ପୁରୀ : ଆଉ ୪ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଲକ୍ଷାଧିକ ସଂଖ୍ୟାରେ ଭକ୍ତ ରଥଯାତ୍ରାରେ ଶ୍ରୀବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଠୁଳ ହେବେ। ଏହା ପୂର୍ବରୁ ରଥଯାତ୍ରା ଉପଲକ୍ଷେ ଏକ ମକ୍ଡ୍ରିଲ୍ ଟାଉନ୍ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ନୀତିକାନ୍ତିଠାରୁ ଆରମ୍ଭ କରି ଅନ୍ୟାନ୍ୟ ବ୍ୟବସ୍ଥା କିଭଳି ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ହେବ, ତା’ର ଏସଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଓ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟ ରକ୍ଷା ପାଇଁ ଏହି ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଛି। ଏହି ଅବସରରେ ରଥଯାତ୍ରା ଏସ୍ଓପି ସମ୍ପର୍କିତ ପୁସ୍ତକ ଲୋକାର୍ପିତ ହୋଇଥିଲା।
ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମକ୍ଡ୍ରିଲ୍ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଚଳିତ ରଥଯାତ୍ରାରେ ଅଧିକ ଶ୍ରଦ୍ଧାଳୁଙ୍କ ଯୋଗଦେବେ ବୋଲି ଆଶା କରାଯାଉଛି। ତେଣୁ ଶ୍ରଦ୍ଧାଳୁଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ସମସ୍ତ କାର୍ଯ୍ୟକୁ ବିଭିନ୍ନ ବିଭାଗ ଠିକ୍ ଭାବେ ପରିଚାଳନା କରୁଛନ୍ତି। ତାହାର ଏକ ବାସ୍ତବ ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ମକ୍ଡ୍ରିଲ୍ର ପରିକଳ୍ପନା। ଏସ୍ପି ଡା. କେ. ବିଶାଳ ସିଂହ ସମସ୍ତ ବିଭାଗ ତାଙ୍କର ଦାୟିତ୍ୱକୁ ବୁଝିବା ଓ ଅନ୍ୟ ବିଭାଗ ସହ ସମନ୍ବୟ ରଖି କାର୍ଯ୍ୟ କରିବା ଲକ୍ଷ୍ୟରେ ଏହି ମକ୍ଡ୍ରିଲ୍ ବେଶ୍ ସହାୟକ ହେବ ବୋଲି କହିଥିଲେ। ଓସ୍ଡମାର ଡିଜିଏମ୍ ସୁନୀଲ କୁମାର ସାହୁ, ସାର୍ଥକ ସୌରଭ ମହାପାତ୍ର ମକ୍ଡ୍ରିଲ୍ ପରିଚାଳନା କରିଥିଲେ।
Follow Us