ପାଣି ପାଇଲେନି, ଖରାରେ ସିଝିଲେ
ମଙ୍ଗୁଳି ରେଳଷ୍ଟେସନ୍‌ରେ କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହେବା ପରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଟ୍ରେନ୍‌ର ଗତି ମନ୍ଥର ଥିବାରୁ ଯାତ୍ରୀମାନେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ତେବେ ଦୁର୍ଘଟଣା ପରେ ପ୍ରାଶାସନିକ ଅଧିକାରୀଙ୍କ ପହଞ୍ଚିବା ବିଳମ୍ବ ହେବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ମୁଖ୍ୟତଃ ମଙ୍ଗୁଳି ରେଳଷ୍ଟେସନରେ କୌଣସି ଦୋକାନ ନ ଥିବାରୁ ଯାତ୍ରୀମାନେ ପିଇବା ପାଣି ପାଇଁ ଡହଳବିକଳ ହୋଇଥିବା ଦେଖିବାକୁ ମିଳିଥିଲା। ଟ୍ରେନରେ ଆସୁଥିବା ବହୁ ରୋଗାକ୍ରାନ୍ତ ଯାତ୍ରୀମାନେ ଦୁର୍ଘଟଣା ପରେ ରେଳ ଲାଇନ୍‌ରେ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା। ରେଳ ବିଭାଗ ଓ ପ୍ରଶାସନ ବିରୋଧରେ ସେମାନଙ୍କ ଅସନ୍ତୋଷ ଚରମସୀମାରେ ପହଞ୍ଚିଥିଲା। 

Advertisment

ଯାତ୍ରୀମାନଙ୍କ ଦୁଃଖ ଅସହ୍ୟ ଥିଲା
ବେଙ୍ଗାଲୁରୁର ଯାତ୍ରୀ ଫାରୁଖ ତାଙ୍କ ଦୁଃଖ ବଖାଣିବାକୁ ଯାଇ କହିଛନ୍ତି ଦୁର୍ଘଟଣା ଘଟିବା ପରେ ସେ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ। ରୋଗଗ୍ରସ୍ତ ବାପା ବି ତାଙ୍କ ସାଙ୍ଗରେ ଥିଲେ। ସେ କ’ଣ କରିବେ କିଛି ଜାଣି ପାରୁ ନ ଥିଲେ। ଯୁଆଡ଼େ ଚାହିଁଲେ ଧାଁଧପଡ଼ ଲାଗି ରହିଥିଲା। ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାନଯିବା ଫଳରେ ଯାତ୍ରୀମାନଙ୍କ ଦୁଃଖ ନ ଦେଖିଲା ସଦୃଶ୍ୟ ଥିଲା। ତେବେ ସ୍ଥାନୀୟ ଲୋକେ ଦେବଦୂତ ଭଳି ସାହାଯ୍ୟର ହାତ ବଢ଼ାଇ ଆମର ଖାଇବା ପିଇବାର ବନ୍ଦୋବସ୍ତ କରିଥିଲେ ବୋଲି ସେ କହିଛନ୍ତି।

ରେଳ ବିଭାଗର ଉଦାସୀନତାକୁ ବିରୋଧ
ରେଳ ଉପରେ ନିର୍ଭର କରୁଥିବା ଯାତ୍ରୀମାନଙ୍କ ପାଇଁ ରେଳ ବିଭାଗର ଉଦାସୀନ ମନୋଭାବକୁ ଘୋର ବିରୋଧ କରୁଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ  ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେଲା ସତ, ହେଲେ ବିଭାଗୀୟ ଅଧିକାରୀ ବିଳମ୍ବରେ ପହଞ୍ଚିବା ଘଟଣାକୁ ସହ୍ୟ କରା ନ ଯାଇପାରେ। ଏହି ଷ୍ଟେସନ୍‌ରେ ଯାତ୍ରୀଙ୍କ ପାଇଁ କୌଣସି ପ୍ରକାର ସୁବିଧା ନଥିବା ଆଶ୍ଚର୍ଯ୍ୟଜନକ। ରେଳ ବିଭାଗ ଏହା ପ୍ରତି ଦୃଷ୍ଟି ଦେବା ନିହାତି ଦରକାର ବୋଲି ପଶ୍ଚିମବଙ୍ଗ ଯାତ୍ରୀ ମହେଶ ସାସନର କହିଛନ୍ତି।

ଘରୋଇକରଣ ଦାୟୀ: ସିପିଆଇ(ଏମ୍‌)
ମଙ୍ଗୁଳି ଚୌଦ୍ୱାର ପାସେଞ୍ଜର ହଲ୍ଟ ନିକଟରେ ରେଳ ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କୁ ୫୦ଲକ୍ଷ ଟଙ୍କା, ଗୁରୁତର ଆହତମାନଙ୍କୁ ୨୦ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ସିପିଆଇ (ଏମ୍) ତରଫରୁ ଦାବି କରାଯାଇଛି। ଘରୋଇକରଣ ପାଇଁ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ଜିଲ୍ଲା ସମ୍ପାଦକ ବଦ୍ରି ନାରାୟନ ଦାଶ ଏକ ବିବୃତିରେ କହିଛନ୍ତି। ବାଲେଶ୍ୱର ରେଳ ଦୁର୍ଘଟଣାରୁ ରେଳବାଇ କର୍ତ୍ତୃପକ୍ଷ କିଛି ଶିକ୍ଷା ନେଲେନି। ପ୍ରକୃତ କଥା ହେଉଛି ଜନତାଙ୍କ ଜୀବନ ଅପେକ୍ଷା ଘରୋଇକରଣ ମାଧ୍ୟମରେ ଦେଶବାସୀଙ୍କ ସଂପଦକୁ ଲୁଟ୍ କରାଯାଉଛି। ଘରୋଇକରଣ ଯୋଗୁଁ ରେଳ ଦୁର୍ଘଟଣା ବୃଦ୍ଧି ପାଉଛି ବୋଲି ଶ୍ରୀ ଦାଶ କହିଛନ୍ତି।

gggjggnnb

ପ୍ରଚଣ୍ଡ ଶବ୍ଦ ଶୁଣି ଘଟଣାସ୍ଥଳକୁ ଦୌଡ଼ିଲି

ହୋଟେଲ୍‌ରେ ବସିଥିବା ବେଳେ ପ୍ରଚଣ୍ଡ ଶବ୍ଦ ଶୁଣିଲି। କିଛି ସମୟ ପରେ ଶୁଣିବାକୁ ପାଇଲି ମଙ୍ଗୁଳି ଷ୍ଟେସନରେ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ସଙ୍ଗେ ସଙ୍ଗେ ହୋଟେଲ୍‌ରେ ଥିବା କର୍ମଚାରୀଙ୍କୁ ନେଇ ସେଠାରେ ପହଞ୍ଚିଲି।  ପାଣି ପାଇଁ ଯାତ୍ରୀମାନେ ଡହଳବିକଳ ହେଉଥିଲେ। ଗ୍ରାମର କିଛି ଯୁବକଙ୍କୁ ଡକାଇବା ସହ ଯାତ୍ରୀମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଇଥିଲି। ଭଗବାନଙ୍କ ଦୟାରୁ ଦୁଇଟି ଲାଇନ୍‌ରେ ଥିବା ଟ୍ରେନଟି ସୁରକ୍ଷିତ ଭାବେ ରହିଯାଇଥିବା ଫଳରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ନରେନ୍ଦ୍ର ରାଉତ ରାୟ।

୨ କିମି ଖରାରେ ଚାଲି ହୋଟେଲ୍‌ରେ ଆଶ୍ରୟ ନେଲି
ବାହାନଗା ଦୁର୍ଘଟଣା ମନରୁ ଲିଭିନି। ଆଜି ପୁଣି ଏକ ଦୁର୍ଘଟଣା ଘଟିଛି। କିଛି ବୁଝିବା ଆଗରୁ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ଦେଖି ଡରି ଯାଇଥିଲି। ତଳକୁ ଓହ୍ଲାଇବା ବେଳକୁ ଟ୍ରେନ୍‌ରୁ ଯାତ୍ରୀମାନେ ଜୀବନବିକଳରେ ଡିଆଁ ମାରୁଥିଲେ। ପରିବାର ସହିତ ଫେରୁଥିବା ବେଳେ ପ୍ରାୟ ୨ କିମିରୁ ଅଧିକ ବାଟ ପ୍ରଚଣ୍ଡ ଖରାରେ ଚାଲିଚାଲି ସ୍ଥାନୀୟ ଏକ ହୋଟେଲ୍‌ରେ ଆଶ୍ରୟ ନେଇଥିଲି। ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ର ଯାତ୍ରୀମାନଙ୍କୁ ମୁଖ୍ୟତଃ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ କୌଣସି ବ୍ୟବସ୍ଥା କରା ନଯିବା ଘଟଣା ଭାରି କଷ୍ଟ ଲାଗିଥିଲା। ରେଳବାଇ ପକ୍ଷରୁ ଏହା ଉପରେ ଦୃଷ୍ଟି ଦେବା ନିହାତି ଆବଶ୍ୟକ ବୋଲି କହିଛନ୍ତି ପଶ୍ଚିମବଙ୍ଗ ଯାତ୍ରୀ ଅଭିଷେକ ସେନ।