ଓଏଭିରେ ମଧ୍ୟାହ୍ନ ଭୋଜନ ପରଖିଲେ ଜିଲ୍ଲାପାଳ

ମୁରିବାହାଲ: ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍‌ପି ନିତିନ କୁଶଲକର ଓ ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁରିବାହାଲ ବ୍ଲକ୍‌କୁ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେବାକୁ ଆସିଥିବା ବେଳେ ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ବହୁ ଦିନରୁ ନିର୍ମିତ ବାଳିକା ହଷ୍ଟେଲ କାର୍ଯ୍ୟକ୍ଷମ ହୋଇନଥିବା ଜାଣିବାକୁ ପାଇଥିଲେ। ଆଗାମୀ ୭ଦିନ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିବାକୁ ଭାରପ୍ରାପ୍ତ ଅଧ୍ୟକ୍ଷ ପୀତାମ୍ବର ବେଶ୍ରାଙ୍କୁ ନିର୍ଦେଶ ଦେଇଥିଲେ।

ଏହାପରେ ସ୍କୁଲ କୋଠରିଗୁଡ଼ିକ ବୁଲି ଦେଖି ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲେ। ରୋଷେଇ ଶାଳରେ ପହଞ୍ଚି ରାନ୍ଧୁଣିଆଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ମେନୁ ଅନୁସାରେ ଖାଦ୍ୟ ଠିକ ଥିବା ବେଳେ ଅଧିକ ଥିବା ଶାଗଭଜା କାହା ପାଇଁ ରନ୍ଧାଯାଇଛି, ଛାତ୍ରଛାତ୍ରୀଙ୍କୁ କାହିଁକି ଦିଆଯାଇ ନାହିଁ ବୋଲି ପଚାରିଥିଲେ। ଏହାପରେ ଜିଲ୍ଲାପାଳ, ଏସ୍‌ପି ଓ ଉପଜିଲ୍ଲାପାଳ ମଧ୍ୟାହ୍ନ ଭୋଜନ ଚାଖିଥିଲେ। ଖାଦ୍ୟ ପ୍ରସ୍ତୁତି ଭଲ ହୋଇଥିବା ପ୍ରକାଶ କରି ବାହାରେ ଡଷ୍ଟବିନ ରଖିବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର