ଛତ୍ରପୁର: ଗଞ୍ଜାମ ଜିଲ୍ଲା‌ ଛତ୍ରପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା କୃଷ୍ଣଚନ୍ଦ୍ର ନାୟକଙ୍କ ପ୍ରାର୍ଥିତ୍ବକୁ ନେଇ ଦଳର ଗୋଟିଏ ଗୋଷ୍ଠୀ ଭିତରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଏଥିପାଇଁ ୨୦୧୯ରେ ଦଳୀୟ ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ କର ଓ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ତଥା ୨୦୧୪ରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବନମାଳୀ ସେଠୀଙ୍କ ନେତୃତ୍ବରେ କିଛି ସମର୍ଥକ ଗତକାଲି ଭୁବନେଶ୍ବରରେ ରାଜ୍ୟ ନେତୃମଣ୍ଡଳୀଙ୍କୁ ଫେରାଦ୍ ହୋଇଛନ୍ତି। ଦଳ ଭିତରେ ଅଭିଜ୍ଞ ନେତା ଓ ସୁସଂଗଠକଙ୍କୁ ଟିକେଟ ଦେବା ଏବଂ ପ୍ରାର୍ଥୀ ବଦଳାଇବାକୁ ନିବେଦନ କରାଯାଇଛି। ତେବେ ସର୍ଭେକୁ ନେଇ ଦଳୀୟ ପ୍ରାର୍ଥୀ ଚୟନ ହୋଇଥିବାରୁ ନିଜ ଭିତରେ କନ୍ଦଳ ସୃଷ୍ଟି ନକରିବା ଓ ଟିକେଟ ପାଇଥିବା ପ୍ରାର୍ଥୀଙ୍କୁ ବିଜୟୀ କରିବା ଲାଗି ଉଦ୍ୟମ କରିବାକୁ ରାଜ୍ୟ ନେତୃମଣ୍ଡଳୀ ପରାମର୍ଶ ଦେଇଥିବା ଜଣାପଡ଼ିଛି। ସୂଚନା ଥାଉକି, ଏହି ନିର୍ବାଚନମଣ୍ଡଳୀରୁ ଟିକେଟ ପାଇବାକୁ ପ୍ରଶାନ୍ତ ଓ ବନମାଳୀ ମଧ୍ୟ ଆଶାୟୀ ଥିଲେ। କିନ୍ତୁ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦଳ ପକ୍ଷରୁ କୃଷ୍ଣଚନ୍ଦ୍ରଙ୍କୁ ସୁଯୋଗ ଦିଆଯାଇଛି।

Advertisment

ଏନେଇ ପ୍ରାର୍ଥୀ କୃଷ୍ଣଚନ୍ଦ୍ର କହିଛନ୍ତି, ପ୍ରାର୍ଥୀ ଭାବେ‌ ତାଙ୍କୁ ଚୟନ କରାଯିବା ପରେ ଦଳର ଅନ୍ୟ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କିନ୍ତୁ ପରବର୍ତ୍ତୀ ସମୟରେ ନିଶ୍ଚିତ ଭାବେ ଏହାର ସମାଧାନ ହୋଇଯିବ। ଦଳୀୟ ହାଇକମାଣ୍ଡଙ୍କ ନିର୍ଦ୍ଦେଶାନୁସାରେ, ସମସ୍ତେ ଗୋଟିଏ ମନ ନେଇ ନିର୍ବାଚନ ଲଢ଼ିବୁ। ଦଳର ସମସ୍ତ ନେତା ଓ କର୍ମୀଙ୍କ ସହଯୋଗ ମିଳି‌ଲେ ଦଳ ନିଶ୍ଚିତ ଭାବେ ସଫଳତା ହାସଲ କରିବ। ସୂଚନା ଥାଉକି, କୃଷ୍ଣଚନ୍ଦ୍ର ୨୦୧୪ରେ ସିପିଆଇରୁ ପ୍ରାର୍ଥୀ ହୋଇ ବିଜେଡିକୁ କଡ଼ା ଟକ୍କର୍ ଦେଇ ୩୧ହଜାର ଭୋଟ୍ ସହ ଦ୍ବିତୀୟ ସ୍ଥାନରେ ରହିଥିଲେ। ତେବେ ୨୦୧୬ ମେ’ ୨୦ ତାରିଖରେ ସେ ବିଜେପିରେ ସାମିଲ ହୋଇଥିଲେ। ଆଜି ତାଙ୍କୁ ଗଞ୍ଜାମ ଜିଲ୍ଲା ସଭାପତି ଡା.ସୁବାସ ଚନ୍ଦ୍ର ସାହୁ ଦଳୀୟ କାର୍ଯ୍ୟାଳୟରେ ଭେଟି ଶୁଭକାମନା ଜଣାଇଥିଲେ।