ଜୟପୁର: ଜିଲ୍ଲାର ଜୟପୁର ସହରରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଓ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀଙ୍କ ବିରୁଦ୍ଧରେ ବିଭିନ୍ନ ଆପତ୍ତିଜନକ ତଥା ଚରିତ୍ରସଂହାର କରି ବିଭିନ୍ନ ମନ୍ତବ୍ୟ ଲେଖି ଲିଫଲେଟ ଜରିଆରେ ବାଣ୍ଟିବା ସହ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ ନୂଆସାହିରେ ରହୁଥିବା କୃଷ୍ଣ ଚନ୍ଦ୍ର ସାହୁ ଓରଫ ରୁତୁ ସାହୁ। ସେ ଏଭଳି କରିଥିବାରୁ ଏହାକୁ ବିରୋଧ କରି ସହରର ସାମ୍ବାଦିକ ମାନଙ୍କ ଲିଖିତ ଏତଲା ଜୟପୁର ଟାଉନଥାନାରେ ଦେଇଥିଲେ। ଏହାକୁ ଭିତ୍ତିକରାଯାଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।
ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଦୁଇଦିନ ପୂର୍ବରୁ ଜୟପୁର ନୂଆ ସାହିର ଶ୍ରୀସାହୁ ନାମକ ଜୈନିକ ବ୍ୟକ୍ତି କିଛି ଗଣମାଧ୍ୟମର ପ୍ରତିନିଧି ଏବଂ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଲେଖି ଲିଫଲେଟ ମାଧ୍ୟମରେ ସହରରେ ବଣ୍ଟନ କରିବା ସହ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଭାଇରାଲ କରିଥିଲେ । ଏଥିନେଇ ବୁଧବାର ସହରର କର୍ତ୍ତବ୍ୟରତ ସାମ୍ବାଦିକ ଏବଂ ଗଣମାଧ୍ୟମ କାର୍ଯ୍ୟାଳୟର ପ୍ରତିନିଧି ମାନେ ଥାନାର ଦ୍ବାରସ୍ତ ହୋଇ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏଥିନେଇ ଷ୍ଟେସନ ଡାଏରୀ ମାଧ୍ୟମରେ ମାମଲା ରୁଜୁ କରିବା ସହିତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ଏସ.ପି ଅଭିନବ ସୋନକର ଏବଂ ଜୟପୁର ଏସଡିପିଓ ହରିଶ ବି.ସିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବ୍ୟକ୍ତିଗତ ଚରିତ୍ରକୁ ସଂହାର କରି ଶ୍ରୀସାହୁ ଏଭଳି ଲେଖିବା ସହ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଇନର ଆଶ୍ରୟ ନିଆଯିବ ବୋଲି ସାମ୍ବାଦିକ ମାନେ କହିଛନ୍ତି।