ମାଟ୍ରିକ ଫଳକୁ ନେଇ ଅସନ୍ତୋଷ, ଶିଶୁମନ୍ଦିର ଘେରିଲେ ଛାତ୍ରଛାତ୍ରୀ

ଦଶରଥପୁର : ଚଳିତ ମାଟ୍ରିକ ଫଳକୁ ନେଇ ଦଶରଥପୁର ବ୍ଲକ୍‌ ମଙ୍ଗଳପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ସୋମବାର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଶିଶୁମନ୍ଦିର ଘେରାଉ କରିବା ସହ ପୁନଃ ମୂଲ୍ୟାୟନ ପାଇଁ ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଶିଶୁମନ୍ଦିରର ଛାତ୍ର ଦେବସ୍ନାତ ରାଉତ ନବମ ଶ୍ରେଣୀ ଟେଷ୍ଟରେ ୩୯୮ ଓ ବାର୍ଷିକ ପରୀକ୍ଷାରେ ୩୯୦ ନମ୍ବର ରଖିଥିଲେ। ବର୍ତ୍ତମାନ ତାଙ୍କୁ ୨୯୪ ନମ୍ବର ଦିଆଯାଇଛି। ସେହିପରି ଚିନ୍ମୟ ପାଣିଗ୍ରାହୀଙ୍କର ଟେଷ୍ଟରେ ୫୪୮ ଓ ବାର୍ଷିକ ପରୀକ୍ଷାରେ ୫୫୦ ନମ୍ବର ରହିଥିବା ବେଳେ ମାଟ୍ରିକରେ ତାଙ୍କୁ ୪୫୦ ନମ୍ବର ଦିଆଯାଇଛି। ଓମ୍‌ ପ୍ରକାଶ ମଲ୍ଲିକଙ୍କର ଟେଷ୍ଟରେ ୪୭୩ ଓ ବାର୍ଷିକରେ ୪୭୯ ରହିଥିବା ବେଳେ ମାଟ୍ରିକରେ ୩୮୨ ନମ୍ବର ମିଳିଛି। ରଂଜିତ କୁମାର ଦଳାଇ ଟେଷ୍ଟରେ ୪୨୭ ଓ ବାର୍ଷିକରେ ୪୫୨ ରଖିଥିବା ବେଳେ ମାଟ୍ରିକରେ ୩୩୮ ନମ୍ବର ପାଇଛନ୍ତି। ସାଇ ଶୁଭମ ଜେନା ଟେଷ୍ଟରେ ୪୬୪ ଓ ବାର୍ଷିକରେ ୪୬୮ ରଖିଥିବା ବେଳେ ଏବେ ୩୯୬ ନମ୍ବର ପାଇଛନ୍ତି। ସୋହାନୀ ଜେନା ଟେଷ୍ଟରେ ୪୯୦ ଓ ବାର୍ଷିକରେ ୪୯୨ ରଖିଥିବା ବେଳେ ମାଟ୍ରିକରେ ୩୯୭ ନମ୍ବର ରଖିଛନ୍ତି।

ବହୁ ଛାତ୍ରଛାତ୍ରୀଙ୍କର ଏଭଳି ହୋଇଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ଶିଶୁମନ୍ଦିର ଘେରାଉ କରି ପୁନଃ ମୂଲ୍ୟାୟନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ଏସମ୍ପର୍କରେ ବୋର୍ଡ କର୍ତ୍ତୃପକ୍ଷ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ଶିଶୁମନ୍ଦିର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର