ବିଜୁଳି ଦର ବୃଦ୍ଧିକୁ ନେଇ ଅସନ୍ତୋଷ ବଢ଼ିଲା

ରାସ୍ତାକୁ ଓହ୍ଲାଇଲା ବିଜେପି
ବିଧାନସଭାରେ ଉଠାଇବ କଂଗ୍ରେସ
ହାଇକୋର୍ଟ ଯିବାକୁ ଉପଭୋକ୍ତା ମହାସଂଘର ଧମକ
ମନ୍ତ୍ରୀ କହିଲେ, ସରକାରଙ୍କର ଭୂମିକା ନାହିଁ, ଓଇଆର୍‌ସି ନିଷ୍ପତ୍ତି

ଭୁବନେଶ୍ୱର : ଅକ୍ଟୋବର ପହିଲାରୁ ବିଜୁଳି ଦର ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି ଲାଗି ଓଡ଼ିଶା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ଗର୍ଜନ ଆରମ୍ଭ କରିଛନ୍ତି। ଆଜି ବିଜେପି ଭୁବନେଶ୍ବର ଶାଖା ଓଇଆର୍‌ସିଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବାକୁ ଧମକ ଦେଇଛି। କେବଳ ସେତିକି ନୁହେଁ, ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ନ ହେଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ସେପଟେ ଉପଭୋକ୍ତା ମହାସଂଘ ସଭାପତି ରମେଶ ଚନ୍ଦ୍ର ଶତପଥୀ ହାଇକୋର୍ଟକୁ ଯିବାକୁ ମଧ୍ୟ ଧମକ ଦେଇଛନ୍ତି।

କରୋନା ପରିସ୍ଥିତିରେ ଲୋକ ଦୁର୍ଦିନ ଭିତରେ ଥିବା ବେଳେ ବିଦ୍ୟୁତ ଦର ବୃଦ୍ଧି ନିଷ୍ପତ୍ତିକୁ କେହି ଗ୍ରହଣ କରିପାରୁନାହାନ୍ତି। ଏହାକୁ ନେଇ ଉପଭୋକ୍ତାଙ୍କ ବିରୋଧରେ ଅସନ୍ତୋଷକୁ ଲକ୍ଷ୍ୟ କରି ଆଜି ବିଜେପି ଭୁବନେଶ୍ବର ସଭାପତି ବାବୁ ସିଂହଙ୍କ ନେତୃତ୍ବରେ ଦଳୀୟ ନେତାମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। କୋଭିଡ଼୍ ସମୟରେ ଲୋକମାନେ ଜୀବନ ଜୀବିକାକୁ ନେଇ ଆତଙ୍କଜନକ ପରିସ୍ଥିତିରେ ଥିବା ବେଳେ ବିଦ୍ୟୁତ ଦର ବୃଦ୍ଧି ନିଷ୍ପତ୍ତି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି ସେ ମତ ରଖି ତୁରନ୍ତ ଆୟୋଗ ନିଜ ନିଷ୍ପତ୍ତି ପ୍ରତ୍ୟାହାର କରିବା ଲାଗି ଦାବି ଜଣାଇଥିଲେ। ସେହିଭଳି ଶୁଳ୍କବୃଦ୍ଧି ପ୍ରତ୍ୟାହାର ଦାବିରେ ବିଜେପି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଦଳୀୟ ନେତା ଜଗନ୍ନାଥ ପ୍ରଧାନ ଧମକ ଦେଇଥିଲେ।

ଅନ୍ୟପକ୍ଷରେ ବିଜେପି ଭଳି କଂଗ୍ରେସ ମଧ୍ୟ ଆଜି ଅସନ୍ତୋଷ ଝାଡ଼ିଛି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଲୋକମାନେ ଜୀବନ ବଞ୍ଚାଇବା ପାଇଁ ସଂଗ୍ରାମ କରୁଛନ୍ତି। ଏ ସରକାରର ଟାଟା ପ୍ରତି ପ୍ରେମ ଉଛୁଳୁଛି। ଗରିବ, ଖଟିଖିଆଙ୍କ ପାଖରେ ଚାକିରି ନାହିଁ। ସରକାରୀ କାମ ଠପ୍। ଏପଟେ ବନ୍ୟା, ସେପଟେ କରୋନା। ଦରଦାମ ହୁ ହୁ ହୋଇ ବଢୁଛି। ଏଭଳି ସମୟରେ ଲୋକଙ୍କ ତଣ୍ଟିକୁ ଚିପିବାକୁ ଉଦ୍ୟମ ହେଉଛି। ଘୋର ଦୁଃଖ ଦାୟକ ଘଟଣା। ଏହାକୁ ଆମେ ନିନ୍ଦା କରୁଛୁ। ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରନ୍ତୁ। ବିଦ୍ୟୁତ ଦର ବୃଦ୍ଧି ନିଷ୍ପତ୍ତିରୁ ନ ଓହରିଲେ, କଂଗ୍ରେସ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବ। ବିଧାନସଭାରେ ବି ଏହି ପ୍ରସଙ୍ଗ ଦଳ ଉଠାଇବ।

ଉପଭୋକ୍ତା ମହାସଂଘ କହିଛି, ଯେ ମସିହାରେ ବିଦ୍ୟୁତ ସଂସ୍କାର କାର୍ଯ୍ୟକାରୀ ହେବା ପଛରେ ଯେଉଁ ବଡ଼ ଯୁକ୍ତିଟି ଥିଲା ଯେ ସୁଲଭ ଦରରେ ବିଜୁଳି ଲୋକଙ୍କୁ ଉପଲବ୍ଧ ହେବ। ସେଥିପାଇଁ ଓଡ଼ିଶା ବିଦ୍ୟୁତ ବୋର୍ଡ ଭାଙ୍ଗି ଗ୍ରିଡ୍‌କୋ ଓ ଓଡ଼ିଶା ଜଳ ବିଦ୍ୟୁତ ନିଗମ କରାଯାଇଥିଲା। ୧୯୯୯ ମସିହାରେ ରାଜ୍ୟ ସରକାର ବିଦ୍ୟୁତ ବଣ୍ଟନ କଂପାନି ସେସ୍କୋ, ୱେସ୍କୋ, ସାଉଥ୍‌କୋ ଓ ନେସ୍କୋର ୫୧ ପ୍ରତିଶତ ଏଇଏଏସ୍ ଓ ରିଲାଏନ୍ସ କଂପାନିକୁ ବିକ୍ରି କରିଦେଲେ। ଲକ୍ଷ୍ୟ ଥିଲା, ସେମାନେ ସାମଗ୍ରିକ ପରିବହନ ଓ ବାଣିଜ୍ୟିକ କ୍ଷତିକୁ ୪୦ ପ୍ରତିଶତରୁ ୧୫ ପ୍ରତିଶତ କମାଇବେ ଓ ନିଜେ ପୁଞ୍ଜି ବିନିଯୋଗ କରିବେ। ଏଥିସହିତ ଓଟିପିସିଏଲ୍ ଗଠନ କରାଗଲା। ମାତ୍ର ବାସ୍ତବତା ହେଲା ଏଟିସି କମିବା ପରିବର୍ତ୍ତେ ବଢିବାରେ ଲାଗିଛି ଓ ଭିତ୍ତିଭୂମି ବାବଦରେ ଏମାନେ ଟଙ୍କାଟିଏ ଖର୍ଚ୍ଚ କଲେନି। ବହୁ ଅର୍ଥ ବିଦ୍ୟୁତ ଗ୍ରାହକଙ୍କର ବରବାଦ ହେଲା। ୨୦୧୦ରେ ଆୟୋଗଙ୍କ ରିପୋର୍ଟରେ ଏ ସଂପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଏଭଳି ପୃଷ୍ଠଭୂମିରେ ଏଥର ଶୁଣାଣି ସମୟରେ ଦାବି କରାଯାଇଥିଲା ଯେ ବଣ୍ଟନ କଂପାନିର ୪୯ ପ୍ରତିଶତ ଗ୍ରିଡ୍‌କୋ ପାଖରେ ଅଛି। ଏପଟେ ଏହି କଂପାନିମାନେ ୨୦୧୯ ଡିସେମ୍ବର ୨୯ ତାରିଖ ସୁଦ୍ଧା ୫୯୬୩ କୋଟି ୨୧ଲକ୍ଷ ଟଙ୍କା ବାକି ରଖିଛନ୍ତି। ଏପରି ସ୍ଥଳେ ଗ୍ରାହକଙ୍କ ଉପରେ କାହିଁକି ସେମାନଙ୍କ ବୋଝ ଲଦାଯିବ? ସେହିପରି ୨୯ଟି ଶିଳ୍ପ ସଂସ୍ଥାଠାରୁ ୨୦୧୧ ମସିହାରୁ ହାଇକୋର୍ଟଙ୍କ ନିର୍ଦେଶ ମତେ ପ୍ରାୟ ୪୦୦୦ କୋଟି ଟଙ୍କା ପାଇବାର ଅଛି। ତାହା ଆଦାୟ କରି ଗ୍ରିଡ୍‌କୋର ଆର୍ଥିକ ସ୍ଥିତିରେ ସୁଧାର ଅଣାଯାଉ। କେବଳ ସେତିକି ନୁହେଁ, ଯେଉଁ କଂପାନି ମୁଖ୍ୟସଚିବଙ୍କ ନିର୍ଦେଶ ମତେ ସାମଗ୍ରିକ ପରିବହନ ଓ ବାଣିଜ୍ୟିକ କ୍ଷତିକୁ ୧୫ପ୍ରତିଶତକୁ କମାଇ ପାରିନାହାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏସବୁ କରାନଯାଇ କାହାର ଅପରାଗତାକୁ ଗ୍ରାହକଙ୍କ ଉପରେ ଲଦି ଦିଆଯିବା ଠିକ୍ ନୁହେଁ ବୋଲି ମହାସଂଘ ପକ୍ଷରୁ ରମେଶ ଶତପଥୀ ଯୁକ୍ତି ରଖିଛନ୍ତି। ଯଦି କର୍ତ୍ତୃପକ୍ଷ ନିଷ୍ପତ୍ତିର ପୁନଃ ବିଚାର କରି ନିଜ ନିର୍ଦେଶନାମା ସଂଶୋଧନ ନ କରନ୍ତି, ତେବେ ମହାସଂଘ ହାଇକୋର୍ଟ ଆଶ୍ରୟ ନେବ ବୋଲି ସେ ଧମକ ଦେଇଛନ୍ତି।

ଅନ୍ୟପକ୍ଷରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ବିଦ୍ୟୁତ ଦର ବୃଦ୍ଧି ନିଷ୍ପତ୍ତି ସହିତ ରାଜ୍ୟ ସରକାରଙ୍କର କୌଣସି ଭୂମିକା ନାହିଁ। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ସମସ୍ତ ପକ୍ଷଙ୍କୁ ଶୁଣି ତାଙ୍କ ନିର୍ଦେଶ ଦେଇଛନ୍ତି। ପରିବହନ, ବଣ୍ଟନ, ଉତ୍ପାଦନ ଆଦି ସବୁକୁ ଆୟୋଗ ବିଚାରକୁ ନେଇଥିବେ। ଏହି କାରଣରୁ କିଛି ବର୍ଷ ପରେ ମାତ୍ର ୪ ପ୍ରତିଶତ ବିଦ୍ୟୁତ ଦର ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର