ଅନୁଗୁଳ: ‘ନାଲ୍କୋକୁ ଜମି ଦେଲୁ। ଆମ ଜମି ନେଇ ନାଲ୍କୋ ଲାଭ ଖାଉଥିଲାବେଳେ ଆମେ ଧୂଳିଧୂଆଁ ଖାଉଛୁ। ସବୁ କ୍ଷତିଗ୍ରସ୍ତ ଲୋକଙ୍କୁ ନାଲ୍କୋ ଏପର୍ଯ୍ୟନ୍ତ ନିଯୁକ୍ତ ଦେଲାନି। କେବଳ ପ୍ରତିଶ୍ରୁତି ଦେଇ ଚାଲିଛି।’ ନାଲ୍କୋ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି କ୍ଷତିଗ୍ରସ୍ତ ପ୍ରଜା। ନିଯୁକ୍ତି ସହିତ ଅଞ୍ଚଳର ବିକାଶ କରିବାପାଇଁ ଦାବି କରିଛନ୍ତି।
ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାଲ୍କୋ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଏଲଏପି ୧୯୮ପ୍ରଜା ସଂଘ, ନାଲ୍କୋ କର୍ତ୍ତୃପକ୍ଷ ଓ ପ୍ରଶାସନ ମଧ୍ୟରେ ତ୍ରିପାକ୍ଷିକ ବୈଠକ ବସିଥିଲା। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଂସଦ ମହେଶ ସାହୁ, ନାଲ୍କୋ ସିଏମ୍ଡି, ବରିଷ୍ଠ ପୁଲିସ ଅଧିକାରୀ, ୧୯୮ ଏଲଏପି କ୍ଷତିଗ୍ରସ୍ତ ପ୍ରଜା ସଂଘର ସଭାପତି ଦିବ୍ୟରଞ୍ଜନ ଦାସ, ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ସାମଲ, ସାଂସଦଙ୍କ ପ୍ରତିନିଧି ଦିନେଶ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରାଯାଇଥିଲା। ବୈଠକରେ ସାଂସଦ ଶ୍ରୀ ସାହୁ ନାଲ୍କୋର କାର୍ଯ୍ୟକଳାପ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ କମ୍ପାନି ପକ୍ଷରୁ ଦିଆଯାଇଥିବା ନିଯୁକ୍ତି ତାଲିକା ମାଗିଥିଲେ। ଏଥିସହ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ନାଲ୍କୋ କ’ଣ କ’ଣ କାମ କରିଛି, ତାହାର ମଧ୍ୟ ହିସାବ ମାଗିଥିଲେ। ଆସନ୍ତା ସୋମବାର ସୁଦ୍ଧା ଏହାଦେବାକୁ ନାଲ୍କୋ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ସେହିପରି, ନାଲ୍କୋ ପାରିପାର୍ଶ୍ବିକ ପାଣ୍ଠିରୁ ଉନ୍ନୟନ କାମ ନେଇ ଜନପ୍ରତିନିଧି ଓ ପ୍ରଭାବିତ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। କୋଭିଡ୍ ପାଇଁ ଏହି ପାଣ୍ଠି ସରକାରଙ୍କ ପରାମର୍ଶ କ୍ରମେ ଖର୍ଚ୍ଚ ହୋଇଥିବା କର୍ତ୍ତୃପକ୍ଷ ଜଣାଇଥିଲେ।
ସାଂସଦ ପ୍ରତିନିଧି ତଥା ପ୍ରଭାବିତ ପ୍ରଜା ଦିନେଶ ପ୍ରଧାନ କହିଥିଲେ ଯେ ନାଲ୍କୋ ପାଇଁ ଆଖପାଖ ଅଞ୍ଚଳ ଧୂଳିଧୂଆଁ ଖାଇ ରୋଗରେ ପଡ଼ୁଛନ୍ତି। ହେଲେ, ଏହି ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ପାଇଁ କମ୍ପାନି କୌଣସି ଠୋସ୍ ପଦକ୍ଷେପ ନେଇନି। ଏହି ପ୍ରଭାବିତ ଅଞ୍ଚଳରେ ପାରିପାର୍ଶ୍ବିକ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରି ଲୋକଙ୍କ ଜୀବନଧାରଣର ମାନ ବଢାଇବାକୁ ସେ ଦାବି କରିଥିଲେ। ଏହାସହିତ ସେ ଗତ ୩ ବର୍ଷର ହିସାବ ମାଗିଥିଲେ। ଆସନ୍ତା ସୋମବାର ସୁଦ୍ଧା ନାଲ୍କୋ କର୍ତ୍ତୃପକ୍ଷ ଏହା ପ୍ରଦାନ କରିବେ ବୋଲି ବୈଠକରେ ଜଣାଇଛନ୍ତି। ନାଲ୍କୋ କର୍ତ୍ତୃପକ୍ଷ ନିଜ ଉତ୍ତର ଜିଲ୍ଲା ପ୍ରଶାସନ ପାଖରେ ରଖିବା ପରେ ଏଥିନେଇ ପୁଣି ଏକ ବୈଠକ ବସିବ। ଏହି ବୈଠକରେ ନାଲ୍କୋ ଉତ୍ତରର ତର୍ଜମା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସାଂସଦ ଶ୍ରୀ ସାହୁ ସୂଚନା ଦେଇଛନ୍ତି।