ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆଜି ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଛାତ୍ରୀମାନେ ପ୍ରାଶାସନିକ କୋଠା ସମ୍ମୁଖରେ ଧାରଣା ଦେଇଥିଲେ। ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଧାରଣାସ୍ଥଳକୁ ଆସି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା।

Advertisment

ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ ଓ ହଷ୍ଟେଲରେ ୱାଇଫାଇ ବ୍ୟବସ୍ଥା, ମେସ୍‌ରେ ୪୫ଟି ମିଲ୍ ଖାଇବାକୁ ବାଧ୍ୟତାମୂଳକ କରାଯାଇଥିବା ବ‌େଳେ ଏହାର ସଂଖ୍ୟା ୩୦କୁ ଆଣିବା, ହଷ୍ଟେଲ ପରିସର ସଫା କରାଯିବା, ରବିବାର ଲାଇବ୍ରେରି ଖୋଲିବା, ବନ୍ଦ ରହୁଥିବା ଫାଟକ ଖୋଲିବା, ଶିକ୍ଷକମାନଙ୍କୁ ଅନ୍ୟ କାମରେ ନିୟୋଜିତ ନ କରି ନିୟମିତ କ୍ଲାସ୍‌ କରିବା, ହଷ୍ଟେଲ ପରିସରରେ ଥିବା ରାସ୍ତାର ମରାମତି, ୟୁରେଟ୍‌ ପରୀକ୍ଷା, ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ବାର୍ଷିକ ଉତ୍ସବ ପାଇଁ ଆଦାୟ ହେଉଥିବା ଅର୍ଥକୁ ବ୍ୟବହାର କରିବା, ଛାତ୍ରଛାତ୍ରୀଙ୍କ ଠାରୁ ଅର୍ଥ ଆଦାୟ କରାଯାଉଥିଲେ ମଧ୍ୟ କ୍ୟାଲେଣ୍ଡର ଓ ମେଗାଜିନ ପ୍ରଦାନ କରାଯାଉନଥିବା ଆଦି ଦାବି କରି ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଥିଲେ। ଉପରୋକ୍ତ ଦାବିକୁ ନେଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ବି କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଥିଲେ।

ଆଜି ଛାତ୍ର ଦୁର୍ଗା ମାଧବ ପ୍ରଧାନଙ୍କ ନେତୃତ୍ୱରେ ବହୁ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ପ୍ରାଶାସନିକ କୋଠା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୁଇ ଘଣ୍ଟା ଧରି ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବି କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଘଟଣାସ୍ଥଳକୁ ଆସିନଥିଲେ। ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ବିକ୍ଷୋଭ ସ୍ଥଳକୁ ଆସି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ହଷ୍ଟେଲ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ବିକ୍ଷୋଭରୁ ହଟିଥିଲେ। ଏ ନେଇ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରେ ଆଜି ସନ୍ଧ୍ୟାରେ ହଷ୍ଟେଲ ସମ୍ପର୍କିତ ସମସ୍ୟାକୁ ନେଇ ହଷ୍ଟେଲ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ୱାଇ-ଫାଇ ସେବା, ହଷ୍ଟେଲ ସଫେଇ, ରବିବାର ଦିନ ଲାଇବ୍ରେରି ଖୋଲାଯିବା ,ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ବାର୍ଷିକ ଉତ୍ସବ, କ୍ୟାଲେଣ୍ଡର, ମେଗାଜିନ ଆଦି ସମାଧାନ ହେବା ସହ ମେସ୍‌ରେ ଖାଇବା ସଂଖ୍ୟା ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଅନ୍ୟାନ୍ୟ ସମସ୍ୟା ସଂପର୍କରେ କୁଳପତି ଏବଂ କମିଟି ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରଫେସର ମହାନ୍ତି କହିଛନ୍ତି ।