ପର୍ଯ୍ୟଟନର ଭିତ୍ତିଭୂମି ବଢ଼ୁ ନଥିବାରୁ ଅସନ୍ତୋଷ

ପୁରୀରେ ପାରୁଛ, ଅନ୍ୟ ଆଡ଼େ ଅସୁବିଧା କ’ଣ? ଦେଓମାଳିର ବିକାଶ ପାଇଁ ଧାରଣା ଦେଲେ ତାରା

ଭୁବନେଶ୍ବର : ରାଣୀପୁର ଝରିଆଲ୍‌ ଠାରୁ ଆରମ୍ଭ କରି ହୀରାପୁର ଯାଏ। ଦେଓମାଳି ଠାରୁ ଆରମ୍ଭ କରି ଶିମିଳିପାଳ ଯାଏ। ସବୁଠି ପର୍ଯ୍ୟଟନର ଭରପୂର ସମ୍ଭାବନା। କିନ୍ତୁ ଦୁର୍ବଳ ଭିତ୍ତିଭୂମି ଏହି ସମ୍ଭାବନାର ବାଟ ଓଗାଳୁଛି। ସରକାର ଠୋସ୍‌ ପଦକ୍ଷେପ ନେଉ ନଥିବାରୁ ରାଜ୍ୟରେ ପର୍ଯ୍ୟଟନର ବିକାଶ ଆଖିଦୃଶିଆ ହେଉ ନାହିଁ। ଆଜି ପ୍ରଶ୍ନକାଳରେ ଏମିତି ଉଦ୍‌ବେଗ ପ୍ରକାଶ କରିଥିଲେ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ। କେବଳ ପ୍ରତିଶ୍ରୁତି ନ ଦେଇ ମନ୍ତ୍ରୀ କିଛି ପଦକ୍ଷେପ ନେବା ପାଇଁ ସେମାନେ ଦାବି କରିଥିଲେ।

ମେକ୍‌ ଇନ୍‌ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆସିଥିବା ପ୍ରସ୍ତାବ ଓ ରାଣୀପୁର ଝରିଆଲ ୬୪ ଯୋଗିନୀ ମନ୍ଦିରର ବିକାଶ ସଂକ୍ରାନ୍ତରେ କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ମୂଳ ପ୍ରଶ୍ନ କରିଥିଲେ। ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଉତ୍ତର ଦେଇଥିଲେ, ମେକ୍ ଇନ୍ ଓଡ଼ିଶାରୁ ଆସିଥିବା ୧୨୨ଟି ପର୍ଯ୍ୟଟନ ପ୍ରକଳ୍ପକୁ ଓଡ଼ିଶା ସରକାର ସିଙ୍ଗଲ୍‌ ୱିଣ୍ଡୋ ସିଷ୍ଟମ ମାଧ୍ୟମରେ ଅନୁମୋଦନ ଦେଇଛନ୍ତି। ୬୪ ଯୋଗନୀ ପୀଠ ଏଏସ୍‌ଆଇ ଅଧୀନରେ ଆସୁଛି। ସେଠାରେ ରାଜ୍ୟ ସରକାର ସିଧାସଳଖ କିଛି କରିପାରିବେନି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ବି ଏଏସ୍‌ଆଇ ଅଧୀନରେ ଅଛି। ସେଠାରେ ପୁଣି ବିକାଶ ପାଇଁ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିପରି? ଯଦି ସେଠାରେ ହୋଇପାରୁଛି, ତେବେ ରାଣୀପୁର-ଝରିଆଲ୍‌ରେ କାହିଁକି ନୁହେଁ? ସରକାର ବାଟ ବାହାର କରନ୍ତୁ। ସେହିପରି ବଲାଙ୍ଗୀରର ଭୀମପାହାଡ଼ର ବିକାଶ ପାଇଁ ପଦକ୍ଷେପ ନେବାକୁ ସେ କହିଥିଲେ। ଶାସକ ଦଳ ସଭ୍ୟ ଅରବିନ୍ଦ ଢାଲି ହୀରାପୁରର ୬୪ ଯୋଗିନୀ ପୀଠର ବିକାଶ ପାଇଁ ପୂର୍ବରୁ ମଞ୍ଜୁର ହୋଇଥିବା ୮ କୋଟି ଟଙ୍କା ଖର୍ଚ୍ଚ ହେଉ ନଥିବାରୁ ଉଦ୍‌ବେଗ ପ୍ରକାଶ କରିଥି‌ଲେ।

କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଲେ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନ ବିକାଶ ପାଇଁ କେତେ ଅର୍ଥ ଦିଆଯାଇଛି? ୨୦ ବର୍ଷ ଭିତରେ ଦେଓମାଳି ପର୍ଯ୍ୟଟନର ବିକାଶ ପାଇଁ କେତେ ଖର୍ଚ୍ଚ କରିଛ? ଉପକୂଳ ଅଞ୍ଚଳରେ ଯେପରି ବିକାଶ ହେଉଛି, କୋରାପୁଟରେ ପର୍ଯ୍ୟଟନର ବିକାଶ ପାଇଁ କ’ଣ କରୁଛ? ବାରମ୍ବାର କୋରାପୁଟ ଓ ଦେଓମାଳିକୁ ଅବହେଳା କରାଯାଉଥିବା ଅଭିଯୋଗ ଆଣି ଶ୍ରୀ ବାହିନୀପତି ବାଚସ୍ପତିଙ୍କ ପୋଡିୟମ୍‌ ତଳେ ଧାରଣା ଦେଇଥିଲେ। ଶ୍ରୀ ବାହିନୀପତିଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ ଏ ସଂକ୍ରାନ୍ତରେ ବ୍ୟକ୍ତିଗତ ଭାବେ ଆଲୋଚନା କରିବାକୁ ବାଚସ୍ପତି କହିଥିଲେ। ଏହା ପରେ ଶ୍ରୀ ବାହିନୀପତିଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ସନ୍ତୋଷ ସିଂହ ସାଲୁଜା ବୁଝାଇ ତାଙ୍କ ଆସନକୁ ଫେରାଇ ଆଣିଥିଲେ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ମାଷ୍ଟର୍‌ ପ୍ଲାନ୍ ହେଉ ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ଶାସକ ଦଳ ସଭ୍ୟ ରାଜକିଶୋର ଦାସ ଶିମିଳିପାଳରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ନେବାକୁ କହିଥିଲେ। ବିଷ୍ଣୁବ୍ରତ ରାଉତରାୟ, ସୁକାନ୍ତ ନାଏକ ଓ କୁସୁମ ‌ଟେଟେ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର