ବିଜେଡିର ଗୁଗ୍‌ଲିରେ ଜିଲ୍ଲା ବିଜେପିରେ କମ୍ପନ

ମୁଖ୍ୟମନ୍ତ୍ରୀଙ୍କ ସଭାରେ ସାଂସଦଙ୍କ ଉପସ୍ଥିତି ନେଇ କର୍ମୀ ଦୋଛକିରେ

କେସିଙ୍ଗା : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ଥିବା ବିରୋଧୀଦଳ ନେତା ପ୍ରଦୀପ ନାଏକ ବର୍ଜନ କରିଥିଲେ। ଏହା ସରକାରୀ କାର୍ଯ୍ୟକ୍ରମ ନୁହେଁ ବରଂ ବିଜେଡିର ଦଳୀୟ କାର୍ଯ୍ୟକ୍ରମ କହି କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ। ଅନ୍ୟପଟେ ତାଙ୍କରି ଦଳର କଳାହାଣ୍ଡି ସାଂସଦ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପରେ ଦଳୀୟ କନ୍ଦଳ ନେଇ ପୁଣି ଜିଲ୍ଲାସାରା ଚର୍ଚ୍ଚା ହୋଇଛି।

ପୂର୍ବରୁ ନିର୍ବାଚନ ବେଳେ ପ୍ରଦୀପଙ୍କ ସାଂସଦ ଟିକେଟ୍‌ କଟି ବସନ୍ତ ପଣ୍ଡାଙ୍କୁ ଟିକେଟ୍‌ ମିଳିବା ନେଇ ଦଳୀୟ ଅନ୍ତର୍ଦ୍ୱନ୍ଦ୍ବ କଥା ଉଠିଥିଲା। ୨ଜଣଯାକ ଜିତିବା ପରେ ବି ଏହି ପ୍ରସଙ୍ଗ ବହୁ ସମୟ ଧରି ଚର୍ଚ୍ଚା ହୋଇ ଆସୁଥିଲା। ଗୁରୁବାର ସାଂସଦଙ୍କ ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ଦଳୀୟ କନ୍ଦଳକୁ ବଢ଼ାଇଛି। ଦଳ ମଧ୍ୟରେ ସମନ୍ଵୟର ଅଭାବକୁ ପଦାରେ ପକେଇଛି। ଜିଲ୍ଲା ବିଜେପି କର୍ମୀମାନେ ୨ ନେତାଙ୍କ ଏଭଳି ଭିନ୍ନଭିନ୍ନ ଆଭିମୁଖ୍ୟ ନେଇ ଦୋଛକିରେ ପଡ଼ିଯାଇଛନ୍ତି। ସେପଟେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ବିରୋଧୀଦଳ ନେତାଙ୍କୁ ସସମ୍ମାନେ ଡକାଯାଇଥିଲ। ମଞ୍ଚରେ ବସିବା ପାଇଁ ସ୍ବତନ୍ତ୍ର ସ୍ଥାନ ମଧ୍ୟ ରହିଥିଲା। ଏହା ସରକାରଙ୍କ ବହୁମୁଖୀ ଯୋଜନା, କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ଏନେଇ ସାଂସଦ ବସନ୍ତ ପଣ୍ଡାଙ୍କୁ ପଚାରିବାରୁ, କେନ୍ଦ୍ର ରାଜ୍ୟ ସରକାରଙ୍କୁ କେଉଁ କେଉଁ ଅନୁଦାନ ଦେଉଛି, ତାହାର ତାଲିକା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଓ ଲୋକଙ୍କ ସମସ୍ୟା ଓ ଅସୁବିଧା କଥା ଜଣାଇବାକୁ ସଭାକୁ ଯାଇଥିଲି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର