‘ଲେଥା’କୁ ବ୍ରାଣ୍ଡିଂ କଲା ଜିଲ୍ଲା ପ୍ରଶାସନ

ବୌଦ୍ଧ : ‘କୁଲ୍‌ତା ଲେଥା, ହାପ୍‌ରି ଦେଖ୍‌ଲେ କେନ୍ତା ମିଠା’ ଉକ୍ତିଟି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରଚଳିତ। କୁଲତା ଜାତି ମଧ୍ୟରେ ‘ଲେଥା’ ଏକ ନିତିଦିନିଆ ବ୍ୟଞ୍ଜନ। ଚାଉଳ ଚୁନା, ବାଇଗଣ, ଭେଣ୍ଡି, ବାଉଁଶ କରଡ଼ି, ଟମାଟୋ, ମୂଳା ଓ ଆମ୍ବୁଲ ସମ୍ମିଶ୍ରଣରେ ପ୍ରସ୍ତୁତ ହେଉଥିବା ଏହି ସୁସ୍ବାଦୁ ସ୍ବତନ୍ତ୍ର ବ୍ୟଞ୍ଜନ ଆଉ କୁଲତା ଜାତି ମଧ୍ୟରେ ସୀମିତ ହୋଇ ରହିନାହିଁ। ଏହାର ସ୍ବାଦର ସ୍ବତନ୍ତ୍ରତା ଯୋଗୁଁ ପଶ୍ଚିମ ଓଡ଼ିଶାର ସବୁ ଜାତି ଦ୍ବାରା ଏହା ଆଦୃତ ହୋଇଛି। ଏହାକୁ ନଜରରେ ରଖି ‘ଲେଥା’ ହୋଟେଲର ପରିକଳ୍ପନା କରାଯାଇଛି। ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବିଭିନ୍ନ ସଭାସମିତିରେ ବକ୍ତବ୍ୟ ପ୍ରଦାନ କଲାବେଳେ ‘ଲେଥା’ ବିଷୟରେ କହିଥାନ୍ତି। ଏବେ ଏହାକୁ ସେ ବ୍ରାଣ୍ଡିଂ କରିଛନ୍ତି। ମହିଳା ଏସ୍‌ଏଚ୍‌ଜିଙ୍କ ଦ୍ବାରା ହୋଟେଲ ସ୍ଥାପନ କରାଇ ନାମ ରଖିଛନ୍ତି ‘ଲେଥା-ଆମ ଅଞ୍ଚଲର ସ୍ବାଦ୍‌ଭରା ଖାନା’। ଗତ ସ୍ବାଧୀନତା ଦିବସ ଅବସରରେ ଜିଲ୍ଲାପାଳ ମୁର୍ଷୁଣ୍ଡିରେ ଏହି ହୋଟେଲକୁ ଲୋକାର୍ପିତ କରିଥିଲେ। ଏହି ହୋଟେଲରେ ଅନ୍ୟ ଖାଦ୍ୟ ସାମଗ୍ରୀ ସହ ‘ଲେଥା’କୁ ସାମିଲ କରାଯାଇଛି। ବୌଦ୍ଧ ବ୍ଲକ ଗମ୍ଭାରିପଦରର ଜୟ ମା’ ସରସ୍ବତୀ ଏସ୍‌ଏଚ୍‌ଜି ଏହି ହୋଟେଲକୁ ପରିଚାଳନା କରୁଛନ୍ତି।

ବୌଦ୍ଧ ବ୍ଲକ୍‌ ଅଫିସ ଓ ଡିଆର୍‌ଡିଏ ମୁର୍ଷୁଣ୍ଡି ଗ୍ରାମର ଏକ ନିଛାଟିଆ ସ୍ଥାନରେ ରହିଛି। ଏଠାକୁ ଆସୁଥିବା ଅଧିକାରୀ ଓ ଦୂରଦୂରାନ୍ତରୁ ଆସୁଥିବା ହିତାଧିକାରୀ ମଧ୍ୟାହ୍ନରେ ଭୋଜନ ପାଇଁ ଏହି ହୋଟେଲକୁ ଆସୁଛନ୍ତି। ମହିଳାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାରୀ ସ୍ତରରେ ହେଉଥିବା ବିଭିନ୍ନ ବୈଠକ ଓ ତାଲିମ କାର୍ଯ୍ୟକ୍ରମରେ ଖାଦ୍ୟ ପାଇଁ ଏହି ହୋଟେଲକୁ ବରାଦ ଦିଆଯାଉଛି। ଫଳରେ ଏହା ଭଲ ଚାଲିବା ଆଶା କରାଯାଇଛି।

ସମ୍ବନ୍ଧିତ ଖବର