ବାଲିଶଙ୍କରା ବ୍ଲକରେ ଜିଲ୍ଲାପାଳ, ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା‌

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ବୁଧବାର  ବାଲିଶଙ୍କରା ବ୍ଲକ୍ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି। ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁଫଳ ସମ୍ପର୍କରେ ଜିଲ୍ଲାପାଳ ହିତାଧିକାରୀମାନଙ୍କ ଠାରୁ  ସିଧାସଳଖ ପଚାରି ବୁଝିଥିଲେ। ଏହି ଅବସରରେ ନିର୍ମାଣାଧୀନ ପ୍ରକଳ୍ପ କାମ ଶୀଘ୍ର ଶେଷ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଏବଂ ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି)ର ଆର୍ଥିକ ସହାୟତାରେ ବ୍ଲକରେ  ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ରାଜ୍ୟ ସରକାରଙ୍କ ୫ଟି ଅଭିଯାନ ଅଧୀନରେ ତଲସରା, ବାଲିଶଙ୍କରା, ବୀରବର, ବନ୍ଧବାହାଲ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଦେଖିଥିଲେ। ଏହିକ୍ରମରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପାଠପଢ଼ା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ପରେ ତୁମୁଲିଆ ପଞ୍ଚାୟତରେ ବାଲା ମଡେଲ ଢାଞ୍ଚାରେ ନିର୍ମାଣ କରାଯାଇଥିବା ଆଧୁନିକ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ପୋଷଣ କାର୍ଯ୍ୟକ୍ରମ, ପାନୀୟ ଜଳ ଆଦି ବିଷୟରେ ଅଙ୍ଗନବାଡ଼ି କର୍ମୀଙ୍କ ସହିତ ସେ କଥା ହୋଇଥିଲେ। ଏହା ଛଡ଼ା ବ୍ଲକର ରାଉଲଡେଗାଠାରେ ଥିବା ମା’ଗୃହ ପରିଦର୍ଶନ କରି ଗର୍ଭବତୀ ଓ ପ୍ରସୂତି ମା’ଙ୍କୁ ମିଳୁଥିବା ବିଭିନ୍ନ ସେବା ସମ୍ପର୍କରେ ପଚାରି ବୁଝିଥିଲେ।

ଏହା ପରେ ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନା ଅଧୀନରେ ତଲସରା, କୋରୁଆବାହାଲ ଏବଂ ବାଲିଶଙ୍କରା ଗ୍ରାମପଞ୍ଚାୟତର ୩ ଜଣ ମହିଳାଙ୍କୁ ମିଳିଥିବା ଅଟୋ ରିକ୍ସାର ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ। ଏହି ଗସ୍ତ ବେଳେ ତାଙ୍କ ସହ ବାଲିଶଙ୍କରା ପଞ୍ଚାୟତସମିତି ଅଧ୍ୟକ୍ଷା କୁଞ୍ଜଲତା ଭିତିରିଆ, ଜିଲ୍ଲା ପରିଷଦ ସଦସ୍ୟା ଜୟନ୍ତୀ ଏକ୍କା, ବିଡିଓ ବାସନ୍ତୀ ଲାକ୍ରା, ତହସିଲଦାର ରିନା ନାଏକ, କନିଷ୍ଠ ଯନ୍ତ୍ରୀ ରାଧେଶ୍ୟାମ ଦାସ, ସହକାରୀ ଯନ୍ତ୍ରୀ ସାଗାରାମ ମାର୍ଣ୍ଡି, ଓଡ଼ିଶା ଜୀବିକା ମିଶନର ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ଅରବିନ୍ଦ ନାଏକ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରତିମା ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର