ସମ୍ବଲପୁର: ପଦ୍ମପୁର ଉପନିର୍ବାଚନ ସମୟରୁ ରାଜ୍ୟରେ ଜିଲ୍ଲା ପୁନର୍ଗଠନ ଓ ନୂଆ ଜିଲ୍ଲା ସୃଷ୍ଟିକୁ ନେଇ ଚର୍ଚ୍ଚା ଲାଗିରହିଛି। ଅନେକ ଉପଖଣ୍ଡ ଓ ସହରର ଲୋକେ ନିଜ ଅଞ୍ଚଳକୁ ଜିଲ୍ଲା କରିବାକୁ ଦାବି କରୁଛନ୍ତି। ଏହି କ୍ରମରେ ଆଉ କିଛି ଅଞ୍ଚଳବାସୀ ଏବେ ନୂଆ ଉପଖଣ୍ଡ ଦାବି ଆରମ୍ଭ କରିଦେଇଛନ୍ତି। ଜିଲ୍ଲା ଆନ୍ଦୋଳନ ସହ ଅନେକ ସ୍ଥାନରେ ଉପଖଣ୍ଡ ଆନ୍ଦୋଳନ ମଧ୍ୟ ସମାନ୍ତରାଳ ଭାବରେ ଚାଲିଛି। ଏଥି ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନଠାରୁ ଆରମ୍ଭ କରି, ଧାରଣା, ବିକ୍ଷୋଭ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି।
ଏ ଗୁଡ଼ିକ ମଧ୍ୟରୁ କିଛି ନୂଆ ଦାବି ହୋଇଥିବାବେଳେ ଆଉ କିଛି ବହୁ ପୁରୁଣା ଦାବି ଥିବା ଜଣାପଡ଼ିଛି। ନୂଆ ଉପଖଣ୍ଡ ଦାବି ନେଇ ସରକାର ମଧ୍ୟ ସଚେତନ ଅଛନ୍ତି। ଅତି କମ୍ରେ ୧୮ଟି ନୂଆ ଉପଖଣ୍ଡ ପାଇଁ ବିଭିନ୍ନ ଅଞ୍ଚଳରେ ଦାବି ଥିବା ନେଇ ସରକାର ବହୁ ପୂର୍ବରୁ ସ୍ବୀକାର କରିଛନ୍ତି। ୨୦୧୫ରେ କବିସୂର୍ଯ୍ୟନଗରର ସୂଚନା ଅଧିକାର କର୍ମୀ ବି ଶଂକର ପାତ୍ରଙ୍କୁ ସୂଚନା ଆଇନ୍ରେ ତଥ୍ୟ ଦେଇ ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ କୁହାଯାଇଥିଲା ଯେ ସେହି ସମୟରେ ୧୮ଟି ଜିଲ୍ଲାରେ ୧୮ଟି ନୂଆ ଉପଖଣ୍ଡ ପାଇଁ ଦାବି ସରକାରଙ୍କ ପାଖରେ ବିଚାରାଧୀନ ଥିଲା। ସେହି ଅଞ୍ଚଳ ଗୁଡ଼ିକ ହେଲା ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି, ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ବରଗଡ଼ ଜିଲ୍ଲାର ବରପାଲି, ବାଲେଶ୍ବର ଜିଲ୍ଲାର ସୋର, ଗଂଜାମ ଜିଲ୍ଲାର ଆସ୍କା, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ/ପାରାଦୀପ, ସମ୍ବଲପୁର ଜିଲ୍ଲାର ରେଂଗାଲି, କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ପୁରୀ ଜିଲ୍ଲାର ନିମାପଡ଼ା, ରାୟଗଡ଼ା ଜିଲ୍ଲାର ବିଷମକଟକ, ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର, ନୂଆପଡ଼ା ଜିଲ୍ଲାର ଖରିଆର, ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼, ନବରଂଗପୁର ଜିଲ୍ଲାର ଉମରକୋଟ, ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଓ ଗଜପତି ଜିଲ୍ଲାର ମୋହନା।
ହେଲେ ପରବର୍ତ୍ତୀ ସମୟରେ ୨୦୧୭-୧୮ ଓ ୨୦୧୮-୧୯ ବିଧାନସଭା ଷ୍ଟାଣ୍ଡିଂ କମିଟି ତରଫରୁ ରାଜ୍ୟରେ ୧୪ଟି ନୂଆ ଉପଖଣ୍ଡ ଗଠନ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଥିଲା। ପ୍ରସ୍ତାବରେ ୧୩ଟି ସ୍ଥାନର ତାଲିକା ପ୍ରଦାନ କରା ଯାଇଥିଲା। ଉକ୍ତ ପ୍ରସ୍ତାବରେ ୨୦୧୫ ତାଲିକାରେ ବିଚାରାଧୀନ ଥିବା ଅନେକ ଅଞ୍ଚଳ ବାଦ୍ ପଡ଼ି କିଛି ନୂଆ ଅଞ୍ଚଳକୁ ଯୋଡ଼ା ଯାଇଥିଲା। ସେହି ପ୍ରସ୍ତାବିତ ଉପଖଣ୍ଡଗୁଡ଼ିକ ହେଲା କେନ୍ଦ୍ରାପଡ଼ାର ଆଳି, ଯାଜପୁରର ବ୍ୟାସନଗର, କଟକର ସାଲେପୁର, ପୁରୀର ନିମାପଡ଼ା, ଖୋର୍ଦ୍ଧାର ଚିଲିକା, ନୟାଗଡ଼ର ଦଶପଲ୍ଲା, ବାଲେଶ୍ବରର ଜଳେଶ୍ବର, ଭଦ୍ରକର ତିହିଡ଼ି, କେନ୍ଦୁଝରର ଘଟଗାଁ, ନବରଂଗପୁର ଉମରକୋଟ, ଗଜପତିର ମୋହନା, ନୂଆପଡ଼ାର ଖଡ଼ିଆଳ ଓ ଗଂଜାମର ଆସ୍କା। ହେଲେ ବିଧାନସଭାର ଏହି ଷ୍ଟାଣ୍ଡିଂ କମିଟି ପ୍ରସ୍ତାବରେ ପଶ୍ଚିମ ଓଡ଼ିଶାର ଉପଖଣ୍ଡ ଦାବିଗୁଡ଼ିକୁ ସଂପୂର୍ଣ୍ଣ ଅଣଦେଖା କରାଯାଇଥିଲା। କେବଳ ନୂଆପଡ଼ାର ଖଡ଼ିଆଳ ବ୍ୟତୀତ ଆଉ କୌଣସି ପଶ୍ଚିମ ଓଡ଼ିଶାର ସ୍ଥାନ ଏହି ନୂଆ ତାଲିକାରେ ନଥିଲା।
ପୂର୍ବରୁ ଥିବା କଣ୍ଟାବାଞ୍ଜି, କଣ୍ଟାମାଳ, ବରପାଲି, ଏମ୍ ରାମପୁର, ରେଂଗାଲି, ରାଜଗାଙ୍ଗପୁର, ବିନିକା ଆଦି ଅଞ୍ଚଳବାସୀଙ୍କ ଦାବିକୁ ଆଖି ବୁଜି ଦିଆଯାଇଥିଲା। ହେଲେ ଉକ୍ତ ସୁପାରିସ୍କୁ ୩ ବର୍ଷରୁ ଅଧିକ ବିତିଥିଲେ ବି ସରକାର ତାକୁ କାର୍ଯ୍ୟକାରୀ କରିନାହାନ୍ତି। ଅପରପକ୍ଷରେ ଜିଲ୍ଲା ଦୌଡ଼ରେ ଥିବା କୌଣସି ସ୍ଥାନ ଏହି ଉପଖଣ୍ଡ ଦାବି ତାଲିକାରେ ନାହାନ୍ତି। ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲାର ଆସ୍କା ଭଳି କେତେକ ସ୍ଥାନରେ ଏହି ଉପଖଣ୍ଡ ପାଇଁ ଜୋରଦାର ଦାବି ଓ ଆନ୍ଦୋଳନ ହେଉଛି। ଆସ୍କା ରାଜ୍ୟର ଏକମାତ୍ର ସଂସଦୀୟ କ୍ଷେତ୍ର ମୁଖ୍ୟାଳୟ ଯାହା ଏକ ଉପଖଣ୍ଡ ବି ନୁହେଁ। ତେଣୁ ଏହାକୁ ତୁରନ୍ତ ଉପଖଣ୍ଡ କରିବାକୁ ଲୋକେ ଦାବି କରୁଛନ୍ତି। ସେହିପରି ପାରାଦୀପ, ରାଜଗାଙ୍ଗପୁର, ଉମରକୋଟ, ବ୍ୟାସନଗର, କଣ୍ଟାବାଞ୍ଜି ଭଳି ସହର ଏହି ଦୌଡ଼ରେ ଅଛନ୍ତି। ତେଣୁ ନିକଟ ଭବିଷ୍ୟତରେ ଜିଲ୍ଲା ପୁନର୍ଗଠନ ହେଲେ ନୂଆ ଉପଖଣ୍ଡ ଗଠନ ବି ଅବଶ୍ୟମ୍ଭାବୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।