ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ‌ପରୀକ୍ଷା ଜୁଲାଇରେ, ମାଟ୍ରିକ୍‌ ମୂଲ୍ୟାୟନକୁ ନେଇ ମୁହଁ ଖୋଲିଲା ବୋର୍ଡ

ନମ୍ବର ଅପ୍‌ଲୋଡ୍‌ ତ୍ରୁଟିକୁ ସଂଶୋଧନ କରାଯାଇଛି, ଅଫ୍‌ଲାଇନ୍‌ ପରୀକ୍ଷା ବ୍ୟବସ୍ଥାକୁ ଓଷ୍ଟାର ବିରୋଧ

କଟକ: ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆସନ୍ତା ଜୁଲାଇ ମାସରେ ମାଟ୍ରିକ୍‌ ପରୀକ୍ଷା ଦେଇପାରିବେ। ଜୁଲାଇ ୫ତାରିଖରେ ଫର୍ମପୂରଣ ଆରମ୍ଭ ହେବ ଓ ପରେ ୧୦ ଦିନ ସମୟ ରହିବ। ଜୁଲାଇରେ ହିଁ ପରୀକ୍ଷା କରାଯାଇ ୨୦ ଦିନରେ ଫଳପ୍ରକାଶ ପାଇବ। ମାଟ୍ରିକ୍‌ ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ଭିତରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ ଏହିଭଳି ନିଷ୍ପତ୍ତି ନେଇଛନ୍ତି। ଫଳାଫଳକୁ ନେଇ ଅସନ୍ତୋ‌ଷ ବ୍ୟକ୍ତ କରୁଥିବା ଛାତ୍ରଛାତ୍ରୀମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ ବୋଲି କହିଛନ୍ତି।

ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି, ମାଟ୍ରିକ୍ ପରୀକ୍ଷା ଫଳାଫଳରେ କୌଣସି ପ୍ରକାର ତ୍ରୁଟି ହୋଇନାହିଁ। ରାଜ୍ୟର ବିଶିଷ୍ଟ ଶିକ୍ଷାବିତ୍‌, ସବୁ ଜିଲ୍ଲା ଶିକ୍ଷାଧିକାରୀ, ବୋର୍ଡ ପରୀକ୍ଷା କମିଟି ସଦସ୍ୟଙ୍କ ପରାମର୍ଶ, ବହୁ ବିଚାରବିମର୍ଶ ଓ ପରୀକ୍ଷାନିରୀକ୍ଷା କରାଯିବା ପରେ ମୂଲ୍ୟାୟନ ପାଇଁ ବିକଳ୍ପ ବ୍ୟବସ୍ଥା ଅବଲମ୍ବନ ହୋଇଥିଲା। ଉଚ୍ଚକୋଟୀର ଗାଣିତିକ ମଡେଲ ଦ୍ବାରା ସମସ୍ତ ମୂଲ୍ୟାୟନ ସଂପାଦିତ ହୋଇଛି। ଏଥିରେ କିଛି ତ୍ରୁଟି ନଥିବାରୁ ସଂଶୋଧନର ଆବଶ୍ୟକତା ନାହିଁ। ପ୍ରକାଶିତ ଫଳକୁ ନେଇ ଅସନ୍ତୋ‌ଷ ବ୍ୟକ୍ତ କରୁଥିବା ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ରେ ପରୀକ୍ଷା ଦିଅନ୍ତୁ। ଆସନ୍ତା ଅଫ୍‌ଲାଇନ୍ ପରୀକ୍ଷାର ନମ୍ବର ହିଁ ସେମାନଙ୍କ ପାଇଁ ଚୂଡ଼ାନ୍ତ ନମ୍ବର ହେବ। ମାଟ୍ରିକ୍ ଫଳାଫଳକୁ ନେଇ ଅସନ୍ତୋ‌ଷ ବ୍ୟକ୍ତ କରୁଥିବା ଛାତ୍ରଛାତ୍ରୀ, ବିଦ୍ୟାଳୟ କର୍ତ୍ତୃପକ୍ଷ ତଥା ଅଭିଭାବକଙ୍କ ଉଦ୍ଦେଶ୍ୟରେ ସେ ଏପରି ପରାମର୍ଶ ଦେଇଛନ୍ତି।

