ଆଜିଠୁ ‘ମୋ କଲେଜ’ ପ୍ରକଳ୍ପ ବଣ୍ଟନ

ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ୧୨ ଶିକ୍ଷାନୁଷ୍ଠାନ ସାମିଲ

ଭୁବନେଶ୍ୱର : ‘ମୋ ସ୍କୁଲ’ ପରି ‘ମୋ କଲେଜ’ ପାଇଁ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକର ବଣ୍ଟନ ମଙ୍ଗଳବାରଠାରୁ ଆରମ୍ଭ ହେବ। ଲୋକସେବା ଭବନରେ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁପ୍ରତୀକ୍ଷିତ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨ଟି ଶିକ୍ଷାନୁଷ୍ଠାନକୁ ଏଥିରେ ସାମିଲ କରାଯାଇଛି। ଶିକ୍ଷାନୁଷ୍ଠାନ ପାଇଁ ପ୍ରାୟ ତିନି କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ମୋ କଲେଜର ସଦସ୍ୟମାନେ ଉପସ୍ଥିତ ରହିବେ।

‘ମୋ କଲେଜ’ କାର୍ଯ୍ୟକ୍ରମ ଅଧୀନରେ ମୁଖ୍ୟତଃ ଦୁଇଟି ସୂତ୍ରରୁ ଅର୍ଥ ଗ୍ରହଣ କରାଯାଇଛି। ପୁରାତନ ଛାତ୍ରଛାତ୍ରୀ, ବ୍ୟକ୍ତିବିଶେଷ କିମ୍ବା କୌଣସି ଅନୁଷ୍ଠାନ ସୂତ୍ରରୁ ମିଳୁଥିବା ଦାନ, ଦାତାଙ୍କଠାରୁ ଆସିଥିବା ଦାନ ରାଶିର ଦୁଇ ଗୁଣ ଅର୍ଥ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯିବାର ନିୟମ ରହିଛି। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ବଜେଟ୍‌ରେ ରାଜ୍ୟ ସରକାର ଏକ କର୍ପସ୍ ବା ସ୍ଥାୟୀ ପାଣ୍ଠି ସୃଷ୍ଟି କରିଛନ୍ତି। ଦାତାମାନଙ୍କଠାରୁ ଅର୍ଥ ମିଳିବା ପରେ ରାଜ୍ୟ ସରକାରଙ୍କ ଏହି ପାଣ୍ଠିରୁ ତା’ର ଦୁଇଗୁଣା ଅର୍ଥ ପ୍ରଦାନ କରିବା ଲାଗି ବ୍ୟବସ୍ଥା କରିଛନ୍ତି। ତେବେ ଦାତାଙ୍କ ପକ୍ଷରୁ ଆର୍ଥିକ ଦାନ ବ୍ୟତୀତ କୌଣସି ସାମଗ୍ରୀ ବା ସେବା ଆକାରରେ ଆସୁଥିବା ଦାନ ବାବଦରେ ରାଜ୍ୟ ସରକାରଙ୍କୁ କିଛି ଦେବାକୁ ପଡ଼ିବ ନାହିଁ। ‘ମୋ କଲେଜ’ ଅଧୀନରେ ଦାତାଙ୍କଠାରୁ ଆସୁଥିବା ଦାନ ବାଧ୍ୟତାମୂଳକ ନୁହେଁ। ତେଣୁ ଓଡ଼ିଶାର ଉଚ୍ଚଶିକ୍ଷା ଅନୁଷ୍ଠାନର ବିକାଶ ପାଇଁ ସ୍ୱେଚ୍ଛାକୃତ ଭାବେ ଜଣେ ଅର୍ଥ, ସାମଗ୍ରୀ, ସମୟ କିମ୍ବା ସେବା ପ୍ରଦାନ କରିପାରିବେ। ‘ମୋ କଲେଜ’ ଅଧୀନରେ ଆସୁଥିବା ଦାନ କେବଳ ଚେକ୍‌, ଡ୍ରାଫ୍ଟ କିମ୍ବା ଇଲେକ୍ଟ୍ରୋନିକ୍ ଟ୍ରାନ୍ସଫର୍ ଜରିଆରେ ହିଁ ଗ୍ରହଣ କରାଯିବ। ଅଭିଯାନ ଅଧୀନରେ ସମସ୍ତ ଆର୍ଥିକ କାରବାରରେ ସ୍ୱଚ୍ଛତା ରକ୍ଷା ଲାଗି ବିଶେଷ ଶୃଙ୍ଖଳା ବା ପରିଚାଳନା ବ୍ୟବସ୍ଥା ହୋଇଛି। ଗୋଟିଏ ଆର୍ଥିକ ବର୍ଷରେ କୌଣସି ଏକ ଅନୁଷ୍ଠାନକୁ ୫୦ଲକ୍ଷ ପର୍ଯ୍ୟନ୍ତ ରାଶି ଓଡ଼ିଶା ସରକାରଙ୍କ ତରଫରୁ ପ୍ରଦାନ କରାଯାଇପାରିବ। ସରକାର ଚାହିଲେ ଏହି ନୀତିରେ କୋହଳ କରିପାରିବେ। ମୋ କଲେଜକୁ ଦେଇଥିବା ଆର୍ଥିକ ଅନୁଦାନ ଉପରେ ଦାତା ଆୟକର ଆଇନର ଧାରା ୮୦-ଜି ଅନୁଯାୟୀ କର ରିହାତି ପାଇପାରିବେ।

‘ମୋ କଲେଜ’ ଅଭିଯାନ ପରିଚାଳନା ସଙ୍ଗଠନ ଅଧୀନରେ ବର୍ତ୍ତମାନ ରାଜ୍ୟର ୧୫ଟି ସରକାରୀ ବିଶ୍ୱବିଦ୍ୟାଳୟ, ୫୦ଟି ସରକାରୀ ମହାବିଦ୍ୟାଳୟ, ୫୬୪ଟି ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ, ୬ଟି ସରକାରୀ ଆଇନ କଲେଜ, ୨୧ଟି ମେଡିକାଲ୍ କଲେଜ, ୩ଟି କୃଷି ବିଜ୍ଞାନ ମହାବିଦ୍ୟାଳୟ, ୪୫ଟି ଇଞ୍ଜିନିୟରିଂ ଓ ପଲିଟେକ୍‌ନିକ୍‌ ଶିକ୍ଷାନୁଷ୍ଠାନ, ୪ଟି ସରକାରୀ ବୃତ୍ତିଗତ ଶିକ୍ଷାନୁଷ୍ଠାନ ଓ ୪୦ଟି ବି.ଏଡ୍ କଲେଜକୁ ସାମିଲ କରାଯାଇଛି। ମୋଟ ୭୫୧ଟି ଉଚ୍ଚଶିକ୍ଷା ଅନୁଷ୍ଠାନକୁ ନେଇ ‘ମୋ କଲେଜ’ କାର୍ଯ୍ୟକ୍ରମର ପରିଯୋଜନା ହୋଇଛି।

ସମ୍ବନ୍ଧିତ ଖବର