ସଂକ୍ଷିପ୍ତ ସିଲାବସ୍‌କୁ ନେଇ ଅସନ୍ତୋଷ : ୩୦% ସିଲାବସ୍‌ ଠିକ ଭାବେ କଟାଯାଇ ନାହିଁ

ଭୁବନେଶ୍ୱର : ୩୦% ସିଲାବସ୍‌ ଠିକ ଭାବେ କଟାଯାଇ ନାହିଁ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଅଭିଯୋଗ କରିଛି। ସଂଘର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ଦୀର୍ଘଦିନ ଧରି ସ୍କୁଲ ବନ୍ଦ ହେବା ଫଳରେ ଶିକ୍ଷାଦାନ ସଂପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍‌ଲାଇନ୍ ଓ ଶିକ୍ଷା ସଂଯୋଗ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ କିଛି ମାତ୍ରାରେ ଶିକ୍ଷାଦାନର ବ୍ୟବସ୍ଥା ହୋଇଛି। ଯାହା ଛାତ୍ରଛାତ୍ରୀଙ୍କର ଆବଶ୍ୟକତାକୁ ପରିପୂରଣ କରିପାରୁନାହିଁ। ସେପଟେ ଛାତ୍ରଛାତ୍ରୀଙ୍କ ଉପରୁ ପାଠ୍ୟଖସଡ଼ାର ବୋଝ ଲାଘବ କରିବା ପାଇଁ ସିବିଏସ୍‌ଇ ୩୦% ଓ ଆଇସିଏସ୍‌ଇ ପକ୍ଷରୁ ୨୫% ପାଠ୍ୟକ୍ରମ ହ୍ରାସ କରାଯାଇଛି। ରାଜ୍ୟ ସରକାର ଓ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ଏହାକୁ ଆଧାର କରି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ୩୦% ପାଠ୍ୟଖସଡ଼ା ହ୍ରାସ କରିଛନ୍ତି।

ପ୍ରଥମତଃ ଏହା ଦୁଇ ମାସ ବିଳମ୍ବରେ କରାଯାଇଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଘୋର ନୈରାଶ୍ୟ ଦେଖାଦେଇଥିଲା। ଦ୍ୱିତୀୟତଃ ସଂଶୋଧନରେ ଯାହା ଅଣାଗଲା ସେଥିରେ ପରିବର୍ତ୍ତନକୁ ଆଧାର କରି ଆହୁରି ଅସନ୍ତୋଷ ଦେଖାଦେଇଛି। ଅଦ୍ୟାବଧି ଛାତ୍ରଛାତ୍ରୀ ନିଜସ୍ୱ, ଅନଲାଇନ୍, ଶିକ୍ଷକ ବା ଅଭିଭାବକଙ୍କ ଦ୍ୱାରା ମୁଖସ୍ଥ କରି ସାରିଥିବା ବିଷୟ ଓ ଅନୁଚ୍ଛେଦଗୁଡ଼ିକୁ ବାଦ୍ ଦିଆଯାଇଛି। ଏପରିକି ରାଜ୍ୟ ସରକାରଙ୍କର ଏଡୁସାଟ୍ ପୋଗ୍ରାମ୍ ମାଧ୍ୟମରେ କରାଯାଉଥିବା ପ୍ରତିଦିନ ଦୁଇ ଘଣ୍ଟା ଲେଖାଏଁ ଶିକ୍ଷାଦାନ ବା ବିଷୟଗୁଡ଼ିକୁ ମଧ୍ୟ ବାଦ୍ ଦେଇଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦର ବିଷୟ ବିଶାରଦମାନେ କେଉଁ ଆଧାରରେ ପ୍ରତ୍ୟେକ ବିଷୟର ପ୍ରଥମ ଅଧ୍ୟାୟଗୁଡ଼ିକୁ ବାଦ ଦେଇଛନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୀର୍ଘ ୫ ମାସ ଧରି ରାଜ୍ୟ ସରକାର ଶିକ୍ଷା ବିଭାଗର ଅଧିକାରୀଙ୍କ ମାଧ୍ୟମରେ ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକଙ୍କୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହ୍ୱାଟ୍‌ସଆପ୍ ଗ୍ରୁପ୍ କରି ଶିକ୍ଷାଦାନ ପାଇଁ ଯେଉଁସବୁ ପ୍ରୟାସ କରିଥିଲେ ତାହା ବୃଥା ବୋଲି ପ୍ରମାଣିତ ହୋଇଛି। ଏପରିକି ବିଷୟ ବା ବିଷୟର କିଛି ଅଂଶକୁ ବାଦ୍ ଦେଲାବେଳେ ପିଲାଙ୍କ ପାଇଁ ଅତ୍ୟାବଶ୍ୟକ କିଛି ବିଷୟବସ୍ତୁଗୁଡ଼ିକୁ କଟିଦେବା କେତେଦୂର ଯଥାର୍ଥ?

ଏଥିସହ ଦଶମ ଶ୍ରେଣୀ ସାହିତ୍ୟର ପ୍ରଥମ କବିତା, ଇଂରାଜୀ ପାଠ୍ୟପୁସ୍ତକର ଗୁରୁତ୍ୱପୂର୍ଣ୍ଣ ପ୍ରବନ୍ଧ କଟା ଯାଇଛି। ନବମ ଶ୍ରେଣୀ ଇଂରାଜୀ ବହିର ଗଦ୍ୟ ବିଭାଗରୁ କୌଣସି ବିଷୟ ନ କାଟି ପଦ୍ୟ ବିଭାଗର ପ୍ରଥମ କବିତା ସହିତ ତିନୋଟି କବିତାକୁ ବାଦ୍ ଦିଆଯାଇଛି। ରାଜ୍ୟ ସରକାର ଶିକ୍ଷକ, ଶିକ୍ଷାବିତ୍ ଓ ଶିକ୍ଷକ ସଂଗଠନମାନଙ୍କୁ ବିଶ୍ୱାସକୁ ନ ନେଇ ବିଷୟ ବିଶାରଦ ଭାବେ କେଉଁମାନଙ୍କୁ ଚୟନ କରିଥିଲେ ସେମାନଙ୍କୁ ଜାଣିବା ପାଇଁ ସାଧାରଣରେ ଉତ୍ସୁକତା ପ୍ରକାଶ ପାଉଛି। ଶିକ୍ଷାବର୍ଷର ଅଧାଅଧି ସମୟ ଅତିକ୍ରାନ୍ତ ହୋଇଥିବାରୁ କେରଳ ରାଜ୍ୟ ପରି ଆମ ରାଜ୍ୟରେ ସମସ୍ତ ଦୂରଦର୍ଶନ ଚ୍ୟାନେଲ୍‌କୁ ବ୍ୟବହାର କରି ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବେ ଶିକ୍ଷାଦାନ କାର୍ଯ୍ୟକ୍ରମ କରାଯାଉ। ଏ ବର୍ଷର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ୨୦୨୧ ଅପ୍ରେଲ ଶେଷ ସପ୍ତାହରେ ହେଉ। ଫଳରେ ଶିକ୍ଷକ ଓ ଛାତ୍ରଛାତ୍ରୀ ଦୁଇ ମାସ ସମୟ ପାଇବେ। ମେ’ରେ ପରୀକ୍ଷା ଖାତା ମୂଲ୍ୟାୟନ କରାଯାଇ ଜୁନ୍ ମାସରେ ଫଳ ପ୍ରକାଶନ କରିବାର ବ୍ୟବସ୍ଥା କରାଯିବା ପାଇଁ ଓଷ୍ଟା ପକ୍ଷରୁ ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରୀ ଚରଣ ସାହୁ, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର ଓ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ପ୍ରସ୍ତାବ ରଖିଛନ୍ତି।

ସମ୍ବନ୍ଧିତ ଖବର