ରାଉରକେଲା: ସାମାନ୍ୟ ଘଟଣା କିମ୍ବା ପାରିବାରିକ ଅସନ୍ତୋଷ ପାଇଁ ନିଜର ଜନ୍ମକଲା ବାପାଙ୍କୁ ମଧ୍ୟ ହତ୍ୟା କରିବା ପାଇଁ ପୁଅ ପଛାଉ ନାହାନ୍ତି। ଏହିଭଳି ଘଟିଥିବା ଦୁଇଟି ଘଟଣାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଗୋଟିଏ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡା ଥାନା ଅନ୍ତର୍ଗତ ଗଣିଘସା ଗ୍ରାମରେ ଘଟିଛି। ଜଙ୍ଗଲରେ ଛେଳି ହଜିଯିବାକୁ ନେଇ ଏହି ଗ୍ରାମର ଭୁବନ ମୁଣ୍ଡା ଓ ପୁଅ ଆକାଶଙ୍କ ମଧ୍ୟରେ କଳିଝଗଡ଼ା ହୋଇଥିଲା। ପୁଅ ଆକାଶ ହଠାତ୍‌ ଉତ୍‌କ୍ଷିପ୍ତ ହୋଇ ଏକ ଠେଙ୍ଗା‌େର ଭୁବନଙ୍କୁ ପ୍ରାଣାତ୍ମକ ଆକ୍ରମଣ କରିଥିଲେ। ଭୁବନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବେହୋସ ହୋଇ ତଳେ ପଡିଯିବା ପରେ ଆକାଶ ସେଠାରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଭୁବନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଅନ୍ୟପକ୍ଷରେ, ଦ୍ବିତୀୟ ପତ୍ନୀ ଗ୍ରହଣ କରିବାକୁ କୁଳର ନିୟମାନୁସାରେ ପ୍ରଥମ ପତ୍ନୀର ଲିଖିତ ସ୍ବୀକୃତି ନମିଳିବାରୁ ବାପାର ଛାତିକୁ ଛୁରୀ ଭୁସି ହତ୍ୟା କରିଛି ପୁଅ। ଗଞ୍ଜାମ ଜିଲ୍ଲା ଆସିକା ଥାନା ପଢ଼ାଳ ଗ୍ରାମ ହରିଜନ ସାହିରେ ଏଭଳି ଅଭାବନୀୟ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଜଣକ ହେଉଛନ୍ତି, ଦେବରାଜ ନାହାକ (୬୪)। ଏନେଇ କେସ୍ ନମ୍ବର ୭୨୧/୨୨ ଅନୁସାରେ ହତ୍ୟା ମାମଲା ରୁଜୁ ସହ ଅଭିଯୁକ୍ତ ପୁଅ ଅରୁଣକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।