ସମ୍ବଲପୁର: ରକ୍ତ ନଷ୍ଟ କରୁଥିବା ନର୍ସିଂହୋମ ଉପରେ ନିୟନ୍ତ୍ରଣ ଲଗାଯାଇ ପାରୁ ନାହିଁ। ସେମାନଙ୍କ ମଧ୍ୟରେ ଏ ନେଇ ଲଗାମ ଲଗାଯିବା ନେଇ ନର୍ସିଂହୋମଗୁଡ଼ିକ ସହିତ ସିଡିଏମଓଙ୍କୁ ବୈଠକ ପାଇଁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ରେଡକ୍ରସ କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିର୍ଦେଶ ହୋଇଛି। ବୈଠକରେ କୁହାଯାଇଛି, ବିଭିନ୍ନ ସମୟରେ ନର୍ସିଂହୋମଗୁଡ଼ିକ ଆବଶ୍ୟକତା ଠାରୁ ଅଧିକ ରକ୍ତ ପାଇଁ ରିକ୍ୟୁଜିସନ ଲେଖୁଛନ୍ତି। ରକ୍ତ ଭଣ୍ଡାରରୁ ଥରେ ଏହି ରକ୍ତ ବାହାରିବା ପରେ ପୁନଃ ଉପଯୋଗ ହୋଇ ପାରେ ନାହିଁ। ଏଥିଯୋଗୁଁ ବିଭିନ୍ନ ସମୟରେ ରକ୍ତ ନଷ୍ଟ ହେଉଛି। ଗତବର୍ଷ ରେଡକ୍ରସ କାର୍ଯ୍ୟକାରୀ କମିଟି ବୈଠକରେ ମଧ୍ୟ ଏହି ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା। ତତକାଳୀନ ସିଡିଏମଓ ଡା.କେ.କେ. ଗୁପ୍ତାଙ୍କୁ ନର୍ସିଂହୋମ ସହିତ ବୈଠକ ପାଇଁ ନିର୍ଦେଶ ହୋଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ଏହି ନିର୍ଦେଶ କାର୍ଯ୍ୟକାରୀ କରାଯାଇ ପାରି ନାହିଁ। ଏଥିସହିତ ନର୍ସିଂହୋମ ଲାଇସେନ୍ସ ଏବଂ ପରିଚାଳନା ବ୍ୟବସ୍ଥା ପ୍ରତି ମଧ୍ୟ ନଜର ରଖିବାକୁ ସିଡିଏମଓଙ୍କୁ କୁହାଯାଇଛି। ଇ ବ୍ଲଡ ବ୍ୟାଙ୍କ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ପାରିନଥିବା ଅଭିଯୋଗ ହୋଇଛି। ଡାଟା ଏଣ୍ଟ୍ରି ଅପରେଟରଙ୍କ ନିଯୁକ୍ତି ହୋଇଥିଲେ ମଧ୍ୟ ସେ ଏହି କାର୍ଯ୍ୟ କରୁନଥିବା କୁହାଯାଇଛି। କିଛି ଦିନ ମଧ୍ୟରେ ଜିଲ୍ଲାପାଳ ରକ୍ତଭଣ୍ଡାର ପରିଦର୍ଶନ ପରେ ଡାଟା ଏଣ୍ଟ୍ରି ଅପରେଟରଙ୍କ କାର୍ଯ୍ୟ ସମୀକ୍ଷା କରିବେ ବୋଲି କହିଛନ୍ତି।
ଏହି ଅବସରରେ ଚାଳକ ଅଭାବରୁ ଅନୁପଯୋଗ ହୋଇ ପଡ଼ିଥିବା ଶବ ବାହକ ଗାଡ଼ି ନେଇ ଆଲୋଚନା ହୋଇଥିଲା। ୬ ମାସ ପୂର୍ବରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ରେଙ୍ଗାଲି ଡାକ୍ତରଖାନାକୁ ଶବ ବାହକ ଗାଡ଼ି ଦିଆଯାଇ ଥିଲା। ଏଥିରେ ଚାଳକ ନିଯୁକ୍ତି ପାଇଁ ରେଡକ୍ରସକୁ ଅନୁରୋଧ କରାଯାଇ ଥିଲା। ଶବ ବାହକ ଗାଡ଼ି ରେଡକ୍ରସକୁ ହସ୍ତାନ୍ତର କରାଗଲେ, ରେଡକ୍ରସ ଚାଳକ ନିଯୁକ୍ତ କରିପାରିବ ବୋଲି କୁହାଯାଇ ଥିଲା। କୁଚିଣ୍ଡା ଏବଂ ରେଢାଖୋଲ ପାଇଁ ଦୁଇଟି ଶବ ବାହକ ଗାଡ଼ି ବ୍ୟବସ୍ଥା ହୋଇଥିଲା। କୁଚିଣ୍ଡା ଶବ ବାହକ ଗାଡ଼ିକୁ କୁଚିଣ୍ଡା ଡାକ୍ତରଖାନା ଗ୍ରହଣ କରିଥିବାବେଳେ, ରେଢାଖୋଲ ଡାକ୍ତରଖାନା ଏହାକୁ ଫେରାଇ ଦେଇଛି। ଶବ ବାହକ ଗାଡ଼ିକୁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ସରେଣ୍ଡର କରିବା ପାଇଁ ନିର୍ଦେଶ ହୋଇଛି। ମାନସିକ ଭିନ୍ନକ୍ଷମ ପରିତ୍ୟକ୍ତା ମହିଳାଙ୍କ ପାଇଁ ମିସନ ଅଫ ଚେରିଟି ରହିଛି। ଏଠାରେ ରହୁଥିବା ଅନ୍ତେବାସୀଙ୍କ ଆଧାର କାର୍ଡ ନଥିବାରୁ ସେମାନଙ୍କ ପ୍ରାପ୍ୟ ବିଭିନ୍ନ ପ୍ରକାର ଭତ୍ତା ଏବଂ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଅନ୍ତେବାସୀଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲା। ଜିଲ୍ଲାପାଳ ଏହି ଆଶ୍ରମ ଯାଇ ଅନ୍ତେବାସୀଙ୍କ ସମସ୍ୟା ବୁଝିବା ପାଇଁ ଅନୁରୋଧ କରାଯାଇ ଥିଲା। ନଭେମ୍ବର ୫ ତାରିଖରେ ରେଡକ୍ରସର କାର୍ଯ୍ୟକାରୀ କମିଟି ସଦସ୍ୟ, ସଦସ୍ୟାଙ୍କ ସହିତ ଜିଲ୍ଲାପାଳ ମିସନ ଅଫ ଚେରିଟି ଯିବେ ବୋଲି କହିଥିଲେ। ଫୁଲଝରଣ ବୃଦ୍ଧାଶ୍ରମରେ ଦୁଇଟି କକ୍ଷ ନିର୍ମାଣ ପାଇଁ ଏମସିଏଲକୁ ନିର୍ଦେଶ ହୋଇଛି। ଏହାର ଦାୟିତ୍ୱ ଯୁଯୁମୁରା ବିଡିଓଙ୍କୁ ଦିଆଯାଇଛି। ଭୁତାପଡ଼ାରେ ରେଡକ୍ରସ ପକ୍ଷରୁ ଅସହାୟ, ଘରୋଇ କର୍ମଚାରୀ ମହିଳାଙ୍କୁ ସିଲେଇ ପ୍ରଶିକ୍ଷଣ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ହେଲ୍ପିଂ ହେଣ୍ଡ ଜରିଆରେ ୫୯୮୧ ଉପକରଣ ସଂଗ୍ରହ କରାଯାଇଥିବାବେଳେ ୩୭୩୪ ବଣ୍ଟନ ହୋଇଥିବା ସୂଚନା ଦିଆଯାଇ ଥିଲା। ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ରେଡକ୍ରସ ସମ୍ପାଦକ ଜୟ ଜର୍ଜ, ସିଡିଏମଓ କେକେ ଗୁପ୍ତା ଉପସ୍ଥିତ ଥିଲେ। ପ୍ରମିଳା ବେହେରା, ନିହାଲ ସିଂ, ସୁବ୍ରତ ପଣ୍ଡା, ସୁଧୀର ପୂଜାରୀ, ଆତିଫ ଆଲମ, ଅବସରପ୍ରାପ୍ତ ଅଧ୍ୟାପକ ସନ୍ତୋଷ ଦାଶ, ବିପିନ ବିହାରୀ ପଣ୍ଡା ପ୍ରମୁଖଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ।
ରକ୍ତ ନଷ୍ଟ କରୁଥିବା ନର୍ସିଂହୋମ ଉପରେ ଲଗାମ ପାଇଁ ନିର୍ଦେଶ
l ଶବ ବାହକ ଗାଡ଼ି ଫେରାଇ ଦେଲା ରେଢାଖୋଲ :ରେଡକ୍ରସ କାର୍ଯ୍ୟକାରୀ କମିଟି ବୈଠକ
/sambad/media/post_attachments/wp-content/uploads/2017/10/ambulance-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)