ସେ ଆହୁରି କହିଛନ୍ତି, ବହୁ ମାନସମନ୍ଥନ ଓ ଅନ୍ୟ ରାଜ୍ୟର ବୋର୍ଡ ଶୈଳୀକୁ
ଅନୁଧାନ କରାଯିବା ପରେ ବିକଳ୍ପ ମୂଲ୍ୟାୟନ ଚୂଡ଼ାନ୍ତ ହେଲା। ବିକଳ୍ପ ମୂଲ୍ୟାୟନ ଶୈଳୀକୁ ରାଜ୍ୟର ଜିଲ୍ଲା ଶିକ୍ଷାଧିକାରୀ ଓ ପ୍ରଧାନଶିକ୍ଷକମାନଙ୍କୁ ପଠାଯିବା ସହିତ ‌ବୋର୍ଡ ୱେବ୍‌ସାଇଟରେ ଛଡ଼ାଗଲା। ଏଥିରେ ନବମର ୨ଟି ପରୀକ୍ଷା‌ର ପ୍ରତି ବିଷୟର ସର୍ବାଧିକ ନମ୍ବରର ୪୦ ପ୍ରତିଶତ ସହିତ ଦଶମ ଶ୍ରେଣୀ ଶେଷ ତିନିଟି ଅଭ୍ୟାସ ପରୀକ୍ଷାରୁ ପ୍ରତି ବଷୟର ୨ଟି ସର୍ବାଧିକ ନମ୍ବରର ୩୦ ପ୍ରତିଶତ, ୩୦ ପ୍ରତିଶତକୁ ମିଶାଇ ଗୋଟିଏ ବିଷୟର ନମ୍ବର ପ୍ରସ୍ତୁତ ହେଲା। ଏହି ଆଧାରରେ ପିଲାଙ୍କ ନମ୍ବରକୁ ସ୍କୁଲଗୁଡ଼ିକ ଅପ୍‌ଲୋଡ୍‌ କରିଛନ୍ତି ବୋଲି ସଭାପତି ଶ୍ରୀ ହାଜରା କହିଛନ୍ତି। ଏହାସହିତ ବିଦ୍ୟାଳୟର ପୂର୍ବ ୪ବର୍ଷର ମାଟ୍ରିକ୍‌ ଫଳକୁ ମଡରେସନ୍ କରି ପିଲାଙ୍କ ଫଳ ପ୍ରକାଶ ପାଇଛି। ଏଥିରେ କୌଣସି ତ୍ରୁଟି ହୋଇନାହିଁ।‌ ଯେଉଁମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି, ସେମାନେ ଅଫ୍‌ଲାଇନରେ ପରୀକ୍ଷା ଦିଅନ୍ତୁ ବୋଲି ସଭାପତି ଶ୍ରୀ ହାଜରା କହିଛନ୍ତି।
ବୋର୍ଡ ଆଭିମୁଖ୍ୟ ବିଷୟରେ ସୂଚନା ଦେଇ ଉପ-ସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି ଯେ ମୂଲ୍ୟାୟନ ପ୍ରକ୍ରିୟା ଇସ୍ରୋ, ଆଇଆଇଟିର ଅଭିଜ୍ଞ ବି‌ଶେଷଙ୍କ ପରାମର୍ଶରେ ଗାଣିତିକ ସୂତ୍ର ଆଧାରରେ ସଂପାଦିତ ହୋଇଛି। ତେଣୁ କିଛି ତ୍ରୁଟି ହୋଇ ନାହିଁ ବୋଲି ଡକ୍ଟର ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ସପନ କୁମାର ଜେନା ଓ ସଂପାଦକ ଶ୍ରୀକାନ୍ତ କୁମାର ତରାଇ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ, ‌ମାଟ୍ରିକ୍ ଅସନ୍ତୋଷକୁ ନେଇ ସ୍ବର ଉଠାଇଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)। ସାମ୍ବାଦିକ ସମ୍ମିଳନୀରେ ଓଷ୍ଟା ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କ ବିକଳ୍ପ ମୂଲ୍ୟାୟନ ଶୈଳୀକୁ ସାଧାରଣରେ ପ୍ରକାଶ କର। ଅଫ୍‌ଲାଇନ୍ ପରୀକ୍ଷା ଦେବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଅଫ୍‌ଲାଇନ୍ ପରୀକ୍ଷା ‌ଦେବାର ସୁଯୋଗ ଦିଅ। ଅଫ୍‌ଲାଇନ୍ ପରୀକ୍ଷାର ନମ୍ବର ଓ ବିକଳ୍ପ ମୂଲ୍ୟାୟନରେ ମିଳିଥିବା ନମ୍ବର ମଧ୍ୟରୁ ଅଧିକ ନମ୍ବରଟିକୁ ପିଲାଙ୍କ ସଂପୃକ୍ତ ବିଷୟର ପ୍ରକୃତ ନମ୍ବର ଭାବେ ବିଚାର କର।’ ବୋର୍ଡ ପକ୍ଷରୁ ନବମ ଶ୍ରେଣୀ ଅର୍ଦ୍ଧବାର୍ଷିକ ଓ ବାର୍ଷିକ ପରୀକ୍ଷାର ପ୍ରତି ବିଷୟର ସର୍ବୋଚ୍ଚ ନମ୍ବରର ୪୦% ଓ ଦଶମ ପରୀକ୍ଷାର ଶେଷ ତିନିଟି ଅଭ୍ୟାସ ପରୀକ୍ଷାରୁ ପ୍ରତି ବିଷୟର ଦୁଇଟି ସର୍ବାଧିକ ନମ୍ବରର ୩୦%, ୩୦%କୁ ନେଇ ଫଳ ପ୍ରକାଶ ପାଇବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ଏବେ ପରୀକ୍ଷା ଫଳକୁ ହିସାବ କଲେ ବିଜ୍ଞପ୍ତି ସହ ଏହାର କୌଣସି ତାଳମେଳ ରହୁ ନଥିବା ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀ ଅଭିଯୋଗ କରୁଛନ୍ତି। ବୋର୍ଡର ସ୍ପଷ୍ଟୀକରଣ ଶିକ୍ଷକ ଓ ଶିକ୍ଷାବିତ୍‌ଙ୍କୁ ସନ୍ତୁଷ୍ଟ କରିପାରୁନାହିଁ। ଏଭଳି ସ୍ଥିତିରେ ବୋର୍ଡ ଫଳ ପ୍ରକାଶନର ଆଧାର ବା ମାପକ ବ୍ୟବସ୍ଥାକୁ ସାଧାରଣରେ ପ୍ରକାଶ କରିବା ସହ ଅଫ୍‌ଲାଇନ୍ ପରୀକ୍ଷା କରାଇବାକୁ ସାଧାରଣ ସଂପାଦକ ଶ୍ରୀ ମହାନ୍ତି ଦାବି କରିଛନ୍ତି।

ଏଥିସହିତ, ଯୁକ୍ତ ଦୁଇ ନାମଲେଖା ସମୟରେ ପ୍ରତି ମହାବିଦ୍ୟାଳୟ ପକ୍ଷରୁ ନିଜସ୍ବ ଏକ ପ୍ରବେଶିକା ପରୀକ୍ଷା କରାଇ ଛାତ୍ରଛାତ୍ରୀଙ୍କ ଏକ ମେରିଟ୍‌ ଲିଷ୍ଟ ପ୍ରସ୍ତୁତ କରିବାକୁ ‌ଓଷ୍ଟା ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ରଙ୍କ ସମେତ କର୍ମକର୍ତ୍ତା ଭିକାରି ଚରଣ ସାହୁ, ରଞ୍ଜନ କୁମାର ଦାଶ, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧିତ ଖବର