ତେଲକୋଇ: ବକେୟା ବିଦ୍ୟୁତ୍‌ ବିଲ୍‌ ଛାଡ଼ କରାଯାଉ ନଥିବାରୁ ଏହାକୁ ନେଇ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ରେ ଅସନ୍ତୋଷ ତେଜିବାରେ ଲାଗିଛି। ବେକୟା ବିଲ୍‌ ଥିବା ଲୋକଙ୍କ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଉଥିବାରୁ ଏହାକୁ ନେଇ ତେଲ ବ୍ଲକ୍‌ ସଭାଗୃହରେ ଅନୁଷ୍ଠିତ ବୈଠକରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଜନପ୍ରତିନିଧିମାନେ ଅସନ୍ତୋଷ ବ୍ୟକ୍ତ କରି ବୈଠକ ଅଧାରୁ ଉଠି ଚାଲି ଯାଇଛନ୍ତି।
ପୁରୁଣା ବକେୟା ବିଦ୍ୟୁତ୍ ବିଲ୍ ଛାଡ଼ କରିବାକୁ ଜଗମୋହନପୁର ଆଞ୍ଚଳିକ ବିଦ୍ୟୁତ୍ ପରିଚାଳନା ସମନ୍ୱୟ କମିଟି ଦାବି କରିଆସୁଛି। ବିଦ୍ୟୁତ୍ ସଂଯୋଗ ନ ଥାଇ ହଜାର ହଜାର ଟଙ୍କାର ବିଲ୍ ଆସିଛି। ଏହାକୁ ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ଶକ୍ତିମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯାଇଛି।

Advertisment

ଏନେଇ ଟିପିଏନ୍‌ଓଡିଏଲ୍‌ ଅଧିକାରୀ, ବ୍ଲକ ଏବଂ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଜଣାଇ ଦିଆଯାଇଛି। ୨୪ ତାରିଖ ସୁଦ୍ଧା ଏହାର ସ୍ଥାୟୀ ସମାଧାନ ନକଲେ ବାଧ୍ୟ ହୋଇ ଅଞ୍ଚଳବାସୀ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଗତକାଲି କମିଟି ସଦସ୍ୟ ଓ ସ୍ଥାନୀୟ ଲୋକପ୍ରତିନିଧି ଜିଲ୍ଲାପାଳଙ୍କ ନିକଟରେ ନେଇ ଫେରାଦ ହୋଇଥିଲେ। ଜିଲ୍ଲାପାଳ କୌଣସି ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ନ କରିବାକୁ ଟିପିଏନ୍‌ଓଡିଏଲ୍‌କୁ କହିଥିଲେ। ଆଜି ବିଦ୍ୟୁତ୍ ବିଭାଗ ଅଧିକାରୀ, ପ୍ରଶାସନିକ ଅଧିକାରୀ, ଆଞ୍ଚଳିକ ବିଦ୍ୟୁତ୍ ପରିଚାଳନା ସମନ୍ୱୟ କମିଟିର କର୍ମକର୍ତ୍ତା, ଲୋକପ୍ରତିନିଧିଙ୍କୁ ନେଇ ବ୍ଲକ୍‌ ସଭାଗୃହରେ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳଙ୍କ ନିର୍ଦେଶ ସତ୍ତ୍ବେ ଆଜି ଖୁଣ୍ଟାପଡ଼ା ପଞ୍ଚାୟତ କନ୍ତଲେଇ ଗ୍ରାମର ଲକ୍ଷ୍ମୀଧର ପାତ୍ର, ମୋହନ ପାତ୍ର, ନନ୍ଦ ପାତ୍ର, ପ୍ରସନ୍ନ ପାତ୍ର, ଲୋଚନ ପାତ୍ର, ନୀର ପାତ୍ର, ବୀର ପାତ୍ର, ଶଶି ପାତ୍ର, ସରୋଜ ପାତ୍ର, ମାୟା ପାତ୍ର, ଢେଣା ମହାରଣା, ଧନୁ ମହାରଣା, ରୟା ମହାରଣା, ଗୋବିନ୍ଦ ମହାରଣା ପ୍ରମୁଖ ୧୪ଜଣ ହିତାଧିକାରୀଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଏ‌ହାକୁ ନେଇ ଆଜି ବୈଠକରେ ପ୍ରବଳ ହୋହଲ୍ଲା ହୋଇଥିଲା। ସମସ୍ତ ଲୋକପ୍ରତିନିଧି ସଭାରୁ ଉଠି ଚାଲି ଯାଇଥିଲେ। କୌଣସି ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବା ପୂର୍ବରୁ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚଙ୍କୁ ସୂଚନା ଦେବାକୁ ସରପଞ୍ଚମାନେ ତାଗିଦ କରିଛନ୍ତି। ଏହାର ପ୍ରତିବାଦରେ ଆଗାମୀ ଦିନରେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କମିଟି ସମ୍ପାଦକ ଜଳଧର ଖୁଣ୍ଟିଆ ଚେତାବନୀ ଦେଇଛନ୍ତି।

ଆଜିର ବୈଠକରେ ବିଡିଓ ଶାନ୍ତନୁ କୁମାର ନାୟକ, ତହସିଲଦାର ଅଶ୍ବିନୀ କୁମାର ନାଏକ, ଜିଲ୍ଲାପରିଷଦ ସଦସ୍ୟ କେଦାର ଚନ୍ଦ୍ର ପ୍ରଧାନ, ରାଜ୍ୟ ବିଜେଡି ସମ୍ପାଦକ ତଥା ପୂର୍ବତନ ବିଧାୟକ ଧନୁର୍ଜୟ ସିଦୁ, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ପ୍ରଧାନ, ଖୁଣ୍ଟାପଡ଼ା ସମିତିସଭ୍ୟ ଅନନ୍ତ ଚରଣ ବେହେରା, ସରପଞ୍ଚ ଲକ୍ଷ୍ମୀ ମୁଣ୍ଡା, ତେଲକୋଇ ସରପଞ୍ଚ ରଶ୍ମିତା ନାୟକ, ଦୋବଲାପାଳ ସରପଞ୍ଚ ବିନୟ କୁମାର ନାୟକ, ଓରିଆ ବିରିଦା  ସରପଞ୍ଚ ମେରିସ୍ମିତା ମୁଣ୍ଡା,ସଲେଇକେନା ସରପଞ୍ଚ ପାଙ୍ଗେଲା ମୁଣ୍ଡା, ଜଗମୋହନପୁର ସରପଞ୍ଚ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ପଡ଼ାଙ୍ଗ ସମିତିସଭ୍ୟା ଲିପି ପରିଡ଼ା, ଭୀମକାଣ୍ଡ ସମିତିସଭ୍ୟ ବିରଞ୍ଚି କୁମାର ବେହେରା ତଥା ଟିପିଏନ୍‌ଓଡିଏଲ୍‌ ନିର୍ବାହୀ ଯନ୍ତ୍ରୀ ମୀନକେତନ ସାମଲ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପରିଡ଼ା, କନିଷ୍ଠ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।