସର ପ୍ରତିଷ୍ଠା ପାଇଁ ଚିହ୍ନଟ‌ ହୋଇଥିବା ସ୍ଥାନ ତେଲକୋଇ ଓ ବାଂଶପାଳ ବ୍ଲକ୍‌ ସୀମାରେ ରହିଛି। କ୍ରସର ପ୍ରତିଷ୍ଠା ହେଲେ ତେଲକୋଇ ଅଞ୍ଚଳର ଲୋକେ ଅଧିକ କ୍ଷୟକ୍ଷତି ହେବ।

Advertisment

ପ୍ରସ୍ତାବିତ ସ୍ଥାନଠାରୁ ମାତ୍ର ୩୦୦ ମିଟର ଦୂରରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଅଛି। କ୍ରସର ଚାଲିଲେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ। ସେହିପରି ଏଠାରେ ଏଠାରେ ଏକ କ୍ରସର ଚାଲିଥିଲା। ଅମ୍ବରସା ଗ୍ରାମର ଭରତ ସନଙ୍ଗି ନାମକ ଜଣେ ଯୁବକ କ୍ରସର୍ ଚାପି ହୋଇ ପ୍ରାଣ ହରାଇଥିଲେ। ଏନେଇ ଅମ୍ବରସା ଗ୍ରାମର ଲୋକେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ସହ କ୍ରସର ବନ୍ଦ କରିବାକୁ ଦାବି କରିଥିଲେ। କିଛିଦିନ ପରେ କ୍ରାସରଟି ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିଲା। ବର୍ତ୍ତମାନ ପୁଣି ଏଠାରେ ଆଉ ଏକ କ୍ରସର ୟୁନିଟ୍‌ ବସାଇବା ପାଇଁ ଯୋଜନା ଚାଲିଛି। ଏଥିପାଇଁ ଅମ୍ବରସା ଗ୍ରାମର ଏକ ପଡ଼ିଆରେ ମୋବାଇଲ କ୍ରସର ୟୁନିଟ୍‌, ଡିଜି ରଖାଯାଇଛି। ଏହାକୁ ଗ୍ରାମବାସୀ ତୀବ୍ର ବିରୋଧ କରିବା ସହ ଏଠାରେ କ୍ରସର ନ ବସାଇବାକୁ ଦାବି କରିଛନ୍ତି।