ଲାଲଗଡରେ ପଡିଲା ପ୍ରଶାସନର ପାଦ, କାନ୍ଦିକାନ୍ଦି ସମସ୍ୟା କହିଲେ ଲୋକେ

ମାଓବାଦୀଙ୍କ ଅଭେଦ୍ୟ ଇଲାକା ଭେଦି ଲୋକଙ୍କ ସୁଖଦୁଃଖ ବୁଝିଲେ ମାଲକାନଗିରି ଜିଲ୍ଲାପାଳ, ଏସପି

ଭୁବନେଶ୍ବର: ସ୍ୱାଧୀନତା ପରଠାରୁ ଯେଉଁ ଅଂଚଳ ଆଜି ପର୍ଯ୍ୟନ୍ତ ଅପହଞ୍ଚ ହୋଇ ରହିଥିଲା । ଯେଉଁଠି ପ୍ରତିପାଦରେ ଥିଲା ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣର ଭୟ । ଲାଲଗଡ଼ର ସେହି ଅଭେଦ୍ୟ ଇଲାକାରେ ପଡ଼ିଛି ଜିଲ୍ଲା ପ୍ରଶାସନର ପାଦ । ସ୍ୱାଭିମାନ ଅଂଚଳରେ ପହଂଚି ଲୋକଙ୍କ ସୁଖଦୁଃଖ ବୁଝିବା ସହ ସେମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରିଛନ୍ତି ମାଲକାନାଗିରି ଜିଲ୍ଲାପାଳ ଓ ଏସପି । ପ୍ରଥମ ଥର ଜିଲ୍ଲାପାଳ ଓ ଏସପିଙ୍କ ସମେତ ପୂରା ଜିଲ୍ଲା ପ୍ରଶାସନକୁ ଦେଖି ସ୍ୱାଭିମାନ ଅଂଚଳବାସୀ ବର୍ଷ ବର୍ଷର ଦୁଃଖ କଷ୍ଟ ବଖାଣିଥିଲେ ।

ଏ ହେଉଛି ସେହି ଯନ୍ତୁରାଇ ଗାଁ, ଯେଉଁଠି ମାଓବାଦୀଙ୍କ ବିନା ନିର୍ଦ୍ଦେଶରେ ଗଛର ପତ୍ର ବି ହଲେନାହିଁ । ଆଜି କିନ୍ତୁ ଏହି ଗାଁରୁ ମୋଟର ସାଇକେଲରେ ଯୋଡ଼ାମ୍ବ ପଂଚାୟତ ପହଁଚିଛନ୍ତି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ଏସପି ରିଷିକେଶ କିଲ୍ଲାରୀଙ୍କ ସମେତ ପୂରା ଜିଲ୍ଲା ପ୍ରଶାସନ । ପାହାଡ଼ ଚିରି ନୂଆ କରି ତିଆରି ହୋଇଥିବା ରାସ୍ତାରେ ଗଡିଛି ଜିଲ୍ଲା ପ୍ରଶାସନର ଗାଡ଼ି । ପ୍ରଥମ ଥର ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ପାଖରେ ପାଇ ବର୍ଷ ବର୍ଷ ଦୁଃଖ ଦୁର୍ଦ୍ଦଶାକୁ ବର୍ଣ୍ଣନା କରିଛନ୍ତି ସ୍ୱାଭିମାନ ଅଂଚଳର ବାସିନ୍ଦା ।

୨୦୧୧ରେ ତକ୍ରାଳୀନ ଜିଲ୍ଲାପାଳ ଆର. ଭିନିଲ କ୍ରିଷ୍ଣାଙ୍କୁ ମାଓବାଦୀ ଅପହରଣ କରିନେବା ପରେ ବିଚ୍ଛିନ୍ନାଂଚଳରେ ପଡ଼ିନଥିଲା ପ୍ରଶାସନର ପାଦ । ବିଚ୍ଛିନ୍ନାଂଚଳରୁ ସ୍ୱାଭିମାନ ଅଂଚଳକୁ ବଦଳାଇଥିବା ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଧୀରେ ଧୀରେ ବଦଳୁଛି ଏହି ଅଂଚଳର ଚିତ୍ର ଓ ଚରିତ୍ର । ରାସ୍ତା ଘାଟ ନିର୍ମାଣ, ମୋବାଇଲ ଟାୱାର ନିର୍ମାଣ ପରେ ଯୋଗାଯୋଗ ବ୍ୟବସ୍ଥାରେ ପରିବର୍ତନ ହୋଇଛି । ବିକାଶ ଯେମିତି ଆଗଉଛି, ଲାଲବାହିନୀର ଭୟ ହଟିବା ସହ ଲୋକଙ୍କ ମନରେ ଆସ୍ଥା ଓ ବିଶ୍ୱାସ ସେମିତି ବଢ଼ୁଛି । ଜିଲ୍ଲାପାଳ କହିଛନ୍ତି ସୁରକ୍ଷା ବ୍ୟବସ୍ଥା ତାଳେ ତାଳେ ଆଗେଇ ଚାଲିବ ବିକାଶ ।

ସ୍ୱାଭିମାନ ଅଂଚଳରେ ବିକାଶର ଟିକିନିକି ବିବରଣୀ ଲୋକଲୋଚନକୁ ଆଣିଛି କନକ ନ୍ୟୁଜ । ପ୍ରଥମ ଥର ପାଇଁ ସ୍ୱାଭିମାନ ଅଂଚଳରେ ଡାକ୍ତରଙ୍କ ନିଯୁକ୍ତି ଠାରୁ ଆରମ୍ଭ କରି ବିକାଶ ଆଳରେ ଚାଲିଥିବା ପାଇଖାନା ଦୁର୍ନୀତିକୁ ସାମ୍ନାକୁ ଆଣି ପ୍ରଶାସନକୁ ଚେତାଇ ଏକ ଦାୟିତ୍ୱବାନ ଗଣମାଧ୍ୟମର ଭୂମିକା ତୁଲାଇ ଆସିଛି । ଦୁର୍ନୀତି କିପରି ବିକାଶର ପଥରୋଧ କରିବ ନାହିଁ, ତାହା ହିଁ ଏବେ ପ୍ରଶାସନ ଆଗରେ ସବୁଠୁ ବଡ଼ ଚ୍ୟାଲେଂଜ । ଆଜି ପ୍ରଶାସନକୁ ପାଖରେ ପାଇ ଯୋଡମ୍ବ ପଂଚାୟତବାସୀ ଏକ ନୂଆ ସମ୍ଭାବନାର ସ୍ୱପ୍ନ ଦେଖୁଛନ୍ତି । ତେବେ ଉପାନ୍ତରେ ଥିବା ଆଉ ତିନିଟି ପଂଚାୟତରେ କେବେ ପଡ଼ିବ ପ୍ରଶାସନର ପାଦ, ଏହାକୁ ଅନେଇ ବସିଛନ୍ତି ଅଂଚଳବାସୀ ।

ସମ୍ବନ୍ଧିତ ଖବର