ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ଶିବିର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀକକ୍ଷରେ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ‌ହୋଇଥିଲା। କାର୍ଯ୍ୟକ୍ରମ‌ରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍‌ପି ନିତିନ କୁଶଳକର, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଡିଏଫ୍‌ଓ ନୀତୀଶ କୁମାର, ଉପଜିଲ୍ଲାପାଳ କୁମାର ନାଗଭୂଷଣ, ଜିଲ୍ଲା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଡ. ଗୁଣନିଧି ନାଏକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବଲାଙ୍ଗୀର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ବିଡିଓ, ତହସିଲଦାରମାନେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ବିଭିନ୍ନ ସମସ୍ୟାମୂଳକ ମୋଟ ୧୫୩ଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା। ତନ୍ମଧ୍ୟରୁ ୧୫୧ଟି ବ୍ୟକ୍ତିଗତ ଅଭିଯୋଗମୂଳକ ଦରଖାସ୍ତ ହୋଇଥିବା ବେଳେ ଅବଶିଷ୍ଠ ୨ଟି ସାମୂହିକ ଦରଖାସ୍ତ ଦାଖଲ ହୋଇଥିଲା। ଜିଲ୍ଲାପାଳ ଓ ଏସ୍‌ପି ଜନସାଧାରଣଙ୍କ ଏହି ସମସ୍ତ ଅଭିଯୋଗ ଓ ସମସ୍ୟାଗୁଡ଼ିକର ଶୁଣାଣି କରିଥିଲେ। କାର୍ଯ୍ୟକ୍ରମରେ ୩୦ଟି ଅଭିଯୋଗ ଦରଖାସ୍ତର ତତ୍‌କ୍ଷଣାତ ସମାଧାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଚିକିତ୍ସା ସହାୟତା ବାବଦରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଡାହିମାଲ, ଗୁଡ଼ଭେଲାର ଦେବରାଜ ରଣାଙ୍କୁ ୫ ହଜାର ଟଙ୍କା, ନୂଆଁପାଲି, ଆଗଲପୁରର ପୂର୍ଣ୍ଣମୀ ସାହୁଙ୍କୁ ୫ ହଜାର ଟଙ୍କା, ସିନ୍ଦୂରବାହାଲ, ସଦେଇପାଲିର ସୁଦେବ ନନ୍ଦଙ୍କୁ ୪ ହଜାର ଟଙ୍କା ଓ ମେହେରମୁଣ୍ଡାର ମିଥିଳା ନାଏକଙ୍କୁ ୧୦ ହଜାର ଟଙ୍କା ଲେଖାଏଁର ସହାୟତା ରାଶି  ଚେକ୍‌ ମାଧ୍ୟମରେ ଦିଆଯାଇଥିଲା।

ସମ୍ବନ୍ଧିତ ଖବର