ଜିଲ୍ଲାସ୍ତରୀୟ ଆଶା, ଗାଁ’ କଲ୍ୟାଣ ସମିତି ଓ ଜନ ଆରୋଗ୍ୟ ସମିତି ସମ୍ମିଳନୀ
ଏଣିକି ‘ଆଶା କର୍ମୀ’ ନୁହେଁ ସମ୍ବୋଧନ କରାଯିବ ‘ଆଶା ମା’
ବୌଦ୍ଧ: ମମତା ଯୋଜନାରୁ ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ଅର୍ଥାତ ଅନ୍ତୁଡ଼ିଶାଳରୁ ଶ୍ମଶାନ ପର୍ଯ୍ୟନ୍ତ ଆଶାକର୍ମୀ ପ୍ରତ୍ୟକ୍ଷ ଭାବରେ ଲୋକଙ୍କ ପାଖରେ ଠିଆହୋଇ ସାହାଯ୍ୟର ହାତ ବଢ଼ାଉଛନ୍ତି। ତେଣୁ ସେମାନଙ୍କୁ ଆଉ ‘ଆଶା କର୍ମୀ’ ନୁହେଁ, ‘ଆଶା ମା’ ବୋଲି ସମ୍ବୋଧନ କରାଯିବ। ବୁଧବାର ଟାଉନ ହଲରେ ଅନୁଷ୍ଠିତ ଆଶା, ଗାଁ କଲ୍ୟାଣ ସମିତି ଓ ଜନ ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହା କହିଛନ୍ତି। ସିଡିଏମଓ ଡା. ଜୟକୃଷ୍ଣ ମିଶ୍ର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ।
ସମ୍ମାନିତ ଅତିଥି ଭାବରେ ଏଡିଏମଓ(ପିଏଚ) ଡା. ମଦନମୋହନ ପ୍ରଧାନ, ଏଡିଏମଓ(ଏଫଡବ୍ଲୁ) ଡା. ଭଞ୍ଜକିଶୋର ରାମଚନ୍ଦ୍ର ଦେଓ ହେମ୍ବ୍ରମ, ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅଧିକାରୀ ଡା. ସଂଘମିତ୍ରା ପଣ୍ଡା ଓ ଡିଏସଡବ୍ଲୁଓ ସସ୍ମିତା ପ୍ରଧାନ ଯୋଗ ଦେଇଥିଲେ। ଭାରପ୍ରାପ୍ତ ଏନଏଚଏମ ଡିପିଏମ ମନୋରଞ୍ଜନ ସାହୁ ମଧ୍ୟ ଉପସ୍ଥିତ ଥିଲେ। ଚଳିତ ବର୍ଷର ଶ୍ରେଷ୍ଠ ଆଶା ମା ଭାବରେ ବୌଦ୍ଧ ବ୍ଲକର ସ୍ବର୍ଣ୍ଣପ୍ରଭା ମିଶ୍ର, ହରଭଙ୍ଗା ବ୍ଲକର ଶକୁନ୍ତଳା ଭୋକ୍ତା, କଣ୍ଟାମାଳ ବ୍ଲକର କଳ୍ପନା ସେଠୀ, ଏନଏସିର ରିତା ରାଜଙ୍କୁ ସମ୍ମାନିତ କରାଯାଇଛି। ସେହିପରି ବୌଦ୍ଧ ବ୍ଲକର ଗୌତମପାଲି, ହରଭଙ୍ଗା ବ୍ଲକର ପିତାମ୍ବରପୁର ଓ କଣ୍ଟାମାଳ ବ୍ଲକ ନୂର୍ପାକୁ ସୁସ୍ଥ ଗାଁ ଭାବରେ ଅର୍ଥରାଶି ସହ ସମ୍ମାନିତ କରାଯାଇଛି।