କଳାବଜାରୀ ରୋକିବାକୁ ବାଲେଶ୍ବର ଜିଲ୍ଲା ପ୍ରଶାସନର ପଦକ୍ଷେପ: ଏସଏଚଜି ମହିଳାଙ୍କୁ ନେଇ ଖୋଲାଗଲା ରାସନ ସାମଗ୍ରୀ ବିକ୍ରୟ କେନ୍ଦ୍ର

ବାଲେଶ୍ବର : ଆଳୁ-ପିଆଜ ବିକ୍ରିରେ କଳାବଜାରୀକୁ ରୋକିବା ପାଇଁ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ପୌରାଞ୍ଚଳ ଅଧୀନସ୍ଥ ୧୦ଟି ସ୍ଥାନରେ ଷ୍ଟଲ ବସାଯାଇ ସୁଲଭ ମୂଲ୍ୟରେ ଲୋକଙ୍କୁ ଆଳୁ ପିଆଜ ଯୋଗାଇ ଦିଆଯାଇଛି। ମିସନ ଶକ୍ତିର କିଛି ମହିଳାକର୍ମୀଙ୍କୁ ନେଇ ଏହି କାମ ହାତକୁ ନିଆଯାଇଥିବା ସୂଚନା ଦିଆଯାଇଛି।

କରୋନା ପ୍ରଭାବରେ ଅସାଧୁ ବ୍ୟବସାୟୀମାନେ ନିଜ ପାଖରେ ମହଜୁଦ ରଖିଥିବା ଆଳୁ, ପିଆଜ ଓ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର କଳାବଜାରି କରିବା ଆରମ୍ଭ କରିଦେଇଛନ୍ତି। ସରକାରୀ ମୂଲ୍ୟଠାରୁ ଦୁଇଗୁଣା ଅଧିକ ମୂଲ୍ୟରେ ବିକ୍ରି କରୁଥିବା ନେଇ ଜନସାଧାରଣଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନର ଦୃଷ୍ଟିଗୋଚର କରାଯାଇଥିଲା। ଏପରିକି କରୋନା ପାଇଁ ସାମାଜିକ ଦୂରତା କଟକଣାକୁ ମଧ୍ୟ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଥିଲା। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ବ୍ୟବସାୟୀଙ୍କୁ ତାଗିଦ କରିବା ସହ ରେଟଚାଟ୍ ନ ଲଗାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିଲା। ହେଲେ ବ୍ୟବସାୟୀମାନେ ସେଥିରେ ସହଯୋଗ କଲେନାହିଁ। ଗତକାଲି ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ କଳା ବଜାରି ରୋକିବା ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ମିଶନ ଶକ୍ତି କର୍ମୀଙ୍କ ଜରିଆରେ ଲୋକଙ୍କୁ ଆଳୁ ପିଆଜ ଯୋଗାଇବା ପାଇଁ ନିଷ୍ପତ୍ତି  ନିଆଯାଇଥିଲା।

ବାଲେଶ୍ବର ପୌର ପରିଷଦ ଅଧିକାରୀ ପ୍ରଣୟ ଜେନାଙ୍କ ନେତୃତ୍ବରେ ଆଜି ସକାଳେ ସହରର ୧୦ଟି ସ୍ଥାନ ଯଥାକ୍ରମେ ସହଦେବଖୁଣ୍ଟାସ୍ଥିତ ବାଳାଶ୍ରମ, ଡିଆରଡିଏ କାର୍ଯ୍ୟାଳୟ, ପୌରପାଳିକା କାର୍ଯ୍ୟା ଳୟ, ଟାଉନ ଥାନା, ପୁଲିସ ଲାଇନ୍ ଛକ, ମଠସାହି ସ୍କୁଲ, ଟାଉନ୍ ହଲ, ଆଜିମାବାଦ ହନୁମାନ ମନ୍ଦିର, ଈଶାନେଶ୍ବର ମନ୍ଦିର ଓ ଆଇଟିଆଇ ଛକରେ ଏସ୍ଏଚଜି ମହିଳା କର୍ମୀଙ୍କ ଜରିଆରେ ଆଳୁ ଓ ପିଆଜ ବିକ୍ରି କରାଯାଇଥିଲା। ଏହି ଷ୍ଟଲଗୁଡ଼ିକରେ ଆଳୁ କିଲୋ ପ୍ରତି ୧୮ ଟଙ୍କା ଓ ପିଆଜ ୨୭ ଟଙ୍କା ରହିଛି। ପ୍ରତିଦିନ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହାକୁ ଖୋଲାଯିବାର ବ୍ୟବସ୍ଥା କରାଯାଇଛି। ଲୋକଙ୍କ ଆବଶ୍ୟକତାକୁ ଲକ୍ଷ୍ୟରେ ରଖି ଏବଂ ଅସାଧୁ ବେପାରିଙ୍କ ପାଖକୁ ନ ଯିବା ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ପୁଣି ଷ୍ଟଲ ସଂଖ୍ୟା ବଢ଼ାଯିବାକୁ ଯୋଜନା କରାଯାଇଛି। ଏଥିସହ ସବୁ ଷ୍ଟଲ ସମ୍ମୁଖରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିର୍ଦିଷ୍ଟ ଗାର ଟଣାଯାଇ ତାହା ମାନିବାକୁ ଲୋକଙ୍କୁ ସଚେତନ କରାଯାଉଥିବା ପୌର ଅଧିକାରୀ ଶ୍ରୀ ଜେନା କହିଛନ୍ତି। ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ସହରବାସୀ ପ୍ରଶଂସା କରିଥିବା ବେଳେ ଦୋକାନ ଗୁଡ଼ିକୁ ଅଳ୍ପ ପରିମାଣର ସାମଗ୍ରୀ ଯୋଗାଇ ନଦେଇ ଲୋକଙ୍କ ଆବଶ୍ୟକତା ଅନୁସାରେ ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି। ଏହି କାମକୁ ପିଡି-ଡିଆରଡିଏ, ଡିଏସ୍ଡବ୍ଲୁଓ, ଡିପିସି ମିସନ ଶକ୍ତି ପରିଚାଳନା ଦାୟିତ୍ବରେ ଅଛନ୍ତି।

ସମ୍ବନ୍ଧିତ ଖବର