ବାର୍‌ ପ୍ରାର୍ଥୀ ଭାବେ ପରୀକ୍ଷା ଦେଇପାରିବେନି ଅଧିକାରୀ

ଜିଲ୍ଲା ଜଜ୍‌ ନିଯୁକ୍ତି ସଂକ୍ରାନ୍ତ ମାମଲା ହାଇକୋର୍ଟରେ ଖାରଜ

କଟକ: ସିଧାସଳଖ ବାର୍‌ରୁ ଜିଲ୍ଲା ଜଜ୍ କ୍ୟାଡରରେ ନିଯୁକ୍ତି ପାଇଁ ଅନୁଷ୍ଠିତ ପରୀକ୍ଷାରେ ବିଚାରବିଭାଗୀୟ ଅଧିକାରୀ ପ୍ରାର୍ଥୀ ହୋଇ ପାରିବେ ନାହିଁ। ବିଚାର ବିଭାଗୀୟ ସେବା (ଓଜେଏସ୍)ରେ ଯୋଗ ଦେବା ପୂର୍ବରୁ ୭ ବର୍ଷ ବା ତାଠାରୁ ଅଧିକ ଓକିଲାତି ପେସାର ଅନୁଭବ ଥିବା ପ୍ରାର୍ଥୀଙ୍କୁ ବାର୍‌ରୁ ଜିଲ୍ଲା ଜଜ୍ କ୍ୟାଡରରେ ନିଯୁକ୍ତି ଲାଗି ଅନୁଷ୍ଠିତ ପରୀକ୍ଷାରେ ବସିବାକୁ ଅନୁମତି ଲୋଡି ଦାୟର ଆବେଦନ ଗୁଡିକୁ ହାଇକୋର୍ଟ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲା ଗୁଡିକୁ ଅଗ୍ରାହ୍ୟ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ସିଧାସଳଖ ଜିଲ୍ଲା ଜଜ ନିଯୁକ୍ତି ପରୀକ୍ଷା ପାଇଁ ହାଇକୋର୍ଟ ପକ୍ଷରୁ ୨୦୧୮, ସେପ୍ଟେମ୍ବର ୧୫ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବାର୍‌ରୁ ଯେଉଁମାନେ ପ୍ରାର୍ଥୀ ହେବେ ସେମାନଙ୍କର ୨୦୧୮, ଅଗଷ୍ଟ ୧ ତାରିଖ ସୁଦ୍ଧା ୭ ବର୍ଷର ଓକିଲାତି ଅନୁଭବ ରହିଥିବ ବୋଲି ସର୍ତ୍ତ ରଖାଯାଇଥିଲା। ସେହିଭଳି ବିଚାରବିଭାଗୀୟ ସେବା ଅଧିକାରୀଙ୍କ ପାଇଁ ପ୍ରକ‌ାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ଯେ ଯେଉଁ ବ୍ୟକ୍ତି ସିନିୟର ସିଭିଲ ଜଜ୍ କ୍ୟାଡରରେ ୫ ବର୍ଷ ଚାକିରି କରି ସାରିଛନ୍ତି ସେମାନେ ଏହି ଜିଲ୍ଲା ଜଜ୍ ପରୀକ୍ଷାରେ ପ୍ରାର୍ଥୀ ହେବା ପାଇଁ ଯୋଗ୍ୟ। ଓଡ଼ିଶା ବିଚାରବିଭାଗୀୟ ସେବା(ଓଜେଏସ୍)ରେ କୃତିତ୍ବ ଅର୍ଜନ କରି ବିଚାରବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବହୁ ପ୍ରାର୍ଥୀ କିନ୍ତୁ ଏପରି ଯୋଗ୍ୟତା ମାପଦଣ୍ଡ ଯୋଗୁ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରି ପାରୁ ନଥିଲେ। ସେମାନଙ୍କର ସିଭିଲ ଜଜ୍ କ୍ୟାଡରରେ ଚାକିରିର ୫ ବର୍ଷର ଚାକିରି ଅନୁଭୂତି ନଥିଲା। କିନ୍ତୁ ଏପରି କିଛି ବିଚାରବିଭାଗୀୟ ଅଧିକାରୀଙ୍କ ଓଜେଏସ୍‌ରେ ଯୋଗ ଦେବା ପୂର୍ବରୁ ୭ ବର୍ଷର ଓକିଲାତି ଅନୁଭବ ଥିଲା। ଏପରି ପ୍ରାର୍ଥୀମାନେ ପୂର୍ବର ୭ ବର୍ଷର ଓକିଲାତି ଅନୁଭବ ଆଧାରରେ ସିଧାସଳଖ ବାର୍‌ରୁ ଜିଲ୍ଲା ଜଜ୍ କ୍ୟାଡରରେ ନିଯୁକ୍ତି ପାଇଁ ଅନୁଷ୍ଠିତ ପରୀକ୍ଷାରେ ପ୍ରାର୍ଥୀ ହେବା ପାଇଁ ଆବେଦନ କରିଥିଲେ। କିନ୍ତୁ ୨୦୧୮, ନଭେମ୍ବର ୫ରେ ପ୍ରକ‌ାଶିତ ଚୂଡାନ୍ତ ଯୋଗ୍ୟ ପ୍ରାର୍ଥୀ ତାଲିକାରେ ଏପରି ଆବେଦନକାରୀଙ୍କ ନାଁ ସ୍ଥାନ ପାଇ ନଥିଲା।

ଏପରି ପରିସ୍ଥିତିରେ ବାର୍‌ରୁ ଜିଲ୍ଲା ଜଜ୍ କ୍ୟାଡରରେ ନିଯୁକ୍ତି ପାଇଁ ଅନୁଷ୍ଠିତ ପରୀକ୍ଷାରେ ପ୍ରାର୍ଥୀ ହେବାକୁ ଅନ୍ତରୀଣ ଅନୁମତି ପ୍ରଦାନ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଆବେଦନକୁ ବିରୋଧ କରିି ସରକାରୀ ଓକିଲ(ଜିଏ) ରମାକାନ୍ତ ମହାପାତ୍ର ଦର୍ଶାଇଥିଲେ ଯେ ବିଚାରବିଭାଗୀୟ ଅଧିକାରୀ କେବଳ ବିଚାରବିଭାଗୀୟ ସେବା ଅଧିକାରୀଙ୍କ ପାଇଁ ପ୍ରକ‌ାଶିତ ବିଜ୍ଞପ୍ତିି ଆଧାରରେ ପ୍ରାର୍ଥୀ ହୋଇ ପାରିବେ। ଆବେଦନକାରୀ ବିଚାରବିଭାଗୀୟ ଅଧିକାରୀ ହୋଇଥିବାରୁ ବାର୍‌ରୁ ପ୍ରାର୍ଥୀ ହୋଇ ଜିଲ୍ଲା ଜଜ୍ ନିଯୁକ୍ତି ପରୀକ୍ଷା ଦେଇ ପାରିବେ ନାହିଁ।

ସମ୍ବନ୍ଧିତ ଖବର