ନିଖିଳ ଉତ୍କଳ କ୍ଷୁଦ୍ର ପ୍ରକାଶକ ସଂଘର ଅଭିଯୋଗ: ସରକାରଙ୍କ ବହି କ୍ରୟ ନୀତିକୁ ନେଇ ଅସନ୍ତୋଷ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି ବା ଓସେପା ପକ୍ଷରୁ ବହି କ୍ରୟ ନୀତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଓସେପା କ୍ଷୁଦ୍ର ପ୍ରକାଶକଙ୍କୁ ଗୁରୁତ୍ବ ନଦେଇ ‘ତେଲିଆ ମୁଣ୍ଡରେ ତେଲ’ ଢାଳୁଥିବା ଅଭିଯୋଗ ଆଣିଛନ୍ତି ନିଖିଳ ଉତ୍କଳ କ୍ଷୁଦ୍ର ପ୍ରକାଶକ ସଂଘ। ନିକଟରେ ପ୍ରଥମ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ପାଠାଗାର ଉପଯୋଗୀ ପୁସ୍ତକ କ୍ରୟ କରିବାପାଇଁ ବିଜ୍ଞାପନ ପ୍ରକାଶ କରିଛନ୍ତି। ମାତ୍ର, ଏହି ବିଜ୍ଞାପନ ପଢ଼ିଲେ ମନେହୁଏ ଓଡ଼ିଶାର ୬୭ଟି ପୁସ୍ତକ ପ୍ରକାଶକଙ୍କ ସ୍ବାର୍ଥ ପାଇଁ ଏହା ଉଦ୍ଦିଷ୍ଟ। କାରଣ ଓସେପା ଏହି ପୁସ୍ତକ କେବଳ ସେହି ପ୍ରକାଶକଙ୍କଠାରୁ କିଣିବ, ଯାହାଙ୍କର ଗତ ବାର୍ଷିକ ବ୍ୟବସାୟ ୨୦ ଲକ୍ଷ ଟଙ୍କା ହୋଇଥିବ ଏବଂ ସର୍ବନିମ୍ନ ୨୦ଖଣ୍ଡ ବହି ଦାଖଲ କରିପାରୁଥିବ। କରୋନା କାଳରେ ବହି ଛାପା ଓ ବିକ୍ରି ମାନ୍ଦା ଥିବାବେଳେ ଏତେ ବହି ବିକ୍ରି କରିବା କ୍ଷୁଦ୍ର ପୁସ୍ତକ ପ୍ରକାଶକମାନଙ୍କ ପକ୍ଷେ ସମ୍ଭବ ନୁହେଁ। ଏହାବ୍ୟତୀତ ଓସେପାର ଟେଣ୍ଡର ପ୍ରକ୍ରିୟା ୧୭ ପୃଷ୍ଠା ବିଶିଷ୍ଟ ଓ ଏତେ କ୍ଲିଷ୍ଟ ଯେ, ଏହାକୁ ଅନୁସରଣ କରି ପୁସ୍ତକ ଦାଖଲ କରିବା ସହଜ ନୁହେଁ। ଏଣୁ ସହଜ ପଦ୍ଧତି ଅବଲମ୍ବନ କରାଯାଇ ଏହି ପୁସ୍ତକ କିଣାଯାଉ ଯେପରିକି ଜଣେ କ୍ଷୁଦ୍ର ପୁସ୍ତକ ପ୍ରକାଶକ ଏହି ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବ। ବଡ଼ ବଡ଼ ପୁସ୍ତକ ପ୍ରକାଶକଙ୍କ ପାଖରେ ଭଲ ବହି ଅଛି ଏବଂ କ୍ଷୁଦ୍ର ପୁସ୍ତକ ପ୍ରକାଶକମାନଙ୍କ ପାଖରେ ଭଲ ବହିନାହିଁ ବୋଲି ଓସେପା ଭାବୁଛି। ଯାହାକୁ ଦୃଷ୍ଟିରେ ରଖି ଏହି କ୍ଲିଷ୍ଟ ଟେଣ୍ଡର ପ୍ରକାଶ କରିଥିବା ନଖିଳ ଉତ୍କଳ କ୍ଷୁଦ୍ର ପ୍ରକାଶକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।

ଆହୁରି ମଧ୍ୟ ସଂଘ ଅଭିଯୋଗ କରିଛି ଯେ, ଏହା ରୀତିମତ ଏକ ଷଡ଼୍‌ଯନ୍ତ୍ର । ଏଥିରେ କିଏ କେତେ ପିସି ନେବେ ପୂର୍ବରୁ ଦିଆସରିଛି। ସରକାର ଏହିଭଳି କେତେକ ପ୍ରକାଶକମାନଙ୍କ କଥାରେ ଭଳି ପୁସ୍ତକମେଳା ବନ୍ଦକଲେ। ଅଂଶୁଘାତ ହେବ, ଝଡ଼ ତୋଫାନ ହେବ, ପ୍ରଚଣ୍ଡ ରୌଦ୍ରତାପରେ ପାଠକମାନେ ଘରୁ ବାହାରିବା ସମ୍ଭବ ହେବନାହିଁ, କାଳବୈଶାଖୀରେ ବହି ସବୁ ନଷ୍ଟ ହୋଇଯିବା ଇତ୍ୟାଦି କାରଣ ଦର୍ଶାଇଲେ। ଫଳରେ, ବହି ବ୍ୟବସାୟ ବନ୍ଦକରିବା ଓ ଆୟ କମାଇଦେବା ପାଇଁ ଏହା ଏକ ଚକ୍ରାନ୍ତ ଥିଲା। ଏଣୁ, ଓସେପା ତେଲିଆ ମୁଣ୍ଡରେ ତେଲ ଢାଳିବା ବନ୍ଦ କରି ନଖରା ମୁଣ୍ଡରେ ଥିବା ଗରିବ କ୍ଷୁଦ୍ର ପୁସ୍ତକ ପ୍ରକାଶକ ଓ ବିକ୍ରେତାମାନଙ୍କ କଥା ବୁଝନ୍ତୁ। ନଚେତ୍‌ ଆଗାମୀ ଦିନରେ ଏକ ବଡ଼ଧରଣର ଆନ୍ଦୋଳନ ହେବା ସୁନିଶ୍ଚିତ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର