ବାଲେଶ୍ବର: କୋଭିଡ୍ ମୃତ୍ୟୁକୁ ଚାପିରଖୁଛି ଜିଲ୍ଲା ପ୍ରଶାସନ

ବାଲେଶ୍ବର : ମହାମାରୀ କରୋନାରେ କେତେ ଜୀବନ ଗଲାଣି। ଏମିତିକି ପୂରା ପରିବାର ବି ଉଚ୍ଛନ୍ନ ହୋଇଯିବାର ନଜିର ରହିଛି। ସରକାରଙ୍କ ତଥ୍ୟ ଅନୁସାରେ ବାଲେଶ୍ବର ଜିଲ୍ଲା ଏବେ ମଧ୍ୟ ରେଡ୍‌ ଜୋନ୍ ବଳୟରେ। ସଂକ୍ରମଣ ଭଳି ମୃତ୍ୟୁସଂଖ୍ୟା ବି କିଛି କମ୍ ନୁହେଁ ଏ ଜିଲ୍ଲାରେ। ତଥାପି କରୋନା ମୃତ୍ୟୁ ରିପୋର୍ଟକୁ ଚାପିରଖୁଛି ଜିଲ୍ଲା ପ୍ରଶାସନ। ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ ଯାତ୍ରା ଅଭିନେତ୍ରୀ ତୃପ୍ତି ପଣ୍ଡା। ଭାତହାଣ୍ଡିରୁ ଗୋଟିଏ ଭଳି ତୃପ୍ତି କେବଳ ଉଦାହରଣ ମାତ୍ର। ଜିଲ୍ଲାରେ ତୃପ୍ତିଙ୍କ ଭଳି ଅନେକ ଲୋକ କୋଭିଡ୍‌ରେ ପ୍ରାଣ ହରାଇଥିଲେ ମଧ୍ୟ ସରକାରୀ ରିପୋର୍ଟରେ ସେମାନଙ୍କ ଚିହ୍ନବର୍ଣ୍ଣ ନାହିଁ। ସତ୍ୟକୁ ଲୁଚାଇବାକୁ ଏହା ଯୋଜନାବଦ୍ଧ ପ୍ରୟାସ ନୁହେଁ ତ? ଲୋକଙ୍କ ମନରେ ଏଭଳି ପ୍ରଶ୍ନ ବର୍ତ୍ତମାନ ଘୋର ସନ୍ଦେହ ସୃଷ୍ଟି କଲାଣି।

କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିବାରକୁ ମୃତ୍ୟୁ ପ୍ରମାଣପତ୍ର ଦିଆଯାଉନଥିବା ଅଭିଯୋଗ ଆସିବା ପରେ ‘ସମ୍ବାଦ’ ଏହାର ଖୋଳତାଡ଼ କରିଥିଲା। ଯଦି ବା କାହାକୁ ମୃତ୍ୟୁ ପ୍ରମାଣପତ୍ର ଦିଆଯାଉଛି , ସେଥିରେ କରୋନା ପରିବର୍ତ୍ତେ ଅନ୍ୟ ରୋଗରେ ମୃତ୍ୟୁ ହୋଇଥିବା ଦର୍ଶାଯାଉଛି। କିନ୍ତୁ ବାଲେଶ୍ବର ପୌରପାଳିକା ଅନ୍ତର୍ଗତ ନୁଣିଆଯୋଡ଼ି କୋଭିଡ୍‌ ଶ୍ମଶାନରେ ପ୍ରାୟ ସବୁଦିନ ଜୁଇ ଜଳୁଛି। ଆଉ ଏହାର ଚିତ୍ର ହିଁ ବୟାନ କରୁଛି ସରକାରୀ ରିପୋର୍ଟର ଅର୍ଦ୍ଧସତ୍ୟକୁ। ପୌରପାଳିକା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତବର୍ଷ ଏପ୍ରିଲରୁ ଚଳିତ ବର୍ଷ ଜୁନ ୧୫ ତାରିଖ ସୁଦ୍ଧା ନୁଣିଆଯୋଡ଼ି ମୁକ୍ତିଦ୍ବାର ଶ୍ମଶାନରେ ୩୮୫ ଜଣ କରୋନା ମୃତକଙ୍କ ସଂସ୍କାର କରାଯାଇଛି। କରୋନା ପ୍ରଥମ ଲହରରେ ୧୦୨ ଓ ଦ୍ବିତୀୟ ଲହରରେ ୨୮୩ ଜଣଙ୍କର ଶବଦାହ ହୋଇଛି। ହେଲେ ସରକାରୀ ଭାବେ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୧୨୫ ବୋଲି ଦର୍ଶାଯାଇଛି। ପ୍ରଥମ ଲହରରେ ୯୪, ଦ୍ବିତୀୟ ଲହରରେ ୩୧ ଜଣଙ୍କୁ ମିଶାଇ ଏହି ରିପୋର୍ଟ ସାର୍ବଜନୀନ କରିଛି ଜିଲ୍ଲା ପ୍ରଶାସନ। ସବୁଠୁ ବଡ଼ କଥା ହେଲା ଗତ ଏପ୍ରିଲରୁ ଦ୍ବିତୀୟ ଲହର ଆରମ୍ଭ ହୋଇଥିବା ବେଳେ ନୁଣିଆଯୋଡ଼ି କୋଭିଡ୍‌ ଶ୍ମଶାନରେ ୨୩୮ ଜଣଙ୍କର ସଂସ୍କାର ହୋଇଥିବା ଖୋଦ୍‌ ପୌର କାର୍ଯ୍ୟାଳୟର ତଥ୍ୟ ଦର୍ଶାଉଛି। ଅଥଚ ସରକାରୀ ଭାବେ ମାତ୍ର ୩୧ ଜଣଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି। କୋଭିଡ୍‌ ମୃତ୍ୟୁର ଏ ସତମିଛର ରହସ୍ୟ ସାଧାରଣଙ୍କ ଲୋକଙ୍କ ପାଇଁ ଗୋଲକଧନ୍ଦା ହୋଇପାରେ। କିନ୍ତୁ ପ୍ରକୃତ ମୃତ୍ୟୁ ରିପୋର୍ଟକୁ ଲୁଚାଇବା ପାଇଁ ଯେ ଭରପୂର ପ୍ରୟାସ କରାଯାଉଛି ତାହା ଏଥିରୁ ସ୍ପଷ୍ଟ।

ଅଧିକାଂଶ କୋଭିଡ୍‌ ମୃତକଙ୍କ କ୍ଷେତ୍ରରେ ମୃତ୍ୟୁ କାରଣ କିଛି ଉଲ୍ଲେଖ ରହୁନାହିଁ। ବାଲେଶ୍ବର ଜିଲ୍ଲା ଔପଦା ଅଞ୍ଚଳର ବାସିନ୍ଦା ତଥା ଓଡ଼ିଶାର ଜଣାଶୁଣା ଯାତ୍ରା ଅଭିନେତ୍ରୀ ତୃପ୍ତି ପଣ୍ଡା (୩୫)ଙ୍କ କଥାକୁ ବିଚାରକୁ ନିଆଯାଇପାରେ। ତୃପ୍ତି କରୋନାରେ ଆକ୍ରାନ୍ତ ହେବା ପରେ ଏପ୍ରିଲ ୨୩ ତାରିଖରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥିତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୨୭ ତାରିଖରେ ତୃପ୍ତି ଆଖି ବୁଜିଥିଲେ। ଯଦିଓ ତୃପ୍ତି ଅନ୍ୟ କୌଣସି ରୋଗରେ ପୀଡିତ ନଥିଲେ, ତଥାପି ତାଙ୍କ ମୃତ୍ୟୁ କରୋନାରେ ହୋଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ମାନିବାକୁ ନାରାଜ। ଏ ନେଇ ମୃତ୍ୟୁ ପ୍ରମାଣପତ୍ରରେ କିଛି ଲେଖା ଯାଇନଥିବା କହିଛନ୍ତି ତୃପ୍ତିଙ୍କ ସ୍ବାମୀ ତଥା ଯଲିଉଡ୍ ଅଭିନେତା ସୁଶାନ୍ତ ପଣ୍ଡା।

ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଦୁଲାଲସେନ ଜଗଦେବ କହିଛନ୍ତି, ଅନ୍ୟ ରୋଗ ଥାଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଲେ ସେ ବାବଦରେ ଟେକନିକାଲ୍ ଟିମ୍ ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ଦେଉଛି ଏବଂ ତା ଆଧାରରେ ସରକାର କରୋନା ମୃତ୍ୟୁ ତାଲିକା ପ୍ରକାଶ କରୁଛନ୍ତି। ଏଥିରେ ସେମାନଙ୍କର କିଛି ଭୂମିକା ହିଁ ନାହିଁ। ତୃପ୍ତିଙ୍କ ବିଷୟରେ ପଚରାଯିବାରୁ ଡାକ୍ତର ଜଗଦେବ ଅଜବ ଉତ୍ତର ରଖିଥିଲେ। କହିଥିଲେ ଯଦି ପ୍ରମାଣପତ୍ରରେ କରୋନା ମୃତ୍ୟୁ ହୋଇଛି ବୋଲି ଉଲ୍ଲେଖ ରହିବାକୁ କେହି ଆବେଦନ କରନ୍ତି, ତାହା ହେଲେ ସେ ସଂପର୍କରେ ବିଚାର କରାଯିବ।

ସମ୍ବନ୍ଧିତ ଖବର