ଜହ୍ନାପଙ୍କ: ବୌଦ୍ଧ ବ୍ଳକ ବ୍ର।ହ୍ମଣୀପାଲି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ବୌଦ୍ଧ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ବାରା ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ଅବିନାଶ ପାଣ୍ଡିଆଙ୍କ ପରିଚାଳନାରେ ଆୟୋଜିତ ଶିବିରରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ମୋଟ ୧୩୮ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିରୁ ତତ୍କାଳ ୬୧ଟି ଅଭିଯୋଗର ଶୁଣାଣି କରାଯାଇଥିବା ବେଳେ ଅବଶିଷ୍ଟ ୭୭ଟି ଅଭିଯୋଗ ପର୍ଯ୍ୟାୟକ୍ରମେ ସମାଧାନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଏଏସ୍‌ପି ରବୀନ୍ଦ୍ର ରାଉତ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ଉପଜିଲ୍ଲାପାଳ ରବୀନ୍ଦ୍ର କହଁର, ବ୍ରହ୍ମଣୀପାଲି ସରପଞ୍ଚ ଅରୁଣ ବାଘ ମଞ୍ଚାସୀନ ଥିଲେ।

Advertisment

ଜିଲ୍ଲାପାଳ ବକପାଲିର ଇନ୍ଦୁ ନାୟକ, ସମିତା ନାଏକ ଓ ରୁକ୍ମିଣୀ ପ୍ରଧାନଙ୍କୁ ରେଡ୍‌କ୍ରସ ପାଣ୍ଠିରୁ ୨ ହଜାର ଟଙ୍କା, କାଞ୍ଚନ ସାହୁଙ୍କୁ ୫ ହାଜର ଟଙ୍କା ଓ  ୨ ଅସହାୟ ମହିଳାଙ୍କୁ କମ୍ବଳ ପ୍ରଦାନ କରିଥିଲେ। ଏହା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଭୁକ୍ତାପଡ଼ାର ଡମ୍ବରୁ ବେହେରାଙ୍କୁ ୩ ହଜାର ଟଙ୍କା ପ୍ରଦାନ କରିଥିଲେ। ଶିବିରରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀଙ୍କ ସହ ସିଡିପିଓ ମିନତୀ ଦେଓ ଉପସ୍ଥିତ ଥିଲେ। ବ୍ରାହ୍ମଣୀପାଲି ପିଇଓ ଦିବ୍ୟ ଲୋଚନ ବେହେରାଙ୍କ ସହ କର୍ମଚାରୀ ଓ ୱାର୍ଡମେମ୍ବରମାନେ ସହଯୋଗ କରିଥିଲେ। ତେବେ ଆଭ୍ୟନ୍ତରୀଣ ଗ୍ରାମର ଲୋକମାନେ ବିଳମ୍ବରେ ଖବର ପାଇ ଆସିଲା ବେଳକୁ ଶିବିର ସରି ସାରିଥିବାରୁ ଅସନ୍ତୋଷ ପ୍ରକାଶ କରି ନିରାଶରେ ଫେରିଥିବା ଦେଖିବକୁ ମିଳିଥିଲା। ଆଗାମୀ ଦିନରେ ଯଦି ବ୍ଲକ୍‌ର ଆଭ୍ୟନ୍ତରୀଣ ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ହୁଏ ତେବେ ଡାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।