ଭୁବନେଶ୍ୱର : ଗତ ଦୁଇ ସପ୍ତାହ ଧରି ଚକଡ଼ା ପୋକର ଭୟାବହତା ଦର୍ଶାଇ ଚିତ୍କାର କରୁଥିଲେ ଚାଷୀ। ଗାଁ, ବ୍ଲକ ଓ ଜିଲ୍ଲାସ୍ତରରେ ଦାୟିତ୍ୱରେ ଥିବା ଅଧିକାରୀମାନେ ସତର୍କ ହେଲେନି କି ଚାଷୀକୁ ଅନାଇଲେନି। ଗଣମାଧ୍ୟମରେ ପୁଳା ପୁଳା ରିପୋର୍ଟ ପ୍ରକାଶ ପାଇଲା। ଥରୁଟିଏ ବି ସମୀକ୍ଷା କରି ସ୍ଥିତି ପରିଖିଲେନି କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ବରଂ ରାଜନୀତି ବୟାନବାଜିକୁ ନେଇ ଚର୍ଚ୍ଚାରେ ରହିଲେ ମନ୍ତ୍ରୀ। କେତେବେଳେ ବିଜେପି ନେତାଙ୍କ ଉପରେ ବର୍ଷିଲେ ତ ଆଉ କେତେବେଳେ କଂଗ୍ରେସ ସହିତ ମେଣ୍ଟ ସଂପର୍କରେ ବୟାନ ଦେଇ ଗଣମାଧ୍ୟମ ଶିରୋନାମାରେ ରହିଲେ।
ଏପଟେ ଯେଉଁ ସମୟରେ ମରୁଡିର ଛାଇ ଚାଷ ଉପରେ ପଡିସାରିଥିଲା, ଠିକ୍ ସେହି ସମୟରେ ହଠାତ୍ କୃଷି ସଚିବଙ୍କୁ ବଦଳାଇ ଦେଲେ ସରକାର। ଗତ ପାଞ୍ଚ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନ୍ରେ ଥିଲେ ବରିଷ୍ଠ ଆଇଏଏସ୍ ଅଫିସର ସୌରଭ ଗର୍ଗ। ଓଡ଼ିଶାର ପାଣିପବନ ସ୍ଥିତି, ଚାଷ ସଂପର୍କରେ ଆଦୌ ତାଙ୍କର ସଂପର୍କ ନଥିଲା। ହେଲେ ଗର୍ଗଙ୍କୁ କୃଷି ବିଭାଗ ଦାୟିତ୍ୱ ଦିଆଗଲା।
ସରକାରଙ୍କ ଏଭଳି ବେପରୁଆ କାରବାର ଓ ଆଭିମୁଖ୍ୟ ଏବେ ଚାଷୀକୁ ସାଂଘାତିକ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଛି। ଚକ଼ଡ଼ା, ଲେଡା ପୋକ, ମାଟିଆଗୁଣ୍ଡି ପୋକ ଚକଡି ଦେଇଛନ୍ତି ଚାଷୀର ଶସ୍ୟଶ୍ୟାମଳା ଫସଲ। ଧାନ ଗଛକୁ ପୋକ ଏମିତି ଦଂଶନ କରୁଛନ୍ତି ଯେ ଚାଷୀ ଘାଇଲା। ରାଜ୍ୟର ଅଧା ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି ପୋକ। ଚାଷୀ ଆଖିରୁ ନିଦ ହଜାଇ ଦେଲାଣି। ଗୋଟିଏ ଗୋଟିଏ ରାତିରେ ଏକର ଏକର ଜମିର ଫସଲ ଉଜୁଡି ଯାଉଛି। ପ୍ରାଥମିକ ଆକଳନ ଅନୁସାରେ ପାଖାପାଖି ୩ ଲକ୍ଷ ହେକ୍ଟରରୁ ଅଧିକ ଜମିର ଚାଷ ବରବାଦ୍ ହୋଇସାରିଥିବା କୁହାଯାଉଛି। ହେଲେ ସ୍ଥିତି ନିୟନ୍ତ୍ରଣ ହେବାର ନାଁ ଧରୁନି। ଆଗକୁ ଏହି ପୋକର ଆଁରେ କେତେ ଜମି ଚାଷ ହଜିଯିବ, ତାହା ଏବେଠାରୁ ଆକଳନ କରିବା ମୁସ୍କିଲ ହୋଇପଡିଛି।
ବରଗଡ଼ରେ ଚାଷୀ ଜମିରେ ନିଆଁ ଲଗାଇବା ପରେ ଗତକାଲି ବୃନ୍ଦାବନ ସାହୁ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।ଝାରସୁଗୁଡା ଓ ସମ୍ବଲପୁରରେ ଗତକାଲି ଚାଷୀ ଧାନ ଜମିରେ ନିଆଁ ଲଗାଇ ଦେଇଥିଲେ। ଆଜି ଏହି ନିଆଁ ନୂଆପଡା, ଗଂଜାମର ଚିକିଟି, ଗୁଣପୁରକୁ ଡେଇଁଛି। କେବଳ ସେତିକି ନୁହେଁ, ସମ୍ବଲପୁରର ମାନେଶ୍ୱର ବ୍ଲକରେ ବି ଚାଷୀ ଆଜି କିଛି ଧାନଫସଲରେ ନିଆଁ ଲଗାଇ ଦେଇଛନ୍ତି। ଯେଉଁ ଜମିରେ ନିଜ ତୁଣ୍ଡ ଝାଳ ମୁଣ୍ଡରେ ମାରି, ରକ୍ତ ନିଗାଡି ଚାଷୀ ଚାଷ କରିଥିଲା, ସେହି ଜମିରେ ନିଆଁ ଲଗାଇବା କେତେ କଷ୍ଟ, ତାହା ସହଜରେ ଅନୁମେୟ। ଏଭଳିସ୍ଥଳେ ସରକାର ଓ ସରକାରୀ ବାବୁଙ୍କ ନିର୍ଦୟ ପଣ ସେମାନଙ୍କ କଷ୍ଟକୁ ଆହୁରି ବଢାଇ ଦେଇଛି।
ଜଣେ କୃଷି ବିଶେଷଜ୍ଞଙ୍କ କହିବାନୁସାରେ, ଗତ ୨୭ ବର୍ଷ ଭିତରେ ଏଭଳି କେବେ ଚକଡ଼ା ପୋକର ଆତଙ୍କ ସେ ଦେଖିନଥିଲେ। ଏଣୁ ନିଶ୍ଚୟ ଭାବେ ଏହାର ନିରାକରଣ କରିବା ଚାଷୀ ପାଇଁ କଷ୍ଟସାଧ୍ୟ। ହେଲେ ପଞ୍ଚାୟତରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ କୃଷି ବିଭାଗରେ ଏତେ ଅଧିକାରୀ ଦାୟିତ୍ୱରେ ଥିବା ବେଳେ ସ୍ଥିତି କିଭଳି ନିୟନ୍ତ୍ରଣ ବାହାରକୁ ଚାଲିଗଲା, ତାହା ନିଶ୍ଚିତ ଅନୁସନ୍ଧାନ ସାପେକ୍ଷ। ସମ୍ଭବତଃ ତୃଣମୂଳସ୍ତରର ଅଧିକାରୀମାନଙ୍କ ବେପରୁଆପଣ ଓ ଉପରିସ୍ଥ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ଆଜି ଚାଷୀକୁ ବିପଦ ମୁହଁକୁ ଠେଲି ଦେଇଛି।
ବରଗ଼଼ଡର କଳାପାଣି ଗାଁର ବୃନ୍ଦାବନ ସାହୁ ଆତ୍ମହତ୍ୟା ପରେ ହଠାତ୍ ସରକାରଙ୍କ ନିଦ ଭାଙ୍ଗିଛି। ଅଧିକାରୀମାନଙ୍କ ପାଦ ପଡିଛି ଧାନ ଜମିରେ। କିଏ ଔଷଧର ନମୁନା ସଂଗ୍ରହ କଲାଣି ତ ଆଉ କିଏ ବିଲମୁଣ୍ଡରେ ଚାଷୀ କ୍ଷତର ଗଭୀରତା ମାପୁଛନ୍ତି। କୃଷି ବିଭାଗ, ରାଜସ୍ୱ ବିଭାଗ ଏକାଥରରେ ଚିହିଁକି ଉଠିଛନ୍ତି। ଜିଲ୍ଲାପାଳଙ୍କୁ ୪୮ ଘଣ୍ଟାର କଣ୍ଟ ଦେଇଛନ୍ତି ସରକାର।
ଏଭଳିସ୍ଥଳେ ଆଜି ସଚିବ ଶ୍ରୀ ଗର୍ଗ ରୋଗପୋକର ସବିଶେଷ ଅନୁଧ୍ୟାନ ଓ ଫସଲର ସ୍ଥିତି ଆକଳନ କରିବା ନିମନ୍ତେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଏନ୍ଆର୍ଆର୍ଆଇ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ପକ୍ଷରୁ ବିଶେଷଜ୍ଞ ଦଳଙ୍କୁ ବିଶେଷ ପ୍ରଭାବିତ ଜିଲ୍ଲାମାନଙ୍କୁ ପଠାଯାଇଥିବା କହିଛନ୍ତି। ଏହି ବିଶେଷଜ୍ଞ ଦଳ ରୋଗପୋକ ଦାଉରୁ ରକ୍ଷା ପାଇଁ କୃଷକମାନଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ନିମନ୍ତେ ପରାମର୍ଶ ଦେବେ। କୃଷି ନିର୍ଦେଶାଳୟ ଅଧୀନରେ କାର୍ଯ୍ୟରତ କ୍ଷେତ୍ର ଅଧିକାରୀ ଓ କର୍ମଚାରୀମାନଙ୍କୁ କୀଟନାଶକ ଔଷଧର ସଠିକ୍ ପ୍ରୟୋଗ ଏବଂ ସିଞ୍ଚନର କୌଶଳ ସଂପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମ ସ୍ତରରେ ସଭା କରିବା ସହିତ ପ୍ରଚାରପତ୍ର ବାଣ୍ଟିବା ପାଇଁ ବି କହିଛନ୍ତି ସଚିବ। କେବଳ ସେତିକି ନୁହେଁ, ଚାଷୀଙ୍କୁ ସୂଚନା ଦେବା ପାଇଁ ୦୬୭୪-୬୫୩୦୬୫୩ ଟେଲିଫୋନ ନମ୍ବର ଦିଆଯାଇଛି। କିଷାନ କଲ୍ ସେଣ୍ଟରରେ ଏକ ଟୋଲ୍ ଫ୍ରି ନମ୍ବର- ୧୮୦୦-୧୮୦-୧୫୫୧କୁ କାର୍ଯ୍ୟକ୍ଷମ କରାଯାଇଛି, ଯାହା ପ୍ରତିଦିନ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ।
ଏବେ ପ୍ରଶ୍ନ ଉଠୁଛି, ଯଦି ସରକାର ଆଜି ଏତେ ତତ୍ପରତା ଦେଖାଉଛନ୍ତି, ତେବେ ଚାଷୀକୁ ବିପଦ ମୁହଁକୁ ଠେଲିଲେ କାହିଁକି? ଆଗତୁରା ଏଭଳି ପଦକ୍ଷେପ ନେବା ଲାଗି ମନ୍ତ୍ରୀ, ସଚିବ କାହିଁକି ଆଗ୍ରହ ଦେଖାଇଲେ ନାହିଁ? ସରକାର ଯେତେ କ୍ଷତିପୂରଣ ଦେଲେ ବି ଉଜୁଡିଥିବା ଚାଷୀର କ୍ଷତିକୁ ଏହା ଭରଣା କରିପାରିବ କି? ବୃନ୍ଦାବନ ସାହୁଙ୍କ ଭଳି ଚାଷୀଙ୍କ ଜୀବନକୁ କଣ ଫେରାଇ ପାରିବ କି? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଲାଣି।