ଏମାର ମଠ ଭାଙ୍ଗିବା ଲାଗି ଜାରି ପ୍ରଶାସନିକ ନୋଟିସ୍ ଗ୍ରହଣ କଲେନି ମହନ୍ତ, କାନ୍ଥରେ ଲଟକା ଲଗାଇଲା ମୁନିସିପାଲିଟି

ପୁରୀ:  ଶ୍ରୀକ୍ଷେତ୍ରର ସୁରକ୍ଷା ଓ ଏହାକୁ  ବିଶ୍ୱ ଐତିହ୍ୟସ୍ଥଳୀ କରିବା ପାଇଁ ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର  ପର୍ଯ୍ୟନ୍ତ ଅଞ୍ଚଳରେ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ଗତକାଲି ଲଙ୍ଗୁଳି ମଠ ଭାଙ୍ଗିବା ପରେ ଆଜି ଐତିହାସିକ ଏମାର ମଠ ଭଙ୍ଗାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମଠକୁ ଭାଙ୍ଗିବା ପାଇଁ ଆଜି ମଠର ମହନ୍ତଙ୍କୁ  ବିଧିବଦ୍ଧ ଭାବେ ନୋଟିସ୍ କରିଛି ଜିଲ୍ଲା ପ୍ରଶାସନ ।  ତେବେ ଏହି ନୋଟିସକୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗ୍ରହଣ କରିନାହାନ୍ତି ମହନ୍ତ । ଫଳରେ କାନ୍ଥରେ ଲଟକା ଲଗାଇ ଦେଇଛି ମୁନିସିପାଲିଟି । ଶ୍ୱାସ ଥିବାରୁ ସେ ବାହାରକୁ ବାହାରି ପାରିବେ ନାହିଁ ବୋଲି କହି ନୋଟିସ ଗ୍ରହଣ କରିନାହାନ୍ତି  ମହନ୍ତ ।

ଅନ୍ୟପଟେ ଏହି ମଠରେ ଥିବା ଐତିହାସିକ ରଘୁନନ୍ଦନ ଲାଇବ୍ରେରିକୁ ସ୍ଥାନାନ୍ତର କରାଯାଇଛି । ଏହି ପୁରୁଣା ଲାଇବ୍ରେରିରେ ଥିବା ଆଲମିରା ଓ ବହିକୁ ଅନ୍ୟ ଏକ ମଠକୁ ସ୍ଥାନାନ୍ତର କରାଯାଇଛି । ଏମାର ମଠ ସହ ଏଥିରେ ଥିବା ଦୋକାନ ଘରଗୁଡିକୁ ମଧ୍ୟ ଭଙ୍ଗାଯିବ । ମେଘନାଦ ପାଚେରୀ ଠାରୁ ମାତ୍ର ଅଳ୍ପ ଦୂରରେ ଥିବା ଏମାର ମଠକୁ ପୂର୍ବରୁ ଜିଲ୍ଲାପ୍ରଶାସନ ବିପଦସଂକୁଳ ଘୋଷଣା କରିଥିଲେ । ତେବେ ମଠ ପରିସରରେ ଥିବା ମନ୍ଦିର ଓ ପୂଜା ପାଉଥିବା ଠାକୁରଙ୍କୁ ପୂର୍ବଭଳି ରଖାଯିବାକୁ ନିଷ୍ପତ୍ତି  ନିଆଯାଇଛି । ଏହାପରେ ବଡ ଆଖଡା ମଠ ଭଙ୍ଗାଯିବ । ସେଥିପାଇଁ ବଡ ଆଖଡା ମଠରେ ଥିବା ସିଂହଦ୍ୱାର ଥାନାର ଜିନିଷ ପତ୍ର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି ।

Flicker

ତେବେ  ୧୦୦ତମ  ପ୍ରତିଷ୍ଠା ଦିବସ ପାଳିବା ପୂର୍ବରୁ ଇତିହାସ ପାଲଟିବ ରଘୁନନ୍ଦନ ଲାଇବ୍ରେରୀ । ବହୁ ପୁରାତନ ଐତିହ୍ୟ ମଠ ଏମାରମଠ ଧରାଶାୟୀ ହେବା ସହ ଇତିହାସ ପାଲଟିଯିବ ଏହି ମଠ ପରିସରରେ ଥିବା ରଘୁନନ୍ଦନ ପାଠାଗାର । ଏହି ଲାଇବ୍ରେରିରେ ଜଗନ୍ନାଥ ସଂସ୍କୃତି ସହ ବହୁ ପୁସ୍ତକ ଓ ତାଳପତ୍ର ପୋଥି ରହିଛି । ଏହା ସହ ବହୁ ହିନ୍ଦୀ, ଇଂଲିଶ, ସଂସ୍କୃତି ଓ ଓଡିଆ ଭାଷାର ବହୁ ଦୁର୍ମୁଲ୍ୟ ପୁସ୍ତକ ରହିଛି । କିନ୍ତୁ ଏହାକୁ ଭାଙ୍ଗିବା ପରେ ଏହା ଅସ୍ତିତ୍ୱ ହରାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି । କାରଣ ଏହାକୁ ସ୍ଥାନାନ୍ତର କରିବାକୁ ନୋଟିସ ହୋଇଥିଲେ ବି ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ । ଫଳରେ ୧୯୨୧ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ପ୍ର୍ରାଚୀନ ଗ୍ରନ୍ଥାଗାରର ଭବିଷ୍ୟତ ନେଇ ଉଠିଛି ପ୍ରଶ୍ନ ।

ସମ୍ବନ୍ଧିତ ଖବର