ଯାଜପୁର/ବ୍ରହ୍ମବରଦା/ଦାନଗଦୀ/ବ୍ୟାସନଗର: ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କ ରାଜ୍ୟବ୍ୟାପୀ ଜିଲ୍ଲା ବୁଲା କାର୍ଯ୍ୟକ୍ରମ ଆଜି କୋରେଇରେ ଶେଷ ହୋଇଛି। ତିନିଦିନିଆ ଯାଜପୁର ଗସ୍ତର ଆଜି ଶେଷ ଦିନରେ ୫-ଟି ସଚିବଙ୍କୁ ବ୍ୟାସନଗରରେ ତୀବ୍ର ବିରୋଧ କରାଯାଇଛି। ବ୍ୟାସନଗରରେ କଂଗ୍ରେସ, ବିଜେପି ଓ କୋରେଇ ସଂଗ୍ରାମ ସମିତି କଳାପତାକା ଓ ଦଳୀୟ ପତାକା ଧରି ଶୋଭାଯାତ୍ରାରେ ବାହାରି ବିରୋଧ କରିବା ସହ ପ୍ରବଳ ନାରାବାଜି କରିଥିଲେ। ପ୍ରତିବାଦକାରୀମାନେ ସଭାମଞ୍ଚ ଚାନ୍ଦମା ପଡ଼ିଆ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ଚୋରଦା କାଳୀ ପଡ଼ିଆ ନିକଟରେ ପୁଲିସ ଅଟକାଇଥିଲା। ଦୀର୍ଘ ସମୟ ଧରି କଂଗ୍ରେସ, ବିଜେପି ଓ କୋରେଇ ସଂଗ୍ରାମ ସମିତିର କର୍ମକର୍ତ୍ତାଙ୍କ ସହ ଓଏସ୍ଏଏଫ ଓ ପୁଲିସର ଧସ୍ତାଧସ୍ତି, ଠେଲାପେଲା ହୋଇଥିଲା। ଏହାକୁ ନେଇ ରାସ୍ତା ଅବରୋଧ ହୋଇଥିଲା। ପୁଲିସ ଅଧିକାରୀମାନେ ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଏପରିକି କିଛି ନେତାଙ୍କୁ ଅଟକ ରଖାଗଲା ବୋଲି ଏସ୍ଡିପିଓ ସଂଜୟ ପଟ୍ଟନାୟକ କହି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ୨୦ ନମ୍ବର ଜାତୀୟ ରାଜପଥର ବେଣାପୁର ଛକରୁ ବାଇକ୍ ଶୋଭାଯାତ୍ରାରେ ଆସି ଗୋପବନ୍ଧୁ ଛକରେ ପହଞ୍ଚିଲେ। ସେଠାରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ବାଳଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା କରାଯାଇଥିଲା। ପରେ ସଭାସ୍ଥଳ ଆଡ଼କୁ ମାଡ଼ି ଚାଲିଥିବା ବେଳେ ପୁଲିସ ସେମାନଙ୍କୁ କାଳୀ ପଡ଼ିଆ ନିକଟରେ ଅଟକାଇ ଆଗକୁ ଛାଡ଼ି ନଥିଲା। ଶୋଭାଯାତ୍ରାରେ ବ୍ୟାସନଗର ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାଶ, ମହିଳା ମୋର୍ଚ୍ଚା ସମ୍ପାଦିକା ଇତିଶ୍ରୀ ଜେନା, ବିଜେପି ମଣ୍ଡଳ ସଭାପତି ପ୍ରମୋଦ କୁମାର ସାହୁ, ରବୀନ୍ଦ୍ର ବେହେରା, ନୀଳମାଧବ ଚକ୍ର, ବିଷ୍ଣୁଚରଣ ରଥ, ନିରଞ୍ଜନ ଘଡ଼ାଇ ପ୍ରମୁଖ ସାମିଲ ହୋଇଥିଲେ। ସେହିପରି କୋରେଇ କଂଗ୍ରେସ ପକ୍ଷରୁ ୫-ଟି ସଚିବଙ୍କ ଅଭିଯୋଗ ଶୁଣାଣିକୁ ଦୃଢ଼ ବିରୋଧ କରାଯାଇଛି। କଂଗ୍ରେସ ନେତା ଓ ସଙ୍ଗଠକମାନେ ଚୋରଦା ବାଇପାସ୍ ଛକରୁ ବିଭିନ୍ନ ସ୍ଲୋଗାନ୍ ଦେଇ ଶୋଭାଯାତ୍ରାରେ ଚନ୍ଦମା ପଡ଼ିଆ ଅଭିମୁଖେ ବାହାରିଥିଲେ। ଚୋରଦା ମେଳଣ ପଡ଼ିଆ ନିକଟରେ ପୁଲିସ ସେମାନଙ୍କୁ ଅଟକାଇବାରୁ ଠେଲାପେଲା ହୋଇଥିଲା। ବହୁ ସମୟ ଧରି ରାସ୍ତା ଅବରୋଧ କରିଥିଲେ। ଶୋଭାଯାତ୍ରାରେ ନଗର ସଭାପତି ଦିଲୀପ ମଲ୍ଲିକ, କୋରେଇ ସଭାପତି ଅକ୍ଷୟ ଜେନା, ପୂର୍ବତନ ଉପନଗରପାଳ ପ୍ରମୋଦ ପରିଡ଼ା, କାଉନସିଲର ରବୀନ୍ଦ୍ର ରାଉତ, ପୂର୍ବତନ କାଉନସିଲର ରାଜକିଶୋର ପ୍ରଧାନ, ଅନୁପ ନାୟକ, ପଦ୍ମନାଭ ସ୍ୱାଇଁ, ଚନ୍ଦ୍ରକାନ୍ତ ଖଣ୍ଡେଇ, ଚନ୍ଦ୍ରକାନ୍ତ ଖଣ୍ଡେଇ, ସନ୍ତୋଷ ମହାନ୍ତି, ନିରଞ୍ଜନ ପରିଡ଼ା ପ୍ରମୁଖ ଭାଗ ନେଇଥିଲେ।
ସେହିପରି ଯୁବକଂଗ୍ରେସ ରାଜ୍ୟ ସମ୍ପାଦକ ପ୍ରିୟବ୍ରତ ସାହୁଙ୍କ ନେତୃତ୍ବରେ ସାଗର ସାମନ୍ତ ସ୍ବାଇଁ, ଯୁବକଂଗ୍ରେସ ସଭାପତି କୃପାସିନ୍ଧୁ ସାମନ୍ତରାୟ, ସୁଦୀପ୍ତ ନାରାୟଣ ସାମନ୍ତରାୟ, ପ୍ରିୟନାଥ ବଳ ପ୍ରମୁଖ ବିରୋଧ କରିଥିଲେ। କୋରାଇ ସଂଗ୍ରାମ ସମିତି ଓ ମିଳିତ ଗଣସଙ୍ଗଠନ ପକ୍ଷରୁ ମଧ୍ୟ ଆଜି ୫-ଟି ସଚିବଙ୍କ ଅଭିଯୋଗ ଶୁଣାଣିକୁ ବିରୋଧ କରାଯାଇଥିଲା। ଚୋରଦା ଛକଠାରୁ ଏକ ଶୋଭାଯାତ୍ରା ବାହାରି କହ୍ନେଇପୁରଠାରେ ପହଞ୍ଚିଥିଲା। ସେଠାରେ ପୁଲିସ୍ ଅଟକାଇବାରୁ ସଂଗ୍ରାମ ସମିତିର ସଭାପତି ବିଦ୍ୟାଧର ମହାନ୍ତି, ଉପସଭାପତି ଆଲୋକ ମହାନ୍ତି, ପ୍ରଫୁଲ୍ଲ ନାୟକ, ନିତ୍ୟାନନ୍ଦ ମହାଳିକ, ଲୋକମାନ ବେଗ ପ୍ରମୁଖ ରାସ୍ତା ଅବରୋଧ କରିଥିଲେ। ସଂଗ୍ରାମ ସମିତିର ସଦସ୍ୟମାନଙ୍କୁ ପୁଲିସ ଅଟକ ରଖି ପରେ ଛାଡ଼ି ଦେଇଥିଲା। ସେହିପରି ଆଜି ସକାଳେ ପ୍ରଥମେ ରସୁଲପୁର ବ୍ଲକ୍ ତଥା ବରୀ ନିର୍ବାଚନମଣ୍ଡଳୀ ଅଧୀନ ବ୍ରହ୍ମବରଦାଠାରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ପ୍ରଥମ ସଭାରେ ଯୋଗ ଦେଇଥିଲେ। କଂଗ୍ରେସ ନେତ୍ରୀ ଆରତୀ ଦେଓଙ୍କ ନେତୃତ୍ବରେ ଅଲିଭା ଘଡ଼ାଇ, ସେକ୍ ନୁରୁଲା, ସେକ୍ ଫକିରୁଦ୍ଦିନ, ସଂଗ୍ରାମ ରାଉତ, ଅନନ୍ତ ଘଡ଼ାଇ, ସେକ୍ ଇନତିୟାଜ ପ୍ରମୁଖ କଳା ପୋଷାକ ପିନ୍ଧି, କଳା ବେଲୁନ୍ ଧରି ପାଣ୍ତିଆନ ଗୋ-ବ୍ୟାକ୍ ନାରା ଦେଇ ସଭାସ୍ଥଳକୁ ଯାଉଥିବା ବେଳେ ଚଣ୍ତିଛକ ମାଛ ବଜାରରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଶ୍ରୀମତୀ ଦେଓ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଧର୍ମଶାଳା ଡାକ୍ତରଖାନା ନିଆଯାଇଥିଲା।
ସେହିପରି ବରୀ ବିଜେପି ନେତା ଉମେଶ ଜେନାଙ୍କ ନେତୃତ୍ବରେ ପ୍ରଶାନ୍ତ ମୁଦୁଲି, ଉତ୍କଳ ସାହୁ ପ୍ରମୁଖ ତାମିଲ ଶାସନ ଚଳିବ ନାହିଁ, ପାଣ୍ତିଆନ ଗୋ-ବ୍ୟାକ୍ ନାରା ଲଗାଇ ବ୍ୟାଙ୍କ ଛକଠାରୁ ସଭାସ୍ଥଳକୁ ଯିବା ସମୟରେ ପୁଲିସ୍ ସହ ଧସ୍ତାଧସ୍ତା ହୋଇଥିଲା। ଏଠାରେ ବରୀର ବିଜେପି ନେତା ଉମେଶ ଜେନା ଓ କଂଗ୍ରେସ ନେତ୍ରୀ ଆରତୀ ଦେଓଙ୍କ ନେତୃତ୍ବରେ ଭିନ୍ନଭିନ୍ନ ଭାବେ ବିରୋଧ କରାଯାଇଥିଲା। ଆନ୍ଦୋଳନକାରୀମାନେ ସଭାସ୍ଥଳରେ ପହଞ୍ଚିବା ପୂର୍ବରୁ ପୁଲିସ ଫୋର୍ସ ଅଟକାଇ ଦେଇଥିଲା। ଗତ ୨୯ ତାରିଖ ଦିନ ଯାଜପୁର ସହରରେ ୫-ଟି ଠେଙ୍ଗା ବାହିନୀ ଆତଙ୍କ ଖେଳାଇଥିଲେ। ଏ ନେଇ ସମାଲୋଚନାର ଶିକାର ହେବା ପରେ ଆଜି ୫-ଟି ବାହିନୀକୁ ହଟାଇ ଦିଆଯାଇଥିଲା। ୫-ଟି ସାର୍ଟ ଦେଖିବାକୁ ମିଳିନଥିଲା। କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ସାର୍ଟ କିଛି ଯୁବକ ପିନ୍ଧିଥିଲେ। ସଭାସ୍ଥଳରେ ଲୋକମାନଙ୍କୁ ମହଜୁଦ୍ ରଖିବା ପାଇଁ ମେଲୋଡି କାର୍ଯ୍ୟକ୍ରମ ହୋଇଥିଲା। ଆଜି ୫-ଟି ସଚିବ ରସୁଲପୁର, କୋରେଇ, ଦାନଗଦୀ ବ୍ଲକ୍ ପାଇଁ ଅନୁଦାନ ଘୋଷଣା କରିଥିଲେ। ବ୍ୟାସନଗରରେ ୨୯ ତାରିଖ ଓ ଆଜି ୨ଟି ସଭା କରାଯାଇଥିଲେ ହେଁ ବ୍ୟାସନଗରବାସୀଙ୍କ ପାଇଁ ସେପରି କିଛି ଅନୁଦାନ ଘୋଷଣା କରାଯାଇନାହିଁ।