ପୁଲିସ ବିଭାଗରେ କୁହୁଳୁଛି ଅସନ୍ତୋଷ : ପଦୋନ୍ନତି ପାଇ ବି ୧୮୦ ଅଧିକାରୀଙ୍କୁ ମିଳୁନି ପୋଷ୍ଟିଂ

ଆଇପିଏସ୍ ଗେହ୍ଲା ପୁଅ,ଏଏସ୍ଆଇରୁ ଏଏସ୍‌ପି ସାବତ ପୁଅ

କଟକ, (କୃଷ୍ଣପ୍ରସାଦ ଦାସ): ରାଜ୍ୟର ‌ସୁରକ୍ଷା ଆଉ ଶୃଙ୍ଖଳା ବ୍ୟବସ୍ଥା ଯେଉଁମାନଙ୍କ ହାତରେ, ସେହି ବିଭାଗ ଅର୍ଥାତ ରାଜ୍ୟ ପୁଲିସ ବିଭାଗରେ ଏବେ କୁହୁଳୁଛି ଅସନ୍ତୋଷ। ଏଏସ୍ଆଇରୁ ଏଏସ୍‌ପି ପାହ୍ୟାର ଅଧିକାରୀଙ୍କ ପଦୋନ୍ନତି କ୍ଷେତ୍ରରେ ଯେଭଳି ଟାଳଟୁଳ ନୀତି ଗ୍ରହଣ କରାଯାଉଛି, ଜାଣିଶୁଣି ଯେଭଳି ବିଭ୍ରାଟ ସୃଷ୍ଟି କରାଯାଉଛି, ସେଥିରେ ଅଧିକାରୀଙ୍କ ମନୋବଳ ଦୁର୍ବଳ ହେବା ସହିତ ବିଶୃଙ୍ଖଳା ପାଇଁ ବାଟ ଫିଟାଉଛି। ଆଇପିଏସ୍ ପାହ୍ୟାରେ ପଦୋନ୍ନତି ପାଇଁ ରହିଥିବା ମାନଦଣ୍ଡ ଅନୁଯାୟୀ ବର୍ଷ ଆଉ ସମୟରେ ସାମାନ୍ୟ ଏପଟସେପଟ ହେଉ ନ ଥିବାବେଳେ ତଳପାହ୍ୟାର ଏହି ଅଧିକାରୀଙ୍କ ପଦୋନ୍ନତି ପ୍ରକ୍ରିୟା କାହିଁକି ବର୍ଷ ବର୍ଷ ଧରି ଅଟକି ରହୁଛି, ‌ତାହାକୁ ନେଇ ଏବେ ବିଭାଗରେ ପ୍ରଶ୍ନ ଉଠୁଛି। ପୁଲିସ ଭଳି ଏକ ଶୃଙ୍ଖଳିତ ବିଭାଗରେ ଏହା ଆଗକୁ ହୁଏତ ବିସ୍ଫୋରକ ସ୍ଥିତି ସୃଷ୍ଟି କରିବା ଆଶଙ୍କା କରାଯାଉଛି। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଯେଉଁ ସମୟରେ ଜଣେ ଆଇପିଏସ୍ ଅଧିକାରୀ ଏସପି ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ, ସେହି ସମୟରେ ସେ ଏସ୍‌ଆଇ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେହି ଆଇପିଏସ୍ ଅଧିକାରୀ ଏବେ ଏଡିଜି ପାହ୍ୟାରେ ପହଞ୍ଚି ଥିବା ବେଳେ ସେ କିନ୍ତୁ ଇନ୍ସପେକ୍ଟର ପାହ୍ୟାରେ ଅଟକି ରହିଛନ୍ତି। ଏଭଳି ନୀତି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଚାଲିଛି ନା ପୁଲିସ ବିଭାଗର ବଡ଼ ପଣ୍ଡା ମାନଙ୍କ ପ୍ରଚ୍ଛନ୍ନ ଇଙ୍ଗିତରେ ଏଭଳି ସ୍ଥିତି ଜାଣିଶୁଣି ସୃଷ୍ଟି କରାଯାଉଛି, ତାହା ଏବେ ପ୍ରମୁଖ ପ୍ରସଙ୍ଗ ହୋଇଛି।

ରାଜ୍ୟରେ ଏବେ ଦୀର୍ଘ ବର୍ଷ ଧରି ଏସଆଇରୁ ଇନ୍ସପେକ୍ଟର ଏବଂ ଇନ୍ସପେକ୍ଟରରୁ ଡିଏସପି ପାହ୍ୟା ପଦୋନ୍ନତିକୁ ନେଇ ଯେଉଁ ଅଚଳାବସ୍ଥା ଜାରି ରହିଛି, ତାହା ବିବାଦର ମୂଳ ମଞ୍ଜି ହୋଇଛି। ୨୦୨୦ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଥିବା ଡିଏସପି ପଦୋନ୍ନତି ପ୍ରକ୍ରିୟାର ସ୍ଥିତି ଏବେ ବ୍ୟବସ୍ଥାକୁ ସନ୍ଦେହ ଘେରକୁ ଟାଣି ଆଣୁଛି। ଦୀର୍ଘ ଦିନର କସରତ ପରେ ଗଲା ଜାନୁଆରି ୩୦ ତାରିଖରେ ୩୦୧ ଜଣ ଡିଏସପିଙ୍କ ପଦୋନ୍ନତି ତାଲିକା ପ୍ରକାଶ ପାଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ୧୨୦ ଜଣ ଇନଚାର୍ଜ ଡିଏସପିଙ୍କୁ ପୋଷ୍ଟିଂ ମିଳିଥିବା ବେଳେ ୧୮୦ ଇନ୍ସପେକ୍ଟର ଏବେ ବି ଅନିଶ୍ଚିତତା ଭିତରେ ଦିନ କାଟୁଛନ୍ତି। ପଦୋନ୍ନତି ବିଜ୍ଞପ୍ତି ପ୍ରକାଶ ପାଇବାକୁ ମାସେରୁ ଅଧିକ ସମୟ ବିତି ଯାଇଥିବା ବେଳେ କେଉଁ ଉଦ୍ଦେଶ୍ୟରେ ସେମାନଙ୍କ ପୋ‌ଷ୍ଟିଂକୁ ଝୁଲାଇ ରଖାଯାଇଛି, ତାହା ବୁଝା ବି ପଡୁ ନାହିଁ। ପଦୋନ୍ନତି ପାଇଥିଲେ ବି ପୋଷ୍ଟିଂ ମିଳି ନଥିବାରୁ ଏହି ୧୮୦ ଜଣଙ୍କ ମଧ୍ୟରୁ ଯଦି କେହି କୌଣସି ପ୍ରକାର ପ୍ରତିକୂଳ ସ୍ଥିତିରେ ପଡନ୍ତି ତେବେ ‌ହୁଏତ ଅବସର ନେବା ଯାଏ ବି ଆଉ ଡିଏସପି ପଦବିକୁ ଯାଇ ପାରିବେ ନାହିଁ।

ଏହି ପଦୋନ୍ନତି ପ୍ରକ୍ରିୟାର ଘଟଣାକ୍ରମ ଯେତିକି ବିଳମ୍ବିତ ହେବାରେ ଲାଗିଛି, ସେତିକି ବିବାଦକୁ ଆହ୍ବାନ କରୁଛି। ୨୦୨୦ ସେପ୍ଟେମ୍ବର ୩୦ ତାରିଖରେ ଗୃହ ବିଭାଗ ପକ୍ଷରୁ ଡିଏସପି ପ ଦୋନ୍ନତି ପାଇଁ ରାଜ୍ୟ ପୁଲିସ ନିର୍ଦ୍ଦେଶକଙ୍କ ଠାରୁ ନାମ ତାଲିକା ମଗାଗଲା। ଡିଜି କିନ୍ତୁ ସବୁ ଜିଲ୍ଲାରୁ ନାମ ତାଲିକା ମାଗିବା ପାଇଁ ଦେଢ ମାସରୁ ଅଧିକ ସମୟ ନେଇ ଗଲେ। ଅର୍ଥାତ ୨୦୨୦, ନଭେମ୍ବର ୧୬ ତାରିଖରେ ଡିଜିଙ୍କ ପକ୍ଷରୁ ନାମ ତାଲିକା ସବୁ ଜିଲ୍ଲାରୁ ମଗାଗଲା। ଏସବୁକୁ ବିଚାର କରି ୨୦୨୧, ଜାନୁଆରି ୫ ତାରିଖରେ ରାଜ୍ୟ ଗୃହ ବିଭାଗ ଏକ ପଦୋନ୍ନତି ତାଲିକା ଜାରି କଲା। କିନ୍ତୁ ସେଥିରେ ବ୍ୟାପକ ତ୍ରୁଟି ଧରା ପଡ଼ିବାପରେ ତାହାକୁ ସଂଶୋଧନ କରି ୨୦୨୧, ଜାନୁଆରି ୩୦ ତାରିଖରେ ସାନି ପଦୋନ୍ନତି ବିଜ୍ଞପ୍ତି ଜାରି କରାଗଲା। ୩୦୧ ଜଣଙ୍କ ନାମ ତାଲିକା ପ୍ରକାଶ କରିବା ସହିତ ଡିଜି ସେହି ଦିନ ଜଣଙ୍କୁ ପୋଷ୍ଟିଂ ଦେଇ ଦେଲେ। ଦୀର୍ଘ ଦିନରୁ ପଦୋନ୍ନତି ପାଇଁ ଅପକ୍ଷୋ କରି ରହିଥିବା ସଂପୃକ୍ତ ବ୍ୟକ୍ତି ଅବସର ନେବାକୁ ଥିବାରୁ ମାନବିକ ଦୃଷ୍ଟିକୋଣରୁ ୩୦୧ ଜଣଙ୍କ ମଧ୍ୟରେ ୧୬ ନମ୍ବର ସ୍ଥାନରେ ଥିବା ସଂପୃକ୍ତ ଅଧିକାରୀଙ୍କୁ ପୋଷ୍ଟିଂ ଦିଆଗଲା। କିନ୍ତୁ ନିୟମ ଦୃଷ୍ଟିରୁ ଏ ନିଷ୍ପତ୍ତି ଆଗକୁ ହୁଏତ ଯେ କୌଣସି ସମୟରେ ବିବାଦ ପାଇଁ ବାଟ ଛାଡି ଦେଇଛି। କେବଳ ଜଣଙ୍କୁ ପୋଷ୍ଟିଂ ଦେଇ ବିଭାଗ ପୁଣି ହାତ ବାନ୍ଧି ବସିଗଲା। ଗଲା ୩ ବର୍ଷ ହେଲା ଇନଚାର୍ଜ ଡିଏସପି ଭାବେ ଇନସପେକ୍ଟର ଦରମାରେ କାମ କରୁଥିବା ୧୨୦ ଜଣ ଏହି ୩ଶହଙ୍କ ମଧ୍ୟରେ ଥିବାରୁ ତାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଲା। ଏ ପ୍ରସଙ୍ଗରେ ‘ସମ୍ବାଦରେ ଏକ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରକାଶ ପାଇବା ପରେ ଗଲା ଫେବ୍ରୁଆରି ୧୩ ତାରିଖରେ ସେହି ୧୨୦ ଜଣଙ୍କୁ ନିର୍ଦ୍ଦିଷ୍ଟ ଭାବେ ପୋଷ୍ଟିଂ ଦେଇ ଦିଆଗଲା। କିନ୍ତୁ ବାକି ୧୮୦ ଜଣ ଏବେ ଇନ୍ସପେକ୍ଟର ପାହ୍ୟାରେ ସଂପୂର୍ଣ୍ଣ ଅନିଶ୍ଚିତତା ମଧ୍ୟରେ କାର୍ଯ୍ୟ କରୁଛନ୍ତି। ଏପଟେ ବର୍ଷବର୍ଷ ଧରି ପଡି ରହିଥିବା ଏସ୍‌ଆଇରୁ ଇନ୍ସପେକ୍ଟର ପଦୋନ୍ନତି ‌ଦିଆଯାଉ ନାହିଁ। ଏପଟେ ପଦୋନ୍ନତି ପାଇ ବି ୧୮୦ ଅଧିକାରୀଙ୍କ ପୋଷ୍ଟିଂ ଅଟକି ରହିଛି। ପୁଲିସ ବିଭାଗରେ ଅଧିକାରୀ ଅଭାବ ଦର୍ଶାଇ ଅନେକ ସମୟରେ କର୍ତ୍ତୃପକ୍ଷ ଦୋଷ ଛଡ଼ାଇବାକୁ ପଛାଉ ନାହାନ୍ତି। କିନ୍ତୁ ଆଇପିଏସ୍ ପଦୋନ୍ନତି ଯେଭଳି ତ୍ବରାନ୍ବିତ ପ୍ରକ୍ରିୟାରେ ହେଉଛି, ସେହି ଢଙ୍ଗରେ ତଳ ପାହ୍ୟାର ଅଧିକାରୀଙ୍କ ପଦୋନ୍ନତି ଆଉ ପୋଷ୍ଟିଂ କାହିଁକି ହେଉ ନାହିଁ ବୋଲି ଉଠୁଥିବା ପ୍ରଶ୍ନ ଆଗକୁ ବିଶୃଙ୍ଖଳାର କାରଣ ହେବା ସହିତ ବ୍ୟବସ୍ଥାକୁ ଦୁର୍ବଳ କରିବ ବୋଲି ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର