କଣିହାଁ, (ଭୂପେନ ଗଡ଼ନାୟକ): ସେମାନଙ୍କ ଶ୍ରମରେ ଛିଡ଼ାହେଲା ନଦୀବନ୍ଧ। ସ୍ଥାପିତ ହେଲା ବହୁମୁଖୀ ପ୍ରକଳ୍ପ। ଏଠାରୁ ଉତ୍ପାଦିତ ବିଦ୍ୟୁତ୍ରେ ବିଭିନ୍ନ ଅଞ୍ଚଳ ଆଲୋକିତ। ହେଲେ, ସେମାନେ ଏବେ ବି ଡିବିରି ଆଲୁଅ ଭରସାରେ। ସମସ୍ତଙ୍କ ଲାଗି ନିର୍ମାଣ ହେଉଛି ପକ୍କା ରାସ୍ତା, ହେଲେ ଏହି ଶ୍ରମିକମାନଙ୍କ ବସ୍ତିକୁ ରାସ୍ତାଟିଏ ନାହିଁ। ବ୍ରାହ୍ମଣୀରୁ ପାଣି ଆଣିଲେ ସେମାନେ ଖାଦ୍ୟ ପ୍ରସ୍ତୁତ କରନ୍ତି, ପାନୀୟ ଭାବେ ବ୍ୟବହାର କରନ୍ତି। ଏଥିପାଇଁ ରାତି ପାହିଲେ ମୁଣ୍ଡରେ ହାଣ୍ଡି, ଗରା ମୁଣ୍ଡେଇ ବ୍ରାହ୍ମଣୀ ନଦୀକୁ ଯାଆନ୍ତି। ଏହା ହେଉଛି ଦେଶ ଓ ରାଜ୍ୟର ଅନ୍ୟତମ ଶିଳ୍ପ ବହୁଳ ଅନୁଗୁଳ ଜିଲ୍ଲାରେ ଦୁର୍ଦ୍ଦଶାର ଚିତ୍ର। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଡ୍ୟାମ୍ଠାରୁ ମାତ୍ର ୬ ଶହ ମିଟର ଦୂରରେ ରହିଛି ଏହି ବସ୍ତି। ଯାହାର ନା ପୋଡ଼ାଗଡ଼ ଗାଁ କଦଳୀପାଳସାହି।
ସୂଚନା ଅନୁଯାୟୀ, ୧୯୭୩ ମସିହାରେ କଣିହାଁ ବ୍ଲକ୍ ରେଙ୍ଗାଳିଠାରେ ବ୍ରାହ୍ମଣୀ ନଦୀରେ ନିର୍ମାଣ ଆରମ୍ଭ ହେଲା ବହୁମୁଖୀ ନଦୀବନ୍ଧ ପ୍ରକଳ୍ପ। ଜଳ ବିଦ୍ୟୁତ୍ ଉତ୍ପାଦନ, ବନ୍ୟା ନିୟନ୍ତ୍ରଣ, ଜଳସେଚନ ଇତ୍ୟାଦି ବିଭିନ୍ନ କାର୍ଯ୍ୟ ଏହି ପ୍ରକଳ୍ପରେ ସଂପାଦିତ ହେଉଛି। ଏହି ପ୍ରକଳ୍ପ ନିର୍ମାଣରେ ଶ୍ରମ ଦାନକରିଥିଲେ ବିଭିନ୍ନ ଅଞ୍ଚଳର ଆଦିବାସୀ। ସେମାନେ ପ୍ରକଳ୍ପଠାରୁ ପ୍ରାୟ ୬ ଶହ ମିଟର ଦୂରରେ ସୁସୁବା ପଞ୍ଚାୟତ ପୋଡ଼ାଗଡ଼ ଗାଁ ନିକଟରେ ବାସକଲେ। ଏହି ସାହିର ନାମ ହେଲା କଦଳୀପାଳ। ଏଠାରେ ବାସ କରୁଛନ୍ତି ତଫସିଲଭୁକ୍ତ ଜନଜାତିର ୪୦ରୁ ଅଧିକ ପରିବାର। ଜନସଂଖ୍ୟା ପାଖାପାଖି ଅଢ଼େଇ ଶହ। ଆଦିବାସୀ ମୁଣ୍ଡା, ସାନ୍ତାଳ ସଂପ୍ରଦାୟର ଲୋକେ ବାସକରୁଥିବା ଏହି ସାହିକୁ ଏ ପର୍ଯ୍ୟନ୍ତ ମୌଳିକ ସୁବିଧା ମିଳିପାରିଲା ନାହିଁ। ରେଙ୍ଗାଳି ଡ୍ୟାମ୍ର ତଳେ ଥିବା ଉକ୍ତ ସାହିରେ କୂଅ, ପୋଖରୀ ବା ନଳକୂଅ ନାହିଁ। ଫଳରେ, ଅଧିବାସୀମାନେ ଦେଢ଼ କିଲୋମିଟର ଦୂର ବ୍ରାହ୍ମଣୀ ନଦୀରୁ ପାନୀୟ ଜଳ ମୁଣ୍ଡରେ ବୋହି ଆଣିବା ସହ ସେଇଠି ଗାଧୁଆପାଧୁଆ କରୁଛନ୍ତି। ସାହିକୁ ରାସ୍ତା ନିର୍ମାଣ ହୋଇପାରିନି।
ଅନ୍ୟପକ୍ଷରେ, ଏହି ନଦୀବନ୍ଧ ଯୋଜନାରୁ ୨୦୦ ମେଗାୱାଟ୍ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହେଉଛି, ହେଲେ ବିଜୁଳି ଆଲୁଅ ସେମାନଙ୍କ ପାଇଁ ସ୍ବପ୍ନ ପାଲଟିଛି। ଏବେ ବି ସେମାନେ ରାତିରେ ଡିବିରି ଜାଳୁଛନ୍ତି। ଗାଁରେ ଅଙ୍ଗନବାଡ଼ି ବା ସ୍କୁଲ୍ଟିଏ ନାହିଁ। ସାହିର ପିଲାମାନେ ପ୍ରାୟ ୨ କିଲୋମିଟର ଦୂର ପୋଡ଼ାଗଡ଼ ଗାଁ କୁଡ଼ାସାହି ପ୍ରାଥମିକ ସ୍କୁଲ୍କୁ ଯାଉଛନ୍ତି। ବଡ଼ପିଲାମାନେ ୫ କିଲୋମିଟର ଦୂର ସୁସୁବା ହାଇସ୍କୁଲ୍ରେ ପଢ଼ୁଥିବା ଜଣାପଡ଼ିଛି। ସାହିର ବାସିନ୍ଦା ପ୍ରାୟ ୬ କିଲୋମିଟର ଦୂର ଗେଙ୍ଗୁଟିଆ ଗାଁ ଡିଲର୍ଙ୍କଠାରୁ ରାସନ ସାମଗ୍ରୀ ସଂଗ୍ରହ କରୁଛନ୍ତି।
ସରକାରଙ୍କ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ରେ ସାହିର ସାବିତ୍ରୀ ଗାଗରାଇ, ମୁକ୍ତା ସଏ, ରାଇମଣି ବିଜି, ଚକ୍ରଧର ସଏ, ଗୋକୁଳ ମହାକୁଡ଼, ଜଗା ସଏ , ରାମସିଂହ ସଏ, ଜୟ ଶ୍ରୀ ସଏଙ୍କ ସମେତ ୧୬ଟି ପରିବାରକୁ ଅନୁଦାନ ମଂଜୁର ହୋଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛ। କିନ୍ତୁ ବାସସ୍ଥାନର ପଟ୍ଟା ନଥିବାରୁ ସେମାନେ ପକ୍କାଘର ତିଆରି କରିପାରୁନାହାନ୍ତି। ନୂଆଁଣିଆ ମାଟିଝାଟି ଘରେ ବାସ କରିବା ସତେ ଯେମିତି ସେମାନଙ୍କ କପାଳ ଲିଖନ ହୋଇଛି। ସେମାନଙ୍କ ଦୁଃଖ ଦୂର କରିବା ପାଇଁ ସରକାର ଦୃଷ୍ଟି ଦେବାକୁ ଅଧିବାସୀମାନେ ନିବେଦନ କରିଛନ୍ତି।