କଟକ: କଟକ ମହାନଗର ନିଗମକୁ ବିଜେଡି ନିରଙ୍କୁଶ ଭାବେ ଦଖଲ କରିବାପରେ ବି ସବୁ କିଛି ଠିକ୍ ଚାଲିନାହିଁ କି? ମେୟର ଓ ଦଳର କର୍ପୋରେଟର୍ଙ୍କ ଭିତରେ ତାଳମେଳ କି ସଂପର୍କ ରହୁନାହିଁ କି? ଯେଉଁ କାମ ଯେଉଁ ଭଳି ଢଙ୍ଗରେ ହେବା କଥା, ତାହା ହେଉନାହିଁ କି? ଏଭଳି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଗତକାଲି ଅନୁଷ୍ଠିତ ବିଜେଡିର ଏକ ରୁଦ୍ଧଦ୍ବାର ବୈଠକକୁ ନେଇ ମୁଣ୍ଡ ଟେକିଛି। ଏଥିସହିତ, ମେୟରଙ୍କୁ ନେଇ ଅସନ୍ତୋଷ କୁହୁଳୁଥିବା ନେଇ ବି ଚର୍ଚ୍ଚା ଚାଲିଛି। କଟକର ଦ୍ବାରକା ହୋଟେଲରେ ଏହି ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ହୋଇଥିଲା। କଟକ ପୌର ନିଗମର ସମସ୍ତ ବିଜେଡି କର୍ପୋରେଟର, ବିଜେଡିର ସହଯୋଗୀ କର୍ପୋରେଟର, ଡେପୁଟି ମେୟର ଓ ମେୟର ସମସ୍ତେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ, କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ, ନଗର ବିଜେଡି ସଭାପତି ମଧୁସୂଦନ ସାହୁ, ବିଧାୟକ ଚନ୍ଦ୍ରସାରଥି ବେହେରା, ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ ପ୍ରମୁଖ ବି ଉପସ୍ଥିତ ଥିଲେ। ପ୍ରଥମଥର ପାଇଁ ସିଧାସଳଖ ମେୟର ନିର୍ବାଚନ ପରେ ଯେଉଁପ୍ରକାର ସ୍ଥିତି ସୃଷ୍ଟି ହୋଇଛି, ସେଥିରେ ଦଳର କର୍ପୋରେଟରମାନେ ଯେ ଖୁସି ନାହାନ୍ତି ବରଂ ଅସନ୍ତୋଷରେ କୁହୁଳୁଛନ୍ତି, ତାହା ବୈଠକରେ ଅନୁଭବ ହୋଇଥିଲା। ମେୟର ସୁବାସ ସିଂହ ନିଜ ଢଙ୍ଗରେ ବିଭିନ୍ନ ୱାର୍ଡକୁ ଯାଉଛନ୍ତି। କାମ ଅନୁଧ୍ୟାନ ସହ ସ୍ଥିତି ପରଖୁଛନ୍ତି। କିନ୍ତୁ କର୍ପୋରେଟର କିମ୍ବା ଅଞ୍ଚଳର ଦଳୀୟ କର୍ମୀଙ୍କ ସହିତ ତାଙ୍କର ସମନ୍ବୟ କି ସଂପର୍କ ରହୁନାହିଁ। ଆଉ ଦୁଇ ବର୍ଷରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥିରେ ଦଳ କିଭଳି ସୁଦୃଢ ହେବ ବୋଲି ପ୍ରଶ୍ନ ଉଠିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ସଦର ନିର୍ବାଚନମଣ୍ଡଳୀର ୬ଟି ୱାର୍ଡରେ ବିଜେଡି ଏଥର ଦୁର୍ବଳ ପ୍ରଦର୍ଶନ କରିଥିବାବେଳେ ସେହି ଅଞ୍ଚଳରେ ମେୟରଙ୍କ ଗତିବିଧିକୁ ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରିଥିଲେ ବିଧାୟକ ଚନ୍ଦ୍ରସାରଥି ବେହେରା। ଚନ୍ଦ୍ରସାରଥିଙ୍କ କ୍ଷୋଭ ପରେ ବିଭିନ୍ନ କର୍ପୋରେଟର ବି ନିଜର କ୍ଷୋଭ ପ୍ରକଟ କରିଥିଲେ। ଏମିତି କି ଜଣେ କର୍ପୋରେଟର କଟାକ୍ଷ କରି ନିର୍ବାଚନ ପୂର୍ବରୁ ମେୟର କଟକକୁ ୟୁରୋପ କରିବାର ଦେଇଥିବା ପ୍ରତିଶ୍ରୁତିର ଗତି କୁଆଡେ ବୋଲି ପ୍ରଶ୍ନ କରିଥିଲେ। ବୈଠକରେ କର୍ପୋରେଟର ମାନଙ୍କ କ୍ଷୋଭ, ଦଳର ବରିଷ୍ଠ ନେତାମାନଙ୍କର ଯେଭଳି ଅସନ୍ତୋଷ ପ୍ରତିଫଳିତ ହୋଇଥିଲା, ସେଥିରେ ମାସ କେଇଟାରେ ମେୟର ସୁବାସ ସିଂହଙ୍କ ମୁଣ୍ଡରେ ଚାଳ ବାଜିଲା ଭଳି ସ୍ଥିତି ସୃଷ୍ଟି ହୋଇଥିବା ଆଲୋଚନା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/subash-singh-1024x576-1.jpg)