ମନଇଚ୍ଛା ବାଣ୍ଟି ଦେଲେ ମୁକ୍ତା ଯୋଜନା ପାଣ୍ଠି !

ରାଉରକେଲା: ନିର୍ବାଚନ ହେଉ ନଥିବାରୁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)‌ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କ ରାଜୁତି ଚାଲିଛି। ଅଧିକାଂଶ ବିଭାଗରେ ନିୟମବିରୋଧୀ କାମ ହେଉଥିବା ନେଇ ଅନେକବାର ଅଭିଯୋଗ ହେଉଛି। ସେ ଠିକା କର୍ମଚାରୀ ରାଜୁତି ହେଉ ଅବା ନେତାଙ୍କ ଚାପରେ କାମ କରୁଥିବା କର୍ମଚାରୀଙ୍କ କାରନାମାକୁ ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି। କେବଳ ଏତିକି ନୁହେଁ, ଆର୍‌ଏମ୍‌ସି, ପୌରପାଳିକା, ଏନ୍‌ଏସିରେ  ଆଉଟ୍‌ସୋର୍ସିଂ ଜରିଆରେ କୌଣସି ଠିକାକର୍ମଚାରୀ ନିଯୁକ୍ତି ହୋଇପାରିବ ନାହିଁ କିମ୍ବା ସେମାନଙ୍କ ଅବଧି ବଢ଼ାଯାଇ ପାରିବ ନାହିଁ ବୋଲି ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି।

ରାଉରକେଲା ମହାନଗର ନିଗମରେ କିନ୍ତୁ ଏହି ସରକାରଙ୍କ ନିର୍ଦ୍ଦେଶନାମାକୁ ଫୁଃ କରି ଦିଆଯାଇଛି। କିଛି ଠିକା କର୍ମଚାରୀଙ୍କ ଅବଧି ସରିବା ସତ୍ବେ ସେମାନେ ମନଇଚ୍ଛା ଅଫିସ୍‌ରେ କାମ କରୁଛନ୍ତି। ଯାହାକୁ ଯେଉଁ କାମ ଦିଆଯାଇଛି ସେ କାମ ନ କରି ଅନ୍ୟାନ୍ୟ କାମରେ ଅଧିକ ମୁଣ୍ଡ ପୁରାଉଛନ୍ତି। ଅନେକ ବିଭାଗରେ ସ୍ଥାୟୀ କର୍ମଚାରୀଙ୍କ ଉପରେ କର୍ତ୍ତୃତ୍ବ ଜାହିର ମଧ୍ୟ କରୁଥିବା ଅଭିଯୋଗ ହେଉଛି। ଏହା ସତ୍ବେ ଏଭଳି ବେଆଇନ କାମ କରୁଥିବା ଠିକା କର୍ମଚାରୀଙ୍କୁ ରୋକା ନଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏବେ ଆଉ ଜଣେ ମହିଳା ଠିକା କର୍ମଚାରୀଙ୍କ କାରନାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏସବୁ ଭିତରେ ମୁକ୍ତା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଆର୍‌ଏମ୍‌ସି ମିଳିଥିବା ୧୩ କୋଟି ଟଙ୍କାର କାମକୁ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ମନଇଚ୍ଛା ବାଣ୍ଟି ଦିଆଯାଇଥିବା ଅଭିଯୋଗ ହେଉଛି।  କେଉଁ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ କେଉଁ କାମ ଦିଆଯିବ ବିଭାଗୀୟ ଅଧିକାରୀ ନିଷ୍ପତ୍ତି ନେବା କଥା। କିନ୍ତୁ  ଆର୍‌ଏମ୍‌ସିରେ ପାତର ଅନ୍ତର କରାଯାଇଛି। ମନଇଚ୍ଛା ନିଜ ଚିହ୍ନା ପରିଚିତ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ପ୍ରାଥମିକତା ଦିଆଯାଇଛି।

ସେକ୍ଟର-୨୧ ନୟାବଜାରକୁ ଉଦାହରଣ ଭାବେ ନିଆଯାଇ ପାରେ। ନୟାବଜାର କିସାନ ବସ୍ତିରେ ପରିତ୍ୟକ୍ତ ପୋଖରୀର ପୁନରୁଦ୍ଧାର, ସୌନ୍ଦର୍ଯ୍ୟକରଣ ପାଇଁ  ପ୍ରାୟ ୫୨ ଲକ୍ଷ ଟଙ୍କା ମଞ୍ଜୁର ‌ହୋଇଛି।  ୫ଟି ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ୱାର୍କ ଅର୍ଡର ମିଳିଛି। ଆର୍ଥିକ ସ୍ଥିତି , କାର୍ଯ୍ୟ କରିବାର ଦକ୍ଷତା ନଥିବା କିଛି ଏସ୍‌ଏଚ୍‌ଜି ଗ୍ରୁପକୁ ପୋଖରୀ ପୁନରୁଦ୍ଧାର କାମ ଦିଆଯିବାକୁ ନେଇ ବିବାଦ ଉପୁଜିଛି। କିଛି ଏସ୍‌ଏଚ୍‌ଜି ଗ୍ରୁପ୍‌ କଡା ବିରୋଧ କରିଛନ୍ତି। ସେମିତି ଓଏସ୍‌ଏପି ବାଟାଲିୟମ ମଧ୍ୟରେ ଥିବା ଅନ୍ୟ ଏକ ପରିତ୍ୟକ୍ତ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ କାମରେ ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି। କେବଳ ସେକ୍ଟର-୨୧ ନୟାବଜାର ନୁହେଁ ପ୍ରାୟ ଅଧିକାଂଶ ସ୍ଥାନରେ ଏସ୍‌ଏଚ୍‌ଜି ଗ୍ରୁପ୍‌ ଦ୍ବାରା ହେବାକୁ ଯାଉଥିବା କାମରେ ସମାନ ସମସ୍ୟା ଦେଖାଦେଇଛି।  ମୁକ୍ତା ଯୋଜନାର କାର୍ଯ୍ୟରତ କର୍ମଚାରୀ ରାଜନୈତିକ ଚାପରେ ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରୁ ନାହାନ୍ତି।

ଅନ୍ୟପଟେ ଏସ୍‌ଏଚ୍‌ଜି ଗ୍ରୁପ୍‌ର ଏସବୁ କାମର ଅଭିଜ୍ଞତା ନଥିବାରୁ ସେମାନେ କିଛି ଠିକାସଂସ୍ଥା ସହ ହାତ ମିଳାଇଛନ୍ତି। ଠିକାସଂସ୍ଥା ଏଭଳି କାମ କରିବା ସମ୍ପୂର୍ଣ୍ଣ ବେଆଇନ ଥିବା ସତ୍ବେ ପ୍ରାୟ ଅଧିକାଂଶ କାମ ଏମାନେ କରିବାକୁ ଯାଉଛନ୍ତି। ଆର୍‌ଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୧୫ ଏସ୍‌ଏଚ୍‌ଜି ଗ୍ରୁପକୁ କାମ ବଣ୍ଟନ ସରିଛି। ୱାର୍କ ଅର୍ଡର ବି ମିଳି ସାରିଛି। ଠିକାସଂସ୍ଥାଙ୍କ ଜରିଆରେ କିଛି ଏସ୍‌ଏଚ୍‌ଜି ଗ୍ରୁପ୍‌  କାମ ଆରମ୍ଭ କରି ଦେଇଥିବାବେଳେ ଅନ୍ୟ କିଛି ଖୁବ୍‌ ଶୀଘ୍ର କରିବାକୁ ଯାଉଛନ୍ତି।

ଯେଉଁ  ଏସ୍‌ଏଚ୍‌ଜି ଗ୍ରୁପ୍‌ଗୁଡ଼ିକ କାମ ମିଳିଛି, ସେମାନେ ବାସ୍ତବରେ କରୁଛନ୍ତି କି ନାହିଁ, ତା’ର ସଠିକ୍‌ ତଦନ୍ତ ହେବାର ଆବଶ୍ୟକତା ରହିଛି। ନ ହେଲେ ମୁକ୍ତା ଯୋଜନା ପାଣ୍ଠି ହରିଲୁଟ୍‌ ହେବା ସହ କେବଳ ଠିକାଦାର ପୋଷାରେ ଚାଲିଯିବ, ଏଥିରେ ଦ୍ବିମତ ନାହିଁ। ଉଲ୍ଲେଖଯୋଗ୍ୟ, ମୁକ୍ତା ଯୋଜନାରେ ଏସ୍‌ଏଚ୍‌ଜି ଗ୍ରୁପକୁ ୨ ଲକ୍ଷରୁ ଆରମ୍ଭ କରି ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାମ ଦିଆଯାଉଛି। ଲକ୍ଷେ ଟଙ୍କା କାମରେ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ୭.୫%, ଅର୍ଥାତ୍‌ ୭, ୫୦୦ ଟଙ୍କା ପାରିଶ୍ରମିକ ମିଳିବାର ନିୟମ ରହିଛି। ଏମିତି ଭାବେ ୨୦ ଲକ୍ଷ କାମ ପାଉଥିବା ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ୧ ଲକ୍ଷ ୫୦ ହଜାର ଟଙ୍କା ମିଳିବ। ଏଭଳି ସମସ୍ୟା ସଂକ୍ରାନ୍ତରେ ଆର୍‌ଏମ୍‌ସି କମିସନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଏମିତି ହେବା କଥା ନୁହେଁ। ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଏସ୍‌ଏଚ୍‌ଜି ଗ୍ରୁପ୍‌ଗୁଡ଼ିକୁ ୱାର୍କ ଅର୍ଡର ଦିଆଯାଉଛି। ସେମିତି ଯଦି କିଛି ନିର୍ଦ୍ଦିଷ୍ଟ ଅଭିଯୋଗ ଆସିବ, ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ମୁକ୍ତା ଯୋଜନାରେ ଏଭଳି ପାତରଅନ୍ତର ରୋକିବାକୁ ଆର୍‌ଏମ୍‌ସି କର୍ତ୍ତୃପକ୍ଷ କି ପଦକ୍ଷେପ ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର