ଝାରସୁଗୁଡ଼ାରେ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ

୧୪ ପ୍ରକଳ୍ପ ଉଦ୍‌ଘାଟନ, ୧୨୫ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାରେ ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କରିବା ସହିତ ଜିଲ୍ଲା ପାଇଁ ୧୪ଟି ପ୍ରକଳ୍ପର ଉଦ୍‌ଘାଟନ ଓ ୧୨୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଝାସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜର ଅଭିଭାଷଣରେ ସ୍ବାସ୍ଥ୍ୟକାର୍ଡର ଆବଶ୍ୟକତା ସମ୍ପର୍କରେ ବିସ୍ତୃତଭାବେ ଆଲୋକପାତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ୩୧୨ କୋଟି ୨୬ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଝାରସୁଗୁଡ଼ାରେ ଡିଏମ୍‌ଏଫ୍‌ ଓ ସିଏସ୍‌ଆର ପାଣ୍ଠିରୁ ୧୫୧୫.୦୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ବସ୍‌ଷ୍ଟାଣ୍ଡ, ଯାନ୍ତ୍ରିକ ବିଦ୍ୟାଳୟରେ ଡିଏମ୍ଏଫ୍ ପାଣ୍ଠିରୁ ୩୩୦ . ୦୬ ଲକ୍ଷ ଟଙ୍କା ବ୍ୟୟରେ ଶହେ ସଂଖ୍ୟା ବିଶିଷ୍ଟ ମହିଳା ହଷ୍ଟେଲ, ଡିଏମ୍ଏଫ୍ ପାଣ୍ଠିରୁ ୩୦୭.୨୬ ଲକ୍ଷ ଟଙ୍କା ବ୍ୟୟରେ ଗାନ୍ଧୀଛକଠାରୁ ରାଜପୁର ରାସ୍ତା, ଡିଏମ୍ଏଫ୍ ପାଣ୍ଠିରୁ ୩୮୦.୩୮ ଲକ୍ଷ ଟଙ୍କା ବ୍ୟୟରେ ବେଲପାହାଡ଼ ଠାରେ ଶହେ ସଂଖ୍ୟା ବିଶିଷ୍ଟ ମହିଳା ହଷ୍ଟେଲ, ବିଏସ୍‌ୱାଇ ଯୋଜନାରେ ୯୮୫.୭୧ ଲକ୍ଷ ଟଙ୍କାରେ କର୍ମିରାଠାରେ ଏକ ଉଚ୍ଚ ପୋଲ, ଲଖନପୁର ଠାରେ ୫୦୧.୦୮ ଲକ୍ଷ ଟଙ୍କା‌ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୋଠା, ଝାରସୁଗୁଡ଼ା ଏଚ୍‌.କଟାପାଲି ଠାରେ ୫୧୬.୭୪ ଲକ୍ଷ ଟଙ୍କାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୋଠା, ଝାରସୁଗୁଡ଼ା ଏଚ୍‌.କଟପାଲି ଠାରେ ୫୧୫୩.୪ ଲକ୍ଷ ଟଙ୍କାରେ ଜଳ ବିଶୋଧନାଗାର, ବ୍ରଜରାଜନଗର ବଣ୍ଡଘୋରା ଠାରେ ୮୮୮ ଲକ୍ଷ ଟଙ୍କା ଜଳ ବିଶୋଧନାଗାର, ଝାରସୁଗୁଡ଼ା ପୌରାଞ୍ଚଳରେ ୩୫୮ ଲକ୍ଷ ଟଙ୍କା, ବ୍ରଜରାଜନଗର ପୌରାଞ୍ଚଳରେ ୩୦୨ ଲକ୍ଷ ଟଙ୍କା ଓ ବେଲପାହାଡ଼ ପୌରାଞ୍ଚଳରେ ୨୫୩ ଲକ୍ଷ ଟଙ୍କାର ସିପ୍ଟେଜ ପ୍ଲାଣ୍ଟ, ଲଖନପୁର ଛିଚିଣ୍ଡା ଠାରେ ୨୮୩୪ ଲକ୍ଷ ଟଙ୍କାରେ ପାର୍ବତୀଗିରି ମେଗା ଜଳସେଚନ ପ୍ରକଳ୍ପ, ବେଲପାହାଡ଼ ପୌରାଞ୍ଚଳର ଠୁଙ୍ଗିଆଡେରା ଠାରୁ ଠକ୍କରବାପା ଆଶ୍ରମ ପର୍ଯ୍ୟନ୍ତ ୯୭.୮ ଲକ୍ଷ ଟଙ୍କାର ରାସ୍ତା ପ୍ରକଳ୍ପର ଶୁଭାରମ୍ଭ କରିଥିବାବେଳେ ୧୬୮ କୋଟି ୪ ଲକ୍ଷ ଟଙ୍କାର ୧୨୫ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ଶ୍ରମମନ୍ତ୍ରୀ ସୁଶାନ୍ତ କୁମାର ସିଂ, ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ମଞ୍ଚାସୀନ ଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ପ୍ରତିଥିବା ଅବଦାନର ଅବତାରଣା କରି କହିଥିଲେ, ସେ ଯେତେବେଳେ ବିରୋଧୀ କଂଗ୍ରେସ ଦଳର ବିଧାୟକ ଥିଲେ ସେହି ସମୟରେ ଜିଲ୍ଲାରେ ବିମାନ ବନ୍ଦର, ଜିଲ୍ଲା ମୁଖ୍ୟ ଚିକତ୍ସାଳୟ କୋଠା, ହାର୍ଟ ହସ୍‌ପିଟାଲ, କ୍ୟାନ୍‌ସର ହସ୍‌ପିଟାଲ ଓ ବୃହତ ଷ୍ଟାଡ଼ିୟମର ଭଳି ବିରାଟ ପ୍ରକଳ୍ପର ମଞ୍ଜୁରୀ ଦେଇଥିଲେ। ବିଧାୟକ ଶ୍ରୀ ମହାନ୍ତି କହିଥିଲେ ଯେ, ସ୍ମାର୍ଟକାର୍ଡ ବ୍ୟବସ୍ଥା ପୂର୍ବରୁ ମଧ୍ୟ ରାଜ୍ୟ ସରକାର ଚିକିତ୍ସା ସହାୟତା ପ୍ରଦାନ କରୁଥିଲେ। ତେବେ ଚିକିତ୍ସା ସହାୟତା ବ୍ୟବସ୍ଥା ଜଟିଳ ହୋଇଥିବାରୁ  ଏବେ ମୁଖ୍ୟମନ୍ତ୍ରୀ ବିନା କାଗଜପତ୍ରରେ ଏଟିଏମ୍‌ କାର୍ଡ ଭଳି ସ୍ବାସ୍ଥ୍ୟକାର୍ଡକୁ ବ୍ୟବହାର କରିବା ପାଇଁ ଯୋଜନା ଆଣିଛନ୍ତି। ଫଳରେ, ‌ଜଣେ ବ୍ୟକ୍ତି ୫ ଲକ୍ଷ ଓ ଜଣେ ମହିଳା ୧୦ ଲକ୍ଷ ଟଙ୍କାର ସହାୟତା ପାଇପାରିବେ ବୋଲି କହିଥିଲେ। ବରଗଡ଼ ସାଂସଦ ଶ୍ରୀ ପୂଜାରୀ ସ୍ବାସ୍ଥ୍ୟ ସେବାରେ ‌ଉଭୟ କେନ୍ଦ୍ର ଓ ରାଜ୍ୟ ସରାକରଙ୍କ ସଂପୃକ୍ତି ରହିଲେ ଜନସାଧାରଣ ଏହାର ଅଧିକ ଲାଭପାଇବେ ମତପ୍ରଦାନ କରିଥିଲେ।

ଅଭିନେତା କୁନା ତ୍ରିପାଠୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ମନ୍ତ୍ରୀ ଶ୍ରୀ ସିଂ ଧନ୍ୟବାଦ ଦେଇଥିଲେ। ଏଥିରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ ଓ ବହୁ ହିତାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